Home ଓଡ଼ିଶା ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ : ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ...

ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ : ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଛିନତାଇ ଅଭିଯୋଗ

122

କେନ୍ଦ୍ରାପଡା ୧୫/୧ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ପବିତ୍ର ମକର ସଂକ୍ରାନ୍ତି ଓ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ପାଇଁ ସୋମବାର ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ମନ୍ଦିରରେ ଦିନତମାମ୍ ଶ୍ରଦ୍ଧାଳୁଙ୍କର ନାହିଁନଥିବା ଭିଡ ପରିଲିଖିତ ହୋଇଛି। ରବିବାର ରାତିରେ ଆରମ୍ଭ ହୋଇଥିବା ନବାଙ୍ଗ ବେଢା ପରିକ୍ରମା ଉତ୍ସବ ସୋମବାର ସଂଧ୍ୟାରେ ଶେଷ ହୋଇଛି। ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ ଆଜି ସକାଳ ସାଢେ ୫ଟା ସମୟରେ ମନ୍ଦିରର ପହୁଡ ଫିଟାଯାଇ ମଙ୍ଗଳ ଆରତୀ କରାଯାଇଥିଲା। ସକାଳ ସାଢେ ୬ଟା ସୁଦ୍ଧା ନୀତିସ୍ନାନ କରାଯାଇ ସାଢେ ୭ଟା ବେଳେ ଶ୍ରୀଜୀଉମାନଙ୍କୁ ଗୋପାଳ ବଲ୍ଲଭ ଧୂପ ଅର୍ପଣ କରାଯିବା ବେଳକୁ ମନ୍ଦିର ବେଢାରେ ଭିଡ ଜମି ଯାଇଥିଲା। ଅପରାହ୍ନ ସାଢେ ୩ଟା ସମୟରେ ମକର ବେଢା ପରିକ୍ରମାର ଆରମ୍ଭ ହୋଇଥିଲା। ମନ୍ଦିର ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୃତ କରାଯାଇଥିବା ୮୪ ମକର ଭୋଗକୁ ମହାଲକ୍ଷ୍ମୀଙ୍କ ଭଣ୍ଡାର ଘରକୁ ନିଆଯାଇଥିଲା। ଏହାପରେ ବଡପଣ୍ଡା ସାହି, ଚର୍ଚେଇତ ସାହି, କରସାହି ଓ ସୁଆର ସାହିର ୪ ସେବାୟତ ୪ଟି ରୂପା ଥାଳିରେ ୮୪ ପ୍ରକାରର ବ୍ୟଞ୍ଜନ ନେଇ ମହାପ୍ରଭୁଙ୍କ ଶ୍ରୀଚରଣକୁ ଯାଇଥିଲେ। ସେଠାରେ ଆଜ୍ଞାମାଳ ପ୍ରାପ୍ତ କରିବାପରେ ଏକ ସୁସଜ୍ଜିତ ପଟୁଆରରେ ବ୍ୟଞ୍ଜନ ଥାଳିଗୁଡିକୁ ମୁଣ୍ଡରେ ଧରି ସେବାୟତମାନେ ବେଢା ପରିକ୍ରମା ଆରମ୍ଭ କରିଥିଲେ। ବେଢା ଭିତରେ ଥିବା କୀର୍ତ୍ତନ ଦଳ ଗୁଡିକ ଏହି ପଟୁଆରକୁ ପାଛୋଟି ନେଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ପଟୁଆର ପଛରେ ବେଢା ପରିକ୍ରମା କରିଥିଲେ। ନବାଙ୍ଗ ବେଢା ପରିକ୍ରମା ଭିତରୁ ଗତକାଲି ୫ଥର ବେଢା ପରିକ୍ରମା କରାଯାଇଥିବାରୁ ଆଜି ଆଉ ୪ଥର ବେଢା ପରିକ୍ରମା କରାଯାଇଥିଲା। ଏହା ପରେ ୮୪ ବ୍ୟଞ୍ଜନକୁ ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଥିଲା। ବ୍ୟଞ୍ଜନ ଅର୍ପଣ ପରେ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଲାଗିରହିଥିଲା।

ରାତି ପ୍ରାୟ ୧୧ଟାବେଳେ ଶ୍ରୀଜୀଉମାନଙ୍କୁ ବଡ ସିଂହାର ବେଶ କରାଯାଇ ପହୁଡ ପକାଯାଇଥିଲା। ଆଜି ଦିନତମାମ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କ ସଂଖ୍ୟା ଲକ୍ଷାଧିକ ଥିବାର ଦେଖାଯାଇଛି। ଏଠାରେ ସୂଚନା ଯୋଗ୍ୟଯେ ବାପଘର ଲୋକଙ୍କ ସହ ପୁଷମାସ ଟିଏ ବିତାଇବା ପରେ ଦେବୀ ମହାଲକ୍ଷ୍ମୀ ମକର ସଂକ୍ରାନ୍ତିର ପୂର୍ବ ସଂଧ୍ୟାରେ ଶ୍ରୀମନ୍ଦିରକୁ ଫେରିଥାଆନ୍ତି। ଏଇ ମାସଟି ଯାକ ମହାପ୍ରଭୁ ଦେବୀ ଲକ୍ଷ୍ମୀଙ୍କ ସେବାରୁ ବଂଚିତ ହେଉଥିବାରୁ ପୁଷମାସରେ ମହାପ୍ରଭୁଙ୍କ ମାଉସୀ ଶ୍ରୀଜୀଉମାନଙ୍କୁ ପ୍ରତିଦିନ ଶାଗ, ମିଷ୍ଟାନ୍ନ ଓ ପୋଡପିଠା ତିଆରି କରି ଖୁଆଇ ଥାଆନ୍ତି। ଶ୍ରୀବଳଦେବଜୀଉ ମନ୍ଦିରର ଏହି ଅବସରରେ ପୋଡପିଠା, ଖିରି, ପୁରୀ ପ୍ରଭୃତି ସ୍ୱତନ୍ତ୍ର ପକୁଡି ଭୋଗ କରାଯାଇଥାଏ।

ତୁଳସୀ କ୍ଷେତ୍ର ଓ ଏହାର ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମାସଟିଯାକ ପକୁଡି ଧୂପଭୋଗ ସମୟର ହାଡଭଙ୍ଗା ଶୀତ ସତ୍ତ୍ୱେ ଶ୍ରୀଜୀଉଙ୍କ ମନ୍ଦିରକୁ ଆସି ମାନସିକ ଭୋଗ ଅର୍ପଣ କରିଥାଆନ୍ତି। ମକରର ପୂର୍ବଦିନ ମହାଲକ୍ଷ୍ମୀ ଫେରିବା ପରେ ବାପଘରୁ ଆଣିଥିବା ୮୪ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ମନ୍ଦିର ବେଢାର ୫ଥର ପ୍ରଦକ୍ଷିଣ କରିଥାଆନ୍ତି। ମକର ସଂକ୍ରାନ୍ତିରେ ପରମ୍ପରା ମୁତାବକ ଦେବୀ ୮୪ ବ୍ୟଞ୍ଜନ ସହ ଆଉ ୪ଥର ବେଢା ପ୍ରଦକ୍ଷିଣ କରିବାପରେ ନବାଙ୍କ ବେଢା ପ୍ରଦକ୍ଷଣ ଉତ୍ସବ ଶେଷ ହୋଇଥାଏ। ପ୍ରବାଦ ଅଛି ଯେ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ଦେଖିଲେ ପିତୃ ପୁରୁଷମାନଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ମକର ସଂକ୍ରାନ୍ତି ଉପଲକ୍ଷେ ଭିଡକୁ ଲକ୍ଷ୍ୟକରି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମନ୍ଦିର ବେଢା ମଧ୍ୟରେ ଏତେ ଭିଡ ଥିଲାଯେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିଥିଲା। କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଟାଉନ୍ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୈାମ୍ୟରଞ୍ଜନ ଜାଲିଙ୍କ ସମେତ ପ୍ରାୟ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ମୃତୟନ ହୋଇଥିଲେ ମଧ୍ୟ ପ୍ରବଳ ଭିଡରେ ସୁନା ଚେନ୍ ଓ ହାର ଛିନତାଇ ହୋଇଥିବାର ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.