୫୦ରୁ ଉର୍ଦ୍ଧ୍ୱ ତୁଙ୍ଗ ନେତା ବିଜେଡିରେ ଯୋଗ ଦେଲେ

– କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:

– ଦଳୀୟ କର୍ମୀମାନେ ଲୋକଙ୍କ ଅଧିକ ନିକଟତର ହୋଇ ସାମାଜିକ ଉତ୍ଥାନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ:

କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଜୁ ଜନତା ଦଳର କର୍ମୀମାନେ ସାଧାରଣ ଲୋକଙ୍କର ବିଶ୍ୱାସଭାଜନ ହେବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ନିଷ୍ଠାପର ଭାବରେ ଉଦ୍ୟମ କରିବା ସହ ଲୋକଙ୍କର ନିକଟତର ହେବା ପାଇଁ ଉଦ୍ୟମ କରନ୍ତୁ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ସରକାର ସାଧାରଣ ଲୋକଙ୍କ ଉନ୍ନତି ନିମନ୍ତେ ଯଥେଷ୍ଟ କାର୍ଯ୍ୟକ୍ରମ ହାତକୁ ନେଉଥିବାବେଳେ ଏହାର ସୁଫଳ କିପରି ଲୋକମାନେ ପାଇପାରିବେ ସେଥିପାଇଁ ବିଜୁ ଜନତା ଦଳର କର୍ମୀମାନେ ଉଦ୍ୟମ କରିବା ସହିତ ସାମାଜିକ କ୍ଷେତ୍ରରେ ଉତ୍ଥାନ ପାଇଁ ଲୋକଙ୍କ ସହ ଯୋଡି ହୋଇ ରହିବାକୁ ସେ ଆହ୍ୱାନ ଜଣାଇଥିଲେ। କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସଂପୃକ୍ତ ଥିବା ମହାମନିଷୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସେହିପରି ଜିଲ୍ଲା ସାଧାରଣ ସଂପାଦକ ପଦବୀରେ ଥାଇ ପରଲୋକ ଗମନ କରିଥିବା ଘଟଗାଁ ଅଞ୍ଚଳର ଗନ୍ଧର୍ବସେନ ପଲେଇ, ପ୍ରସନ୍ନ ମହାପାତ୍ର, ପାଣ୍ଡବ ଦେହୁରୀ, ସୁରେନ୍ଦ୍ର ଦେହୁରୀ, ସୁବାଶ ପଟ୍ଟନାୟକ ଓ ଅନୀଲ କୁମାର ପଟ୍ଟନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାର ପ୍ରାରମ୍ଭରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କିତ ଏକ ଆଲୋଚନାଚକ୍ରରେ ଆନନ୍ଦପୁର ବିଧାୟକ ମାୟାଧର ଜେନା ଓ ଜିଲ୍ଲା ଦଳିତ ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦୁଝର ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ସସ୍ମିତାରାଣୀ ସିଂ, ଝୁମ୍ପୁରା ବ୍ଲକର ସମିତିସଦସ୍ୟା ଲକ୍ଷ୍ମୀ ନାଏକ, ବାଂଶପାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ଦେହୁରୀ, ଦାଶରଥି ବାରିକ, ପ୍ରଦୀପ ପ୍ରଧାନ, ଅକ୍ଷୟ ବେହେରା, ଜନାର୍ଦ୍ଦନପୁର ସରପଞ୍ଝଞ୍ଚ ପିଙ୍କି ବେସ୍ରା, ସଦର ବ୍ଲକର ରମେଶ ସେଠୀ, ଲମ୍ବୋଦର ନାଏକ, ଅକ୍ଷୟ ବେହେରା ଓ କେକେ ମୁର୍ମୁ ସେମାନଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଥିଲେ। ଏହାପରେ ଦଳର ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଥିଲା। ବିନୋଦ ବିହାରୀ ମହାପାତ୍ର ଓ ଦେବାନନ୍ଦ ପୃଷ୍ଟିଙ୍କୁ ଜିଲ୍ଲା ଉପସଭାପତି, ମନ୍ମଥ କୁମାର ରାଉତଙ୍କୁ ଜିଲ୍ଲା ସାଧାରଣ ସଂପାଦକ, ସୁରେନ୍ଦ୍ର କୁମାର ଦାଶଙ୍କୁ ଜିଲ୍ଲା ସଂପାଦକ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ କେନ୍ଦୁଝର ନଗରର କାର୍ଯ୍ୟକାରୀ ସଭାପତି ଓ ଦାମୋଦର ସାହୁଙ୍କୁ ଝୁମ୍ପୁରା ବ୍ଲକର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଘୋଷଣା କରିଥିଲେ। ଏହି ନୂତନ କର୍ମକର୍ତାଙ୍କୁ ମଞ୍ଝରେ ଅତିଥିମାନେ ସ୍ୱାଗତ କରିଥିଲେ। ସେହିପରି ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ଉପାଧ୍ୟକ୍ଷା ମୀନା ମାଝୀ, ସଦସ୍ୟ ବାବୁରାମ ନାଏକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଦଳୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ନିଜର ବକ୍ତବ୍ୟ ପ୍ରଦାନ କରି କେନ୍ଦୁଝର ଜିଲ୍ଲାର ବିଜେଡି ସଂଗଠନ ସମଗ୍ର ରାଜ୍ୟରେ ଉଚ୍ଚ ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ଓ ଏହି ସଂଗଠନ ସଠିକ୍ ଭାବରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଦଳୀୟ ନିର୍ବାଚିତ ଜନ ପ୍ରତିନିଧିମାନେ କର୍ମୀଙ୍କର ବିଶ୍ୱାସକୁ ଅତୁଟ ରଖିବା ସହିତ ସମସ୍ତଙ୍କର ଆତ୍ମସମୀକ୍ଷା କରିବାର ପ୍ରକୃଷ୍ଠ ସମୟ ଆସିଛି ବୋଲି କହିଥିଲେ। ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ବିଜୁ ଯୁବବାହିନୀର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିବା ସହିତ ସୋସିଆଲ୍ ମିଡିଆର ବ୍ୟବହାର ସଂପର୍କରେ ନିଜର ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ, ସାଂସଦ ଶକୁନ୍ତଳା ଲାଗୁରୀ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ସଦର ବିଧାୟକ ଅଭିରାମ ନାଏକ, ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଯଶୋବନ୍ତ ଲାଗୁରୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳର ସଭାପତିମାନେ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନା କରିଥିଲେ। ଜିଲ୍ଲା ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, ମହିଳାମୋର୍ଚ୍ଚା ସଭାନେତ୍ରୀ ଆରତୀ ସିଂ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ଦେବ ସାହୁ, ସଂଖ୍ୟାଲଘୁ ସେଲ ସଭାପତି ନେସାର ହାୟାତ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ଦାସ, ନଗର ବିଜେଡି ସାଧାରଣ ସଂପାଦକ ସଞ୍ଜିବ ସାହୁ, ଜିଲ୍ଲା ମିଡିଆ ସେଲ ସଂଯୋଜକ ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *