Home ଓଡ଼ିଶା ୧୭ରୁ ବିଜେପିର ୧୧ ଦିନିଆ ମହିଳା ସୁରକ୍ଷା ଯାତ୍ରା

୧୭ରୁ ବିଜେପିର ୧୧ ଦିନିଆ ମହିଳା ସୁରକ୍ଷା ଯାତ୍ରା

103

ଭୁବନେଶ୍ୱର ୧୦ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଜ୍ୟରେ ବଢ଼ି ଚାଲିଥିବା ମହିଳା ତଥା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଜେପି ପକ୍ଷରୁ ଅଧିକରୁ ଅଧିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉଛି।ମହିଳା ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ବୋଲି ବିଜେପି ଜନ ସାଧାରଣଙ୍କ ଭିତରେ ଜଣାଇବାକୁ ଚାହୁଁଛି। ନବୀନଙ୍କ କୁଶପୁତ୍ତଳିକା ଦାହ, ଦୀପଦାନ, କୋକେଇ ଯାତ୍ରା, କ୍ୟାଣ୍ଡେଲ ଯାତ୍ରା ଆଦି କରିବା ପରେ ବିଜେପି ମହିଳା ମୋର୍ଚ୍ଚା କରିବାକୁ ଯାଉଛି ମହିଳା ସୁରକ୍ଷା ଯାତ୍ରା। ୧୭ ତାରିଖରୁ ଆରମ୍ଭ ହୋଇ ଏହି ଯାତ୍ରା ୧୧ ଦିନ ପାଇଁ ଚାଲିବ। ମଝିରେ ୧୯ ଏବଂ ୨୦ ତାରିଖରେ ଯାତ୍ରା ବନ୍ଦ ରହି ପୁଣି ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ସମାପ୍ତ ହେବ। ରାଜ୍ୟର ସମସ୍ତ ସଂସଦୀୟ କ୍ଷେତ୍ର ଏହି ଯାତ୍ରା ପରିକ୍ରମା କରିବ। ଏବଂ ୧୦ ଲକ୍ଷ ମହିଳାଙ୍କ ପାଖରେ ସନ୍ଦେଶ ପହଞ୍ଚାଇବାର ଲକ୍ଷ ରଖିଛି ଦଳ। ରାଜ୍ୟ ସରକାର ଯେ, ମହିଳା ବିରୋଧୀ ବୋଲି ଜନ ସାଧାରଣଙ୍କ ମନରେ ଧାରଣା ସୃଷ୍ଟି କରିବା ସହ ଏହି ଯାତ୍ରା ମାଧ୍ୟମରେ ମହିଳା ନେତୃତ୍ବର ବିକାଶ ଘଟିବ ବୋଲି ଦଳ କହିଛି।

ବିଭିର୍ଣ୍ଣ ସଂସଦୀୟ କ୍ଷେତ୍ର ମଧ୍ୟରେ ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ର ନେତୃତ୍ୱ ବିଧାୟିକା ରାଧାରାଣୀ ପଣ୍ଡା ନେବେ। ସେହିପରି ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ନେତୃତ୍ୱ ସଙ୍ଗୀତା ସିଂଦେଓ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜର ନେତୃତ୍ୱ ଡଃ:ଲେଖାଶ୍ରୀ ସାମନ୍ତସିଂହାର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ନେତୃତ୍ୱ ସଭାନେତ୍ରୀ ପ୍ରଭାତୀ ପରିଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝରର ନେତୃତ୍ୱ ସୁକେସି ଓରାମ, ଭୁବନେଶ୍ୱର, ପୁରୀ, କନ୍ଧମାଳ ଏବଂ ବୌଦ୍ଧର ନେତୃତ୍ୱ ସୁରମା ପାଢ଼ୀ, ଆସ୍କା, ବ୍ରହ୍ମପୁର ଏବଂ କୋରାପୁଟର ନେତୃତ୍ୱ ଜୟନ୍ତୀ ପଢ଼ିଆରୀ ନେବେ ବୋଲି ଜଣାପଡ଼ିଛି।

ଏହି ଯାତ୍ରା ପାଇଁ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର ଜଣେ ସଂଯୋଜିକା ରହିବେ ଏବଂ ଏଥିରେ ନିର୍ବାଚନ ଲଢ଼ିଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ବିଜେପି ମୁଖ୍ୟାଳୟରେ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ନିୟତି ଗିରୀ ଏବଂ କାନନବାଳା ପଟ୍ଟନାୟକ ଉପସ୍ଥିତ ରହି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.