Home ଜିଲ୍ଲା ପରିକ୍ରମା ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ବଢୁନି ପୌରାଞ୍ଚଳ ପରିସୀମା, ଫାଇଦା ଉଠାଉଛନ୍ତି ଶିଳ୍ପସଂସ୍ଥା

ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ବଢୁନି ପୌରାଞ୍ଚଳ ପରିସୀମା, ଫାଇଦା ଉଠାଉଛନ୍ତି ଶିଳ୍ପସଂସ୍ଥା

32

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ବୃଦ୍ଧି ପାଉନାହିଁ ଭଦ୍ରକ ପୌରାଞ