ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ବିରୋଧୀ ଦଳର ୧୨୯ ଗିରଫ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁର ଗସ୍ତ ଅବସରରେ ବିରୋଧୀ ଦଳର ସ୍ଥାନୀୟ ନେତୃବୃନ୍ଦଙ୍କୁ ବହୁସଂଖ୍ୟାରେ ଗିରଫ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଗମନର ଅବ୍ୟବହିତ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସହିତ କେତେକ ନେତାଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଅନୁସାରେ ଆଗୁଆ ଗିରଫ କରାଯାଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ ପାଇଁ ସମବେତ ହୋଇଥିବା ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଗିରଫ କରାଯାଇଥିଲା। ମୋଟ ୧୨୯ ଜଣଙ୍କୁ ଗିରଫ କରାଯାଇ ଶାସନ, କ୍ଷେତରାଜପୁର, ବୁର୍ଲା ଥାନା  ଆଦି ସ୍ଥାନରେ ରଖାଯାଇଥିଲା। ବୁର୍ଲାରେ ୨୫ ଜଣ ଗିରଫ ହୋଇଥିବା ବେଳେ ସମ୍ବଲପୁରରେ ୧୦୪ ଜଣ ଗିରଫ ହୋଇଥିଲେ। ଏଥିରୁ ୧୮ ଜଣ ହେଉଛନ୍ତି ମହିଳା। ବିଜେପିର ୧୬ ଜଣ ମହିଳା ନେତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ କଂଗ୍ରେସରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ବୁର୍ଲାରେ କଂଗ୍ରେସର ୧୧ ଜଣ ଗିରଫ ହୋଇଥିବା ବେଳେ ସମ୍ବଲପୁର କଂଗ୍ରେସର ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ମହିଳା। ବିଜେପିରୁ ଗିରଫ ହୋଇଥିବା ୧୧୫ ଜଣଙ୍କ ମଧ୍ୟରୁ ବୁର୍ଲାରେ ଗିରଫ ହୋଇଥିବା ୧୪ ଜଣ ଯାକ ପୁରୁଷ ହୋଇଥିବା ବେଳେ ସମ୍ବଲପୁରରେ ବିଜେପିର ୮୫ ଜଣ ପୁରୁଷ ଏବଂ ୧୬ ଜଣ ମହିଳା ନେତ୍ରୀ ପୋଲିସ ଦ୍ୱାରା ଅଟକ ଥିଲେ। ଗତକାଲି ଠାରୁ ଅଟକ ଥିବା ପ୍ରମୁଖ ବିଜେପି ନେତାଙ୍କ ମଧ୍ୟରେ ଜୟନାରାୟଣ ମିଶ୍ର, ନାଉରୀ ନାଏକ, ଗିରିଶ ପଟେଲ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଶରତ ସାହୁ, ଫଣୀଭୂଷଣ ମିଶ୍ର, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି ଆଦି ଅନ୍ତର୍ଭୁକ୍ତ। ଆଜି ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ବିଜେପିର ସର୍ବଭାରତୀୟ ସମ୍ପାଦକ ସୁରେଶ ପୂଜାରୀ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଦାମୋଦର କର, ସୂର୍ଯ୍ୟ ପାଣିଗ୍ରାହୀ, ସବିତା ନନ୍ଦ, ଭାରତୀ ପଣ୍ଡା, ଓବିସି ମୋର୍ଚ୍ଚାର ସରୋଜ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ବିଜୟ ଅଗ୍ରୱାଲ। କଂଗ୍ରେସର ସୁରେଖା ସାହୁଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *