Home ଅପରାଧ ଲୌହ ଦାନବର ରକ୍ତ ଭୋଜି

ଲୌହ ଦାନବର ରକ୍ତ ଭୋଜି

3433

ଥିଲେ ଜଣେ ସେହି କଂଗ୍ରେସରେ ଶାସ୍ତ୍ରୀଜୀ;ଏବେ ବି ଅଛନ୍ତି ସେହି କଂଗ୍ରେସରେ କ୍ୟାପଟେନ ଅମରେନ୍ଦ୍ର,ସିଦ୍ଧୁ ଏବଂ ତାଙ୍କ ପତ୍ନୀ..
ଭୁବନେଶ୍ୱର;୨୦,ଅକ୍ଟୋବର:ଚଳିତ ବର୍ଷ ଦଶହରା ଏକ ଦୁଃଖ ଦେଇ ଚାଲିଗଲା।ସବୁକିଛି ଠିକଠାକ ଥିଲା।ସମସ୍ତେ ନବରାତ୍ର ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ପାଳନ କରି ଶେଷ ଦିନ ଦଶହରାକୁ ଖୁବ୍ ଖୁସିରେ ପାଳନ କରି ଅପେକ୍ଷା କରି ରହିଥିଲେ ରାବଣ ପୋଡ଼ିକୁ।କିନ୍ତୁ ରାବଣ ପୋଡ଼ି ସମୟରେ ଏକ ଦୁଃଖଦ ଘଟଣା ଘଟିଗଲା।”ଲୌହ ଦାନବର ରକ୍ତ ଭୋଜି”।ପଞ୍ଜାବର ଅମୃତସର ନିକଟରେ ରାବଣ ପୋଡ଼ି ଚାଲିଥିବା ସମୟରେ ଟ୍ରେନ ଚଢ଼ିଗଲା ଲୋକଙ୍କ ଉପରେ।ଲୋକ ତ’ ଆସିଥିଲେ ରାବଣ ପୋଡ଼ି ପାଇଁ,କିନ୍ତୁ ଏପରି କିଛି ଘଟିଗଲା ଯେ,ଏବେ କେହି ନିଜେ ପୋଡ଼ା ହେବା ଅପେକ୍ଷାରେ,ଏବଂ କେହି ନିଜ ଆତ୍ମୀୟଙ୍କୁ ପୋଡ଼ିବା ଅପେକ୍ଷାରେ।ଗୋଟେ କିମ୍ବା ଦୁଇଟି ନୁହେଁ ୬୦ରୁ ଉର୍ଦ୍ଦ୍ଵ ଶରୀରର ଖଣ୍ଡ ବିଖଣ୍ଡିତ ହୋଇଗଲା।କେହି କିଛି ଜାଣିବା ପୂର୍ବରୁ ନିମିଶକ ମଧ୍ୟରେ ସବୁ ଘଟିଗଲା।ଅତ୍ୟନ୍ତ ଭୟାବହଃ ଦୃଶ୍ୟ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହୁଏତ ଏପରି ଦୃଶ୍ୟ ଥରେ ଘଟିଥିଲା,୧୯୪୭ ମସିହା ଭାରତ ପାକିସ୍ଥାନ ବିଭାଜନ ସମୟରେ।ରେଳଧାରଣାର ଉଭୟ ପାର୍ଶ୍ଵରେ କେଉଁଠି ମୁଣ୍ଡ, କେଉଁଠି ହାତ,ଗୋଡ଼ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା।ପୁରୁଷ, ମହିଳା,ବୟସ୍କ, ଶିଶୁ କେହି ବାଦ ପଡ଼ିନଥିଲେ।ଘଟଣା ପରେ ଲୋକେ ନିଜର ଆତ୍ମୀୟ ସ୍ୱଜନର ଶରୀରକୁ ଖୋଜୁଥିଲେ,କେଉଁଠି କେଉଁ ଅଙ୍ଗ ପଡ଼ିଛି।ମନ ମସ୍ତିଷ୍କକୁ ବିଚଳିତ କରିଦେଲା ପରି ଦୃଶ୍ୟ।ଅନେକ ଗୁରୁତ୍ୱର ଆହତ ହୋଇ ଏବେ ବି ଚିକିତ୍ସାଧିନ ଅଛନ୍ତି।ମୃତ୍ୟୁ ସଂଖ୍ୟା ବଢୁଛି।

ତେବେ ଏତେ ବଡ଼ ଅଘଟଣ ପାଇଁ ଦାୟୀ କିଏ?କୋଉ ହିସାବରେ ରେଳଧାରଣା କଡ଼ରେ ଏତେବଡ଼ ଆୟୋଜନ ହେଉଥିଲା?ଏତେ ଲୋକଙ୍କର ସମାଗମ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଲା କେମିତି?କୁହାଯାଉଛି ଏଥିପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନିଆଯାଇ ନଥିଲା।ତେବେ ବି କ’ଣ ଜିଲ୍ଲା ପ୍ରଶାସନ ଏନେଇ ଅବଗତ ନଥିଲା?ଏବେ ପ୍ରଶ୍ନ ଉଠୁଛି ଆୟୋଜକଙ୍କ ଉପରେ।ଏତେ ବଡ଼ କାର୍ଯ୍ୟକ୍ରମ କରୁଥିବା ଆୟୋଜକଙ୍କର କ’ଣ ହିତାହିତ ଜ୍ଞାନ ନଥିଲା?ଏଥିରେ ପୁଣି ସାମିଲ ଥିଲେ ନବଜୋତ ସିଂ ସିଦ୍ଧୁଙ୍କର ପତ୍ନୀ ନବଜୋତ କୌର ସିଦ୍ଧୁ।ସେ ହିଁ ଥିଲେ ସେଠାରେ ମୁଖ୍ୟ ଅତିଥି।ଆୟୋଜକ ଥିଲେ କଂଗ୍ରେସ ଦଳର ସେଠାକାର କାଉନସିଲର।କିନ୍ତୁ ଅଘଟଣ ଘଟିବା କ୍ଷଣି ନବଜୋତ କୌର ସିଦ୍ଧୁ ଏବଂ ଆୟୋଜକ କଂଗ୍ରେସ କାଉନସିଲର ସେଠାରୁ ଖସି ପଳାଇଥିଲେ।ପରେ ନବଜୋତ କୌର ସିଦ୍ଧୁ ଡାକ୍ତରଖାନାକୁ ଯାଇ ନିଜ ଦୋଷ ଲୁଚାଇବାକୁ ଯାଇ କହିଲେ ଘଟଣା ଘଟିବାର ୧୫ ମିନିଟ ପୂର୍ବରୁ ସେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।ପରେ ଖବର ପାଇ ଡାକ୍ତରଖାନା ଯାଇଥିଲେ ଆହତଙ୍କର ସେବା ଶୁଶ୍ରୁଷା କରିବା ପାଇଁ।କି ମିଛ?କାରଣ ଦୁର୍ଘଟଣା ସମୟରେ ସିଦ୍ଧୁଙ୍କ ପତ୍ନୀ ଏବଂ ଆୟୋଜକ କାଉନସିଲର ଉଭୟ ସେଠାରେ ଉପସ୍ଥିତ ଥିଲେ।ଏବଂ ଲୁଚି ପଳାଇଥିଲେ।ଅବଶ୍ୟ ଦେଖିବାକୁ ଗଲେ ସିଦ୍ଧୁଙ୍କ ପତ୍ନୀ ଏବଂ କାଉନସିଲର ସେ ସ୍ଥାନ ଛାଡ଼ି ପଳାଇବା ତାଙ୍କ ପାଇଁ ହୁଏତ ଭଲ ଥିଲା।କାରଣ ଲୋକଙ୍କ ଭିତରେ ଯେଉଁ ପ୍ରକାର ଆକ୍ରୋଶ ଥିଲା ହୁଏତ ତାଙ୍କ ସହ କ’ଣ କିଛି ଗୋଟେ ଘଟି ଯାଇଥାଆନ୍ତା।

ଘଟଣା ପରେ ଚାଲିଛି ଆରୋପ ପ୍ରତ୍ୟାରୋପ।ରେଳ ବିଭାଗ ଦାୟୀ ନାଁ ଜିଲ୍ଲା ପ୍ରଶାସନ।ଏହି ଦୁର୍ଘଟଣା ରେଳ ଚଳାଚଳ,ରେଳ ଟ୍ରାକରେ ତୃଟି କାରଣରୁ ହୋଇ ନାହିଁ।ଟ୍ରେନ ଆସିବାକୁ ଥିବାରୁ ନିକଟସ୍ଥ ଲେବଲକ୍ରସିଂ ଗେଟ ମଧ୍ୟ ବନ୍ଦ ଥିଲା।ରେଳ ଲାଇନରେ ଟ୍ରେନ ଯିବା ପାଇଁ ଆଉ କ’ଣ ରେଳ ବିଭାଗ ରାବଣ ପୋଡ଼ି ଆୟୋଜକଙ୍କ ଠାରୁ ଅନୁମତି ନେଇ ଥାଆନ୍ତେ?ନାଁ ରେଳଧାରଣା ଉପରେ ରାବଣ ପୋଡ଼ି ଉତ୍ସବ ପାଳନ ପାଇଁ ଟ୍ରେନ ଗୁଡ଼ିକୁ ବାତିଲ କରିଦିଆ ଯାଇଥାଆନ୍ତା?ଏସବୁ ନିର୍ଲଜଙ୍କର ମିଛ ବାହାନା।ସଂପୂର୍ଣ୍ଣ ଭୁଲ ଆୟୋଜକ ଏବଂ ଜିଲ୍ଲା ପ୍ରଶାସନର।କାର୍ଯ୍ୟକ୍ରମ ସ୍ଥଳୀ ଏବଂ ଟ୍ରେନ ଲାଇନ ମଧ୍ୟରେ ଏକ ୫ ଫୁଟର ପାଚିରୀ ଥିଲା।ଲୋକ ପାଚିରୀ ସେପଟେ ରେଳ ଧାରଣା ଉପରେ ଠିଆ ହୋଇ ରାବଣ ପୋଡ଼ି ଦେଖୁଥିଲେ।ମୋବାଇଲରେ ରେକର୍ଡ କରୁଥିଲେ।କାର୍ଯ୍ୟକ୍ରମ ସ୍ଥଳୀରେ ଲାଗିଥିବା ଏଲଇଡିଟିକୁ ଦର୍ଶକ ଫୋକସ ସ୍ଥଳୀ ଭାବରେ ରେଳ ଧାରଣା ଦିଗକୁ କରି ଲଗାଯାଇଥିଲା।ଏବଂ ଭାଷଣ ଭିତରେ ନବଜୋତ କୌର ସିଦ୍ଧୁ କହିଥିଲେ ଯେ ଆମ ରାବଣ ପୋଡ଼ି କେତେ ପପୁଲାର ଯେ ଲୋକେ ଟ୍ରେନ ଲାଇନ ଉପରେ ଠିଆ ହୋଇ ଦେଖୁଛନ୍ତି।

ତେବେ ଘଟଣା ଘଟିସାରିବା ପରେ ଉତ୍ତରଦାୟୀ ଲୋକ ମଧ୍ୟ ଦାୟିତ୍ୱହିନ ଜଣା ପଡୁଛନ୍ତି।ଘଟଣା ବାବଦରେ ସୂଚନା ପାଇ ଯେତେବେଳେ ରେଳମନ୍ତ୍ରୀ ପିୟୁସ ଗୋଏଲ ବିଦେଶ (ଆମେରିକା) ଗସ୍ତ ବାତିଲ କରି ତୁରନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଯୋଜନା କରୁଛନ୍ତି,ଯେତେବେଳେ କି ରେଳ ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀରୁ ତୁରନ୍ତ ଅମୃତସର ଅଭିମୁଖେ ଯାଇ ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ତଦାରଖ କରୁଛନ୍ତି,ରେଲୱେ ଡିଏମ ଘଟଣା ସ୍ଥଳକୁ ଯାଉଛନ୍ତି,ସେତେବେଳେ ପାଖରେ ଥାଇ ରାଜ୍ୟର ମୁଖିଆ,ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ ଘୋଷଣା କଲେ ପର ଦିନ ଯାଇ ପହଁଚିବେ ଘଟଣା ସ୍ଥଳରେ।