ବ୍ରାହ୍ମଣ ଝରିଲୋ ବୋମାମାଡ଼ ଘଟଣାରେ ଦୁଇ ଗିରଫ – ବାଇକ ଜବତ

କଟକ, ୭/୭ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଗତ ୨୪ତାରିଖରେ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବଜାରରେ ଥିବା ମା’ଲକ୍ଷ୍ମୀ ଫର୍ନିଚର ଶୋ’ରୁମ ଉପରେ ବୋମାମାଡ଼ କରିଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅଧିନ ଗଙ୍ଗେଶ୍ୱର ଗ୍ରାମର ବିକ୍ରମ ପାତ୍ର ଓ ବ୍ରାହ୍ମଣଝରିଲୋ ଗ୍ରାମର ଶେଖ ହନିଫ। ଏହି ଘଟଣାରେ ବ୍ୟବହୃତ ଗୋଟିଏ ସ୍କୁଟର, ଏକ ମୋବାଇଲ ଫୋନ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଏବେ ବି ଫେରାର ଅଛନ୍ତି। ସୂଚନା ଯୋଗ୍ୟ, ବ୍ରାହ୍ମଣ ଝରିଲୋ ବଜାରରେ ଫର୍ନିଚର ଦୋକାନ କରିଥିବା ସେହି ଗ୍ରାମର ଦିବ୍ୟଲୋଚନ ସାହୁଙ୍କୁ ୨ଲକ୍ଷ ଟଙ୍କା ଦାଦା ବଟି ପାଇଁ ଫୋନରେ ଧମକ ଆସୁଥିଲା ଓ ସେ ଉକ୍ତ ବଟି ନଦେବାରୁ ୨୪ତାରିଖ ସଂଧ୍ୟାରେ ଦୋକାନ ଉପରକୁ ବୋମାମାଡ଼ ହୋଇଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ନିଆଳି ଥାନା ଦିଘି ଅଞ୍ଚଳର ଗୋପୀନାଥ ପାତ୍ରକୁ ସନେ୍ଦହରେ ସଦର ପୁଲିସ ଗଙ୍ଗେଶ୍ୱରରୁ ଧରି ନେଇଥିଲା; ସେ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଆଜି ତା’କୁ ନିଆଳି ପୁଲିସକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *