Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନେଇ ନିର୍ବାଚନୀ ବୈଠକ

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନେଇ ନିର୍ବାଚନୀ ବୈଠକ

112

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଆଜି ସଦ୍‌ଭାବନା ସମ୍ମିଳନୀ ଗୃହରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନେଇ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯୋଗଦେଇଥିବା ଉପଜିଲ୍ଲାପାଳ ପୀତାମ୍ବର ସାମଲ ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଆଜି ତା ୧-୧୧-୨୧ରେ ସମସ୍ତ ବୁଥ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିରେ ଭୋଟର ତାଲିକା ଚିଠା ପ୍ରକାଶ କରାଯିବା ନେଇ ସେ ସୂଚନା ଦେଇଥିଲେ । ଏଥିରେ ଥିବା ଭୁଲ୍ ଭଟକା ନେଇ ଆପତ୍ତି ଅଭିଯୋଗ ଓ ନୂତନ ଭୋଟର ତାଲିକାଭୁକ୍ତ ଆଦି କାର୍ଯ୍ୟପାଇଁ ୧-୧୧-୨୧ ସୋମବାର ଠାରୁ ୩୦-୧୧-୨୧ ମଙ୍ଗଳବାର ପର୍ଯ୍ୟନ୍ତ ଏକ ମାସର ସମୟପ୍ରଦାନ କରାଯାଇଛି । ଏଥି ପାଇଁ ନଭେମ୍ବର ୭ ଓ ୨୧ ଉଭୟ ରବିବାରରେ ସ୍ୱତନ୍ତ୍ର ଅଭିଯାନ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ଦିନ ଧାର୍ଯ୍ୟ କରାଯାଇଛି ।

୨୦-୧୨-୨୧ ସୋମବାର ସୁଦ୍ଧା ସମସ୍ତ ଦାବୀ, ଅଭିଯୋଗ ନେଇ କାର୍ଯ୍ୟ ସମାପନ କରାଯିବ । ଏହି ସଂଶୋଧନ ପାଇଁ ଫର୍ମ ନଂ ୬ ରେ ଭୋଟର ତାଲିକାରେ ନାମ ଦରଜ ପାଇଁ ୬’ଏ’ରେ ବିଦେଶରେ ରହୁଥିବା ଭାରତୀୟଙ୍କ ନାମ ଭୋଟର ତାଲିକାରେ ଦରଜ ପାଇଁ, ଫର୍ମ ୭ରେ ଭୋଟର ତାଲିକାରୁ ମୃତ୍ୟୁ ବା ସ୍ଥାନାନ୍ତର ଯୋଗୁଁ ନାମ ବାଦ୍ କରାଯିବା ପାଇଁ, ଫର୍ମ ୮ରେ ତାଲିକାରେ ଥିବା ଭୁଲ୍‌ର ସଂଶୋଧନ, ୮ଏ ରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସ୍ଥାନାନ୍ତର ପାଇଁ ଆବେଦନ କରାଯାଇ ପାରିବ । ୧-୧-୨୦୨୨ ସୁଦ୍ଧା ୧୮ ବା ତଦୁର୍ଦ୍ଧ ବୟସର ନାଗରିକମାନେ ନୂତନ ଭୋଟର ତାଲିକା ଭୁକ୍ତ ହୋଇପାରିବା ନେଇ ଜିଲ୍ଲାପାଳ ସୂଚନା ଦେବା ସହ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଜନ ସଚେତନତା ପାଇଁ ପ୍ରଚାର ପ୍ରସାର ନିମିତ୍ତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ଟୁଇଟର, ଫେସ୍‌ବୁକ୍ ଏବଂ ବ୍ଲକ, ବୁଥ ସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଏହାର ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଥିଲେ । ୫-୧-୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହି କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ ପାଇଁ ବୁଥ ସ୍ତରୀୟ ଏଜେଣ୍ଟମାନଙ୍କ ନାମ ତାଲିକା ଦୁଇ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୈଠକରେ ଅନୁରୋଧ କରାଯାଇଥିଲା । ଭୋଟର ତାଲିକା ସଂଶୋଧନ ପାଇଁ ଅନ୍ ଲାଇନ୍‌ରେ ଉପଲବ୍ଧ ସୁବିଧାକୁ ଉଦ୍ଦିଷ୍ଟ ଆପ୍ ର ବ୍ୟବହାର କରି ଉପଯୋଗ କରିପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା । ରାଜନୈତିକ ଦଳର କର୍ମକର୍ତ୍ତା ଭାବେ ବିଜେଡ଼ିରୁ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଉପସଭାପତି ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ମଳୟ ଜେନା, ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ସି.ପି.ଆଇ(ଏମ୍‌) ରୁ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ, କଂଗ୍ରେସ ରୁ ପ୍ରଦ୍ୟୁମ୍ନ ଦାସ, ସି.ପି.ଆଇ ର ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି, ସିପିଆଇଏମ୍ ରୁ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.