କି’ ଦାୟିତ୍ୱହିନତା?କେଡ଼େ ଅଲାଜୁକ?ନବଜୋତ ସିଂ ସିଦ୍ଧୁ ସକାଳୁ ଡାକ୍ତରଖାନା ଯାଇ ଘଟଣାକୁ ନେଇ ରାଜନୀତି ନକରିବାକୁ କହି ନିଜେ ଅଲାଜୁକଙ୍କ ପରି ରାଜନୀତିର ଭାଷା କହୁଛନ୍ତି।ସାଧାରଣରେ କୌଣସି ସ୍ଥାନରେ ରେଳ ଦୁର୍ଘଟଣା ଘଟିଲେ ବିରୋଧୀ ରେଳମନ୍ତ୍ରୀଙ୍କର ଇସ୍ତଫା ତୁରନ୍ତ ଦାବି କରନ୍ତି।ଯେତେବେଳେ କି ଯାନ୍ତ୍ରିକ ତୃଟି କିମ୍ବା ରେଳ କର୍ମଚାରୀଙ୍କ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥାଏ।କିନ୍ତୁ ଏଠି ତ’ ଦାୟିତ୍ୱହିନତା,ଅସାବଧାନତା,ନୟମ ବହିର୍ଭୁତ କାର୍ଯ୍ୟକ୍ରମ ସବୁ କିଛି ଘଟିଛି।କିନ୍ତୁ ଯିଏ ଦୋଷୀ ସେ ପଶ୍ଚାତାପ କରିବ କ’ଣ ଓଲଟି ନିଜ ମୁଣ୍ଡରୁ ଦୋଷ ଛଡାଉଛି।ସାଧାରଣ ମାନବିକ କର୍ତ୍ତବ୍ୟ କରିବାରେ ମଧ୍ୟ ହେଳା କରୁଛି।ବାସ୍ତବରେ ଘଟଣା ସିନା ଘଟିଲା ପଞ୍ଜାବ, ଅମୃତସରରେ।କିନ୍ତୁ ଦଶହରା ପାଇଁ ଦେଶର ବିଭିର୍ଣ୍ଣ ସ୍ଥାନରେ ଉତ୍ସବ ମନାଉଥିବା ଲୋକେ ଯେତେବେଳେ ବିଳମ୍ବିତ ସନ୍ଧ୍ୟାରେ ଏ ଖବର ପାଇଲେ,ସେମାନଙ୍କର ମନ ଫିକା ପଡ଼ିଯାଇଥିଲା।ଉତ୍ସବ ପାଳନ ପାଇଁ ମନରେ ଆଗ୍ରହ କମି ଯାଇଥିଲା।ମନ,ମସ୍ତିଷ୍କକୁ ଘଟଣାଟି ଆନ୍ଦୋଳିତ କରିଦେଇଥିଲା।ଏଠି ମନେ ପଡ଼େ ଥିଲେ ଜଣେ ସେହି କଂଗ୍ରେସର, ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ।ଯିଏ ଏକ ରେଳ ଦୁର୍ଘଟଣା ପରେ ବ୍ୟଥିତ ହୋଇ ତୁରନ୍ତ ଇସ୍ତଫା ପତ୍ର ଦେଇଥିଲେ ନେହେରୁଙ୍କୁ।ଆଉ ଏବେ ଦେଖିବାକୁ ମଳିିଲା ସେହି କଂଗ୍ରେସର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ,ନବଜୋତ ସିଂ ସିଦ୍ଧୁ ଏବଂ ତାଙ୍କ ସାଂସଦ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କୁ।ଲଜ୍ଜା!ନୁହେଁ କି?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.