ଅନୁଗୁଳ

ତାଳଚେର ଖଣିଖଦାନ କ୍ଷତିଗ୍ରସ୍ତ ପ୍ରଜାସଂଘର ଶୋଭାଯାତ୍ରା ଓ ଧାରଣା ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ସମେତ ୪ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

ତାଳଚେର,୧୯/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସୋମବାର ପୂର୍ବାହ୍ନରେ ୪ ଦଫା ଦାବୀ ନେଇ ତାଳଚେର ଖଣିଖଦାନ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନ,ସମ୍ପାଦକ ବିଭୂତି ବିଶ୍ୱାଳ,ପରାମର୍ଶଦାତା ପଂଚାନନ ସେନାପତି,ଅନୁକୂଳ ଆଚାର୍ଯ୍ୟ ଓ ଭାଗୀରଥି ସାହୁଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ୱ  ସଂଘର ମହିଳା ଓ ପୁରୁଷ ସଦସ୍ୟଗଣ ଏକ ବିରାଟ ଶୋଭାଯାତ୍ରାରେ ଦେଉଳବେଡା କୋଲିୟରୀ ଇନଷ୍ଟିଚ୍ୟୁଟ ପରିସରରୁ ବାହାରି ବିଭିନ୍ନ ଦାବୀ ସମ୍ପର୍କିତ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବାସହ ପଥପ୍ରାନ୍ତ ସଭା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁଚିଥିଲେ । ଏହି ଅବସରରେ ସଂଘର କାର୍ଯ୍ୟକର୍ତାମାନେ ନିଜର ବକ୍ତବ୍ୟରେ ତାଳଚେର ପ୍ରତି ସରକାରଙ୍କର ଅବହେଳା ଓ ସମସ୍ୟା ସମ୍ପର୍କରେ ମତ ରଖିବାସହ ଧାରଣା ଦେଇଥିଲେ । ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୧୫ହଜାର କୋଟି ଟଙ୍କାର ରାଜସ୍ୱ ପାଉଥିବାବେଳେ ସ୍ଥାନୀୟ ଅଂଚଳର ପ୍ରଦୂଷଣ,ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା ଘାଟ ଆଦି ବିପର୍ଯ୍ୟସ୍ତ ହୋଇପଡ଼ିଛି । ତାଳଚେରର ବିଭିନ୍ନ ଖଣି ଅଂଚଳରେ ପ୍ରାୟ ୩୦ହଜାର ଲୋକ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ ମଧ୍ୟ ସ୍ଥାନୀୟ ଅଂଚଳର ବେକାର ଯୁବକ, ଯୁବତୀମାନେ ସୁଯୋଗରୁ ବଂଚିତ ହେଉଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଠିକ୍ ସେହିପରି ପ୍ରତି ୬ ମାସରେ ଥରେ ଆର୍.ପି.ଡି.ଏ.ସି ବୈଠକ ହେବାର ନିୟମ ଥିଲେ ମଧ୍ୟ ସ୍ଥାନୀୟ ଅଂଚଳର ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ବୈଠକ କରୁ ନଥିବାରୁ ଖଣି କ୍ଷତିଗ୍ରସ୍ତଙ୍କ ସମସ୍ୟା ଜଟିଳ ହୋଇପଡ଼ିଛି । ଯଦ୍ୱାରା ଆଇନ୍ ଶୃଙ୍ଖଳା ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ଏହି ଦାବୀପତ୍ରରେ ତାଳଚେରକୁ ଓଡିଶାରେ ପ୍ରଥମ ଉତମ ସହରରୂପେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ୯୦ପ୍ରତିଶତ ସ୍ଥାନୀୟ ବେକାରୀଙ୍କୁ ତାଳଚେରର ବିଭିନ୍ନ କୋଇଲାଖଣିରେ ନିୟୋଜିତ କମ୍ପାନୀରେ ନିଯୁକ୍ତି,ତାଳଚେର ଉପଖଣ୍ଡ ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ବାର୍ଷିକ ଅନ୍ୟୁନ ୫ଶହ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍,ଏମ୍.ସି.ଏଲ୍ ଖୋଲାମୁହାଁ କୋଇଲାଖଣିଗୁଡିକ ଦ୍ୱାରା ସୃଷ୍ଟି ହୋଇଥିବା କୃତିମ ପାହାଡ଼ ଓ ଜଳାଶୟକୁ ସମତୂଲ ଓ ଉନ୍ନତିକରଣକରି ଖଣି କ୍ଷତିଗ୍ରସ୍ତଙ୍କୁ ପ୍ରଦାନ,କଣିହାଁ ଶିଳ୍ପାଚଂଳରୁ ଅନ୍ୟୂନ ଗୋଟିଏ ଯାତ୍ରୀବାହୀ ଟ୍ରେନ ତାଳଚେର ଦେଇ ରାଜଧାନୀ ପର୍ଯ୍ୟନ୍ତ ଚଳାଚଳ ପାଇଁ ଉଲ୍ଲେଖ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଶ୍ୟରେ ଏହାକୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଉକ୍ତ ଦାବୀଗୁଡ଼ିକ ପ୍ରତି ଧ୍ୟାନ ଦିଆନଗଲେ ରାଜରାସ୍ତାରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ବିକ୍ଷୋଭ ସମାବେଶରେ ତାଳଚେର ବିଭିନ୍ନ ପଂଚାୟତରୁ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ । ଏଥିରେ ସଂଘର ଧିରନ୍ କୁମାର ପ୍ରଧାନ,ସନାତନ ପ୍ରଧାନ,ବିମାନ ପଲେଇ,କ୍ଷୀରସିନ୍ଧୁ ସେଠୀ,ଅବନୀକାନ୍ତ ସାହୁ,କଳାକାର ସିଂ,ଶେଖର ସୁମନ ଗଡନାୟକ,ସତ୍ୟବାନ ପରିଡା,ହରଗୋବିନ୍ଦ ବେହେରା, ସଂଗ୍ରାମ କେଶରୀ ସାହୁ ପ୍ରମୂଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top