Home ଓଡ଼ିଶା ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ

ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ

512

ଭୁବନେଶ୍ୱର;୧୪,ଅକ୍ଟୋବର:ସଙ୍ଗଠନରୁ ଶକ୍ତି ଆସିଥାଏ।ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି।୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ ଖୋଜିଥିଲେ।ଅନେକ ଚିନ୍ତନ ପରେ ସେ ଏହି ନିର୍ଯ୍ୟାସରେ ପହଁଚିଥିଲେ, ଯେ ପର୍ଯନ୍ତ ଏହି ଦେଶର ପୁତ୍ର ରୂପୀ ହିନ୍ଦୁ ସମାଜ ଏକତ୍ରିତ ନ ହୋଇଛି ସେ ପର୍ଯ୍ୟନ୍ତ ଭାରତବର୍ଷ ବାରମ୍ବାର ପରାଧୀନ ହେଉଥିବ।ସେଥିପାଇଁ ଡକ୍ଟରଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା କରିଥିଲେ।ସେବେଠାରୁ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିର ମନ ମସ୍ତିଷ୍କରେ ଦେଶ ଭକ୍ତିର ଭାବ ଭରିଦେବା ଏବଂ ପ୍ରତ୍ୟେକ ଯୁବକର ବାହୁରେ ଶକ୍ତି ଭରିଦେବା ପାଇଁ ଚେଷ୍ଟା କରିଆସୁଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ସହ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାଶ କହିଛନ୍ତି।

ରବିବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଭୁବନେଶ୍ୱର ମହାନଗର ପକ୍ଷରୁ ବିଜୟା ଦଶମୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ ଯେ, ଶକ୍ତି ବିନା ଭକ୍ତି ଅସମ୍ଭବ।ଯେପରି ମହିଷାସୁରକୁ ବଦ୍ଧ କରିବ ପାଇଁ ଦେବତାମାନେ ସଂଗଠିତ ହୋଇ ମା’ ଦୁର୍ଗାଙ୍କୁ ଆରଧନା କରିଥିଲେ ଏବଂ ଦେବତା ମାନଙ୍କ ସଂଗଠିତ ଶକ୍ତି ଦ୍ୱାରା ମା’ ଦୁର୍ଗା ମହିଷାଶୁରକୁ ବଦ୍ଧ କରିଥିଲେ,ସେହିପରି ବର୍ତ୍ତମାନର ସମାଜରେ ସଂଗଠିତ ଶକ୍ତିର ଆବଶ୍ୟକତା ରହିଛି।ଛଳନାତ୍ମକ ଦେଶ ଭକ୍ତି ଆଉ ଚଳିବ ନାହିଁ।ଦେଶକୁ ବିକଶିତ କରିବାକୁ ହେଲେ ନିଷ୍କପଟ ଦେଶଭକ୍ତି ଆବଶ୍ୟକ।ଯାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ପ୍ରତିଷ୍ଠା ଦିନରୁ କରିଆସୁଛି।ଦେଶକୁ ମା’ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ।ସତ୍ୟ ଏକ କିନ୍ତୁ ପଥ ଅନେକ।ଯିଏ ହୀନ ମନ୍ୟତାକୁ ଗ୍ରହଣ କରେନାହିଁ ସିଏ ହିନ୍ଦୁ।ତେଣୁ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତି ଯାହାଙ୍କର ଉପାସନା ପଦ୍ଧତି ଯାହା ହେଉନା କାହିଁକି ତା’ ଭିତରେ ଯଦି ଦେଶଭକ୍ତିର ଭାବ ରହିଛି ସେ ହିନ୍ଦୁ ଅଟେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ହୋଟେଲ ମ୍ୟାନେଜମେଣ୍ଟ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିତିକଣ୍ଠ ମିଶ୍ର ଯୋଗଦେଇଥିଲେ।ଏହି ଅବସରରେ ସେ କହିଥିଲେ ଯେ,ବର୍ତ୍ତମାନର ଦୁନିଆରେ ଯେତେବେଳେ ମଣିଷ ନିଜ ଚିନ୍ତା ଛଡ଼ା ଅନ୍ୟ କିଛ ଚିନ୍ତା କରୁନାହିଁ ସେ ସମୟରେ ନିଜଠାରୁ ଦେଶକୁ ଅଧିକ ଭଲପାଉଥିବା ସ୍ୱୟଂସେବକମାନେ ମାର୍ଗଦର୍ଶକ ଅଟନ୍ତି।ଯଦି ଜଣେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ନ ଥିବ ସେ କେବେ ଦେଶର ବିକାଶ କରିପାରିବ ନାହିଁ।ତେଣୁ ଗୋଟିଏ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ତାର ନାଗରିକମାନେ ଶାରିରୀକ ଭାବେ ସୁସ୍ଥ ରହିବା ସହ ମାନସିକ ଭାବେ ମଧ୍ୟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ।କାର୍ଯ୍ୟକ୍ରମରେ ମହାନଗର ସଂଘଚାଳକ ଡକ୍ଟର ବସନ୍ତ ପତି ସଭାପତିତ୍ୱ କରିଥିଲେ।ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ୱାରା ଶାରିରୀକ ଏବଂ ଘୋଷର ପ୍ରଦର୍ଶନ ହୋଇଥିଲା।ଶେଷରେ ସ୍ୱୟଂସେବକମାନେ ପଥ ସଞ୍ଚଳନରେ ବାହାରି ନଗର ପରିକ୍ରମା କରିଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.