ଧର୍ମଶାଳା ବୁରୁସାହିର ବାସ୍ତବ ଚିତ୍ର ;ପଲିଥିନ ତଳେ ବିତୁଛି ଜୀବନ, ଅସହାୟ ଶୈଶବ

ଯାଜପୁର-୧୧/୧(ଓଡିଆ ପୁଅ/ଏ.ରାଉତ) କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ବିକାଶ ପାଇଁ ଶହଶହ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଯୋଜନା ଗୁଡିକ କେବଳ ଯୋଜନା ମଧ୍ୟରେ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି। ତାହା କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କର ବିକାଶ ସମ୍ଭବ ହୋଇ ପାରୁନାହିଁ। ପୂର୍ବସ୍ଥିତି ମୁତାବକ ସେମାନେ ତାଙ୍କ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ବୁରୁସାହିରେ। ଏହି ସାହିଟି ବ୍ଲକ କାର୍ଯ୍ୟାଳାୟ ଠାରୁ ୧୭ କିମି ଦୂରରେ ହୋଇଥିଲେ ମଧ୍ୟ ବ୍ଲକ ପକ୍ଷରୁ ସେମାନଙ୍କ ପାଇଁ କୌଣସି ସୁବିଧା ଉପଲବ୍ଧ ହୋଇନାହିଁ। କେବଳ ତହସିଲ ପକ୍ଷରୁ କଳା ପଲିଥିନ ଦିଆଯାଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଇଛି। ଦୀର୍ଘଦିନ ହେବ ମୟୁରଭଞ୍ଜ ଜିଲାରୁ ଆସି ବସବାସ କରୁଥିବା ଏହି ମୁଣ୍ଡା ସଂପ୍ରଦାୟର ଲୋକମାନେ ପାହାଡରେ ଗେଟି ବାଡେଇ ଜୀବିକା ନିର୍ବାହ କରୁଛନ୍ତି। ୩୦ ପରିବାର ୧୫୦ ରୁ ଉର୍ଦ୍ଧ ଲୋକ ସେଠାରେ ବସବାସ କରୁଛନ୍ତି। କେବଳ ଭୋଟଦେବା ଛଡା ଅନ୍ୟ କିଛି ମୌଳିକ ସୁବିଧା ସେମାନଙ୍କ ପାଇଁ ଅଦ୍ୟାବଧି ମୋହିଆ କରାଯାଇନାହିିଁ। କେବଳ ରାସନ କାର୍ଡ ପ୍ରଦାନ କରାଯାଇଛି। ତାହାପୁଣି ସମସ୍ତଙ୍କୁ ନୁହେଁ। ସ୍ୱାଧୀନତାର ୭୦ ବର୍ଷପରେ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଘର ଖଣ୍ଡେ ନମିଳିବା ସମସ୍ତଙ୍କୁ ବିସ୍ମିତ କରିଛି। ଇନ୍ଦିରା ଆବାସ, ମୋ କୁଡିଆ ଓ ବିଜୁ ପକାଘର ଆଦି ଯୋଜନା ତାଙ୍କ କାମରେ ଆସୁନାହିଁ। କେବଳ ଛୋଟପିଲାମାଙ୍କ ପାଇଁ ଅଙ୍ଗନ ୱାଡିର ଉପକେନ୍ଦ୍ର ଖୋଲାଯାଇଛି। ଅଦ୍ୟାବଧି ସେଠାକୁ ବିଦ୍ୟୁତ ସେବା ଯୋଗଇ ଦିଆଯାଇ ନାହିଁ କିମ୍ବା ଯାତାୟତ ନିମନ୍ତେ ରାସ୍ତା ନିର୍ମାଣ ମଧ୍ୟ କରାଯାଇ ନାହିଁ। ପାନୀୟ ଜଳ ନିମନ୍ତେ ଏକ ନଳକୂପ ବସାଯାଇଛି ସେଠାରେ ପ୍ଲାଟଫର୍ମ କରାଯାଇ ନଥିବାରୁ ସେ ପାଣି ସବୁ ସେଠାରେ ଜମି ରହୁଛି। ଏହିଭଳି ଅବସ୍ଥାରେ ବୁରୁସାହିରେ ଲୋକମାନେ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ପ୍ରଣୟନ ଯୋଜନା କେବଳ ଲୋକ ଦେଖାଣିଆ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏବେ ଶୀତର ପ୍ରକୋପ ବଢିବାରେ ଲାଗିଥିବାରୁ ପାହାଡ ପାଦଦେଶରେ ରହୁଥିବା ଏହି ସଂପ୍ରଦାୟର ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନଡା ଛପର ଘରେ କଳା ପଲିଥିନ ଖଣ୍ଡେ ଟାଣି ତା ତଳେ ରହୁଛନ୍ତି ସେମାନେ। ଶୀତର ପ୍ରକୋପରେ ଛୋଟ ଛୋଟ ପିଲା ସମେତ ବୃଦ୍ଧାମାନଙ୍କ ଜୀବନ ଦୁର୍ବିଶ ହେଉଯାଉଛି ବୋଲି ସେମାନେ କୁହନ୍ତି। ଏ ସମୟରେ ଶୀତବସ୍ତ୍ର ଖଣ୍ଡେ ପାଇବାକୁ ଅପେକ୍ଷା କରିଥିବା ଆଦିବାସୀଙ୍କ ଉପରେ କାହାର ଦୃଷ୍ଟି ଥିବାଭଳି ଜଣାଯାଏ ନାହିଁ। ଶାସକ ଦଳ ଏଠାରେ ପ୍ରଗତି ପଥେ ଧର୍ମଶାଳାର ନାରାବାଜି ଚାଲିଥିବା ବେଳେ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେଉଥିବା ଭଳି ଜଣାଯାଏ ନାହିଁ।କେବଳ ନିଜର ପ୍ରଚାର ପ୍ରସାର କରି ଭୋଟ ହାତୋଉ ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି। ଏହି ବ୍ଲକ ଅଧିନରେ ଥିବା ଚକ୍ରଧରପୁର ପଞ୍ଚାୟତ, ଗମାରିଆ, ବଲାଙ୍ଗିଆ ଓ ଏଣ୍ଡଳବା ପଞ୍ଚାୟତର ହନୁଆ ଆଦି ଆଦିବାସୀ ବସ୍ତିରେ ଏହିଭଳି ଅବସ୍ଥା ଲାଗି ରହିଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଯଦି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *