Home ଓଡ଼ିଶା ସଙ୍ଗଠନ ବନାମ ଚେହେରା: କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?

ସଙ୍ଗଠନ ବନାମ ଚେହେରା: କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?

143

ଭୁବନେଶ୍ୱର(ଦେବଦତ୍ତ ରଥ):କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା?୨୦୧୯ରେ ଓଡ଼ିଶାରେ ବିଜେପି ସଙ୍ଗଠନ ଶକ୍ତିରେ ଲଢ଼ିବ ନାଁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଲଢ଼ିବ?ମୁଖ୍ୟମନ୍ତ୍ରୀ ଚେହେରା ହେଲେ କିଏ ସେହି ଚେହେରା?ଏହିପରି କିଛି ପ୍ରଶ୍ନ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜେଡି, କଂଗ୍ରେସ ଏବଂ ରାଜନୀତିରେ ରୁଚି ରଖୁଥିବା ଓଡ଼ିଶାର ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି।ବିଜେପିର ଏନେଇ ରଣନୀତି କ’ଣ ରହିବ ତାର ସୁରାଗ କେହି ପାଇ ପାରୁ ନାହାଁନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଭିତରେ ଉଭୟ କେବେବି ସେହିପରି କିଛି ବି ସୂଚନା ଦେଇ ନାହାଁନ୍ତି।କିନ୍ତୁ ବିଜେପି ଦଳ ଭିତରେ ଏହି ପ୍ରସଙ୍ଗଟି ଏବେ ସବୁଠାରୁ ଆଲୋଚନାର ବିଷୟ ହୋଇଥିବା ବେଳେ ଉଭୟ ବିଜେଡି, କଂଗ୍ରେସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଏହା ଗୁରୁତ୍ୱ ବହନ କରୁଛି।

ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି, ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ଦଳ ଭିତରେ ଏକ ଗୋଷ୍ଠି ପ୍ରଚାର କରୁଛନ୍ତି।ଦେଶର ଅଧିକାଂଶ ରାଜ୍ୟରେ ଏପରିକି ସଙ୍ଗଠନ ସଦୃଢ଼ ଥିବା ସ୍ଥାନରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି ଘୋଷଣା ନକରି ନିର୍ବାଚନ ଜିତିଛି।ବରଂ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିବା ରାଜ୍ୟରେ ନିର୍ବାଚନ ହାରିଛି।ଏପରିକି ହିମାଚଳ ପ୍ରଦେଶ ପରି ସ୍ଥାନରେ ବିଜେପି ଜିତିଛି କିନ୍ତୁ,ଚେହେରା ହାରି ଯାଇଛି।ଏହାକୁ ଦେଖିଲେ ଓଡ଼ିଶାରେ ଯେ ବିଜେପି ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ,ତେଣୁ ଏଠି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ନେଇ ସନ୍ଦେହ ସୃଷ୍ଟି ହେଉଛି।

ଓଡ଼ିଶା ବିଜେପି ଏବେ ସଂପୂର୍ଣ୍ଣ ବ୍ୟକ୍ତି କେନ୍ଦ୍ରିକ ହୋଇଯାଇଛି।ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ରବର ଷ୍ଟାମ୍ପ ବୋଲି ଆଲୋଚନା ହେଉଛି।ସେ ସବୁ ନିଷ୍ପତି ଧର୍ମେନ୍ଦ୍ରଙ୍କ ନିର୍ଦ୍ଧେଶରେ ନିଅନ୍ତି।ରାଜ୍ୟ ବିଜେପି ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ହିଁ ଚାଲୁଛି ବୋଲି ସମସ୍ତେ ଜାଣନ୍ତି।ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଏବଂ କଂଗ୍ରେସ ଭିତରେ ବିଜେପି ସଭାପତି ସବୁଠାରୁ ଦୁର୍ବଳ ସଭାପତି ବୋଲି ଖୋଦ ଦଳ ମଧ୍ୟରେ ମଧ୍ୟ ଆଲୋଚନା ହେଉଛି।

ଧର୍ମେନ୍ଦ୍ରଙ୍କ ପ୍ରତିଦ୍ବନ୍ଦି କୁହାଯାଉଥିବା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଦଳ ଭିତରେ କିଛି ଔକାତ ହିଁ ନାହିଁ।ସେ ହିଁ ଏକ ମାତ୍ର ନିର୍ବାଚିତ ସାଂସଦ ହୋଇଥିଲେ ମଧ୍ୟ ତାଙ୍କର ଗୁରୁତ୍ୱ କିଛି ନାହିଁ।ସେ ନିଜେ ହିଁ ତାଙ୍କ ଗୁରୁତ୍ୱ କମାଇ ବସିଛନ୍ତି।ସେ କେବଳ ଏବେ ସୁନ୍ଦରଗଡ଼ ଭିତରେ ସୀମିତ ହେଇ ଗଲେଣି।ଧର୍ମେନ୍ଦ୍ର ତାଙ୍କ ବିଭାଗର କାମ ହେଉ ଅବା ଜୁଏଲ ତାଙ୍କ ବିଭାଗର କାମ ହେଉ,ଏହାକୁ ଛାଡ଼ି କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗର ଓଡ଼ିଶାରେ ହେଉଥିବା କାମର ଶ୍ରେୟ ନେବାକୁ ଧର୍ମେନ୍ଦ୍ର ହିଁ ଆଗରେ ଠିଆ ହୋଇ ଯାଉଛନ୍ତି।ଜୁଏଲ ଥଳକୂଳ ପାଉ ନାହାଁନ୍ତି।ଏବେ କୁଆଡ଼େ ଜୁଏଲ ବି କହିବାର ଶୁଣିବାକୁ ମିଳିଲାଣି ଯେ କେନ୍ଦ୍ର କୁଆଡ଼େ ଓଡ଼ିଶା କଥା ବୁଝିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେଇଛି।ତେବେ ପୂର୍ବରୁ ଧର୍ମେନ୍ଦ୍ରଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଗଣା ଯାଉଥିବା ଜୁଏଲ ଏବେ ଧୀରେ ଧୀରେ ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରି ସାରିଥିବା ପରି ଜଣାପଡ଼ୁଛି।ଏଭିତରେ ଜୁଏଲଙ୍କୁ ବାନ୍ଧି ରଖିବାକୁ ଧର୍ମେନ୍ଦ୍ର ଭିତରେ ଭିତରେ ଏକ ମାଷ୍ଟର ପ୍ଲାନ କରି ତାଙ୍କୁ ନିରବ କରାଇ ଦେବାର ବ୍ୟବସ୍ଥା କରି ସାରିଛନ୍ତି ବୋଲି ଆଲୋଚନା ହେଉଛି।
ବାସ୍ତବରେ ଓଡ଼ିଶା ଜନ ସାଧାରଣଙ୍କ ଭିତରେ ସିନା ଗ୍ରହଣୀୟ ହୋଇ ନପାରି ଧର୍ମେନ୍ଦ୍ର ନିର୍ବାଚନ ଜିତି ପାରି ନାହାଁନ୍ତି,କିନ୍ତୁ ଦଳ ଭିତରେ ନିଜର ପ୍ରଚାର କରାଇବାରେ ସେ ଖୁବ୍ ପାରଙ୍ଗମତା ଦେଖାଇ ପାରିଛନ୍ତି।ରାଜ୍ୟ ସଭାପତି ଭାବରେ ନିଜର ଜଣେ ଡୋମିଙ୍କୁ ବସାଇବା ସହ ରାଜ୍ୟ କମିଟି,ବିଭିର୍ଣ୍ଣ ମୋର୍ଚ୍ଚା,ଜିଲ୍ଲା ସଭାପତି ଆଦି ସବୁ ସ୍ଥାନରେ ନିଜର ଲୋକଙ୍କୁ ଅବସ୍ଥାପିତ କରାଇଛନ୍ତି। ସେ ଯାହାକୁ ଚାହୁଁଛନ୍ତି ରାତି ଅଧରେ ତାଙ୍କୁ ରାଜ୍ୟ କମିଟିକୁ ନିଆଯାଉଛି। ଯିଏ ଦଳରେ ପୁରୁଣା ଏବଂ ସଙ୍ଗଠନରେ ଯେତେ ଦକ୍ଷ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରତି ଆନୁଗତ୍ୟତା ନଥିଲେ କୋଣ ଠେସା ହେଇ ଯାଉଛି। ନିଜ ନିଜ ଅଞ୍ଚଳରେ ଗୁରୁତ୍ୱ ନଥିବା ଏବଂ ପରିଚିତ ନଥିବା କିଛି ନେତା ଧର୍ମେନ୍ଦ୍ରଙ୍କ ପ୍ରତି ଆନୁଗତ୍ୟ କାରଣରୁ ରାଜ୍ୟରେ ପଦ ପଦବୀ ମାଡ଼ି ବସିଛନ୍ତି।ଦଳ ଭିତରେ ଅନେକ ବିଶୃଙ୍ଖଳା ରହିଛି। କିନ୍ତୁ ଭୟରେ କେହି ସ୍ୱର ଉତ୍ତୋଳନ କରୁ ନାହାଁନ୍ତି। ଯଦି ବା କେହି କହିବାକୁ ଚାହୁଁଛି, ଦଳୀୟ ଶୃଙ୍ଖଳା ନାମରେ ତାର ସ୍ୱରକୁ ଚାପି ଦିଆଯାଉଛି। “ଚୋର ମା’ ଦୁଆର ଦେଇ କାନ୍ଦିଲା ପରି”  ସ୍ଥିତି ବିଜେପି ଭିତରେ ଉପୁଜିଛି। ରାଜ୍ୟରେ ଯେପରି ରାଜ୍ୟ ସଭାପତି ଗୁରୁତ୍ୱହିନ ଏବଂ ମନ୍ତ୍ରୀ ପ୍ରଧାନ ସର୍ବେସର୍ବା ହେଇଛନ୍ତି ସମାନ ସ୍ଥିତି ରାଜ୍ୟସାରା ମଧ୍ୟ ଦେଖାଯାଉଛି। ଜିଲ୍ଲା ସଭାପତିମାନେ ଗୁରୁତ୍ବହୀନ ହୋଇ ବିଧାନସଭା ନେତା ଶକ୍ତିଶାଳୀ ହୋଇ ଯାଇଛନ୍ତି। କିନ୍ତୁ ପ୍ରାୟ ସବୁ ସ୍ଥାନରେ ଏକାଧିକ ନିଜକୁ ବିଧାନସଭା ନେତା ଭାବୁଥିବାରୁ ଭଦ୍ରକ, ନୟାଗଡ଼ ପରି କେତକ ସ୍ଥାନରେ ଦଳ ଭିତରେ ଭିତରେ ଗଣ୍ଡଗୋଳ ଘଟୁଛି। ମୁଣ୍ଡ ଫଟାଫଟି ହେଉଛନ୍ତି।ଏହିପରି ଘଟଣା ଆହୁରି ଅନେକ ସ୍ଥାନରେ ଦେଖିବାକୁ ବାକି ରହିଛି।ଏବେଠାରୁ ଯଦି ଏତେ ବିବାଦ ଟିକେଟ ବଣ୍ଟନ ପରେ ଯେ କ’ଣ ହେବ ତାହା ଅନୁମେୟ।

ଏଭିତରେ ରାଜ୍ୟ ସଭାପତି ପରିବର୍ତ୍ତନ ହେବା କଥା ଆଲୋଚନା ହୋଇ ହୋଇ ରହି ଯାଇଛି। ସଂଘ ଏବଂ ତୃଣମୂଳ ସଙ୍ଗଠନ ସଭାପତି ପରିବର୍ତ୍ତନ ଚାହୁଁଛି। ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ଏନେଇ ଉପଯୁକ୍ତ ମଣୁଥିବା ଆଲୋଚନା ହେଇ ଆସୁଛି। କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ଶକ୍ତିଶାଳୀ ଗୋଷ୍ଠି ଏହା ଆଦୌ ଚାହୁଁ ନାହାଁନ୍ତି। ଜୁଏଲ ନୁହଁ ପ୍ରତାପ ଷଡ଼ଙ୍ଗୀ ଏବେ ଧର୍ମେନ୍ଦ୍ରଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି। ଅମିତ ଶାହାଙ୍କ ଭୁବନେଶ୍ୱର ଗସ୍ତ ସମୟରେ ସେ ୟୁବିଏସଏସ କାର୍ଯ୍ୟାଳୟ ଯାଇ ରାଜ୍ୟର ସଂଘ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ।କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ନେତୃତ୍ୱ ପରିବର୍ତ୍ତନ ପାଇଁ ସଂଘ ପରାମର୍ଶ ଦେଇଥିବା କଥା ଆଲୋଚନା ହେଉଛି। କେବଳ ଏହି କାରଣରୁ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାରକ ଦେବାକୁ ସଂଘ ଶାହାଙ୍କୁ ରୋକଠୋକ ମନା କରିଦେଇଥିବା ଆଲୋଚନା ହେଉଛି।

ତେବେ ଏଭିତରେ କିନ୍ତୁ ଧର୍ମେନ୍ଦ୍ର ରାଜ୍ୟ ବିଜେପିର ପ୍ରତ୍ୟକ କଥାରେ ଏବଂ କେନ୍ଦ୍ର ସରକାରଙ୍କର ଅନ୍ୟାନ୍ୟ ବିଭିର୍ଣ୍ଣ ଯୋଜନାରେ ଆଗୁଆ ପଡ଼ି ନିଜେ ସବୁ ଶ୍ରେୟ ନେଇ ଚାଲିଛନ୍ତି। ସେ ହିଁ ରାଜ୍ୟ ବିଜେପିର ଏକ ମାତ୍ର ତଥା ଅପପ୍ରତିଦ୍ୱନ୍ଦୀ ନେତା ବୋଲି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ପ୍ରତୟମାନ କରିବାକୁ ଅହରହ ପ୍ରଚେଷ୍ଟା କରୁଛନ୍ତି।କିନ୍ତୁ ଦଳ ଭିତରେ ଅନେକ ସଙ୍ଗଠନ ବିଚାରର କାର୍ଯ୍ୟକର୍ତ୍ତା ଏହାକୁ ପସନ୍ଦ କରୁ ନାହାଁନ୍ତି।ବିଜେପି ପକ୍ଷରୁ ଚାଲିଥିବା “ସଂପର୍କ ଫର ସମର୍ଥନ” ଯୋଜନାରେ ନେତା/କାର୍ଯ୍ୟକର୍ତ୍ତାମାନେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଭେଟି ବିଜେପିର ସଫଳତା ସମ୍ବଳିତ ଏକ ପୁସ୍ତିକା ଦେଉଛନ୍ତି।କିନ୍ତୁ କେନ୍ଦ୍ରରେ ବିଜେପି ପ୍ରତି ସମର୍ଥନ ଜଣାଉ ଥିବା କିଛି ବିଶିଷ୍ଟ ବ୍ୟକ୍ତି ରାଜ୍ୟରେ କିଏ ନେତୃତ୍ୱ ନେବ ନେଇ ପ୍ରଶ୍ନ କରିବା ସହ ଉତ୍ତର ପାଇଲା ପରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି।

ଏ ଭିତରେ କେତେକ ଧର୍ମେନ୍ଦ୍ରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ କେତେକ ବିରୋଧ କରୁଛନ୍ତି।ଏବେ ଏହି ପ୍ରଚାର/ଅପପ୍ରଚାର ପାଇଁ ୱେବ ପୋର୍ଟାଲର ମଧ୍ୟ ସହାୟତା ନିଆ ଯାଉଛି।କିଏ ଧର୍ମେନ୍ଦ୍ର ହିଁ ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କେନ୍ଦ୍ର ନିଷ୍ପତି ନେଇ ସାରିଲାଣି ବୋଲି କହୁଥିବା ବେଳେ କିଏ ଏହାକୁ ଖଣ୍ଡନ କରି ଲେଖୁଛି। ବିଜେପି ଭିତରେ ଭିତରେ ଏନେଇ ଏକ ଲଢ଼େଇ ଚାଲିଛି। ସଂଘ ବିନା ବିଜେପିର ଅସ୍ଥିତ୍ୱ କିଛି ନାହିଁ। ତେଣୁ ଏ ଭିତରେ ଧର୍ମେନ୍ଦ୍ରଙ୍କ ସପକ୍ଷରେ ପ୍ରଚାର କରୁଥିବା ପକ୍ଷ ବୋଧେ ବିଜେପି ସହ ସଂଘର ସଂପର୍କ କ’ଣ ଜାଣି ନପାରି ଧର୍ମେନ୍ଦ୍ରଙ୍କ ପ୍ରଚାର କରିବାକୁ ଯାଇ ସଂଘକୁ ନୀଚା ଦେଖାଇବାକୁ ପଛାଉ ନାହାଁନ୍ତି। ଓଡ଼ିଶାରେ ସଂଘ ସ୍ଥିତି ଦୁର୍ବଳ, ତେଣୁ ଅମିତ ଶାହା ସଂଘ କଥାକୁ ଗୁରୁତ୍ୱ ନଦେଇ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ନିଶ୍ଚିତ ବୋଲି ପ୍ରଚାର କରାଯାଉଛି। ଏପରି ପରିସ୍ଥିତି ଧର୍ମେନ୍ଦ୍ରଙ୍କ ପାଇଁ ଖୁବ୍ ଘାତକ ହୋଇ ପାରେ, ନହେଲେ ଓଡ଼ିଶାରେ ସଂଘ ଏବଂ ବିଜେପି ଭିତରେ ଏପରି ଏକ ଦୂରତା କରିଦେଇ ପାରେ ଯାହାର ଭରଣା କରିବା ଖୁବ୍ କଷ୍ଟସାଧ୍ୟ ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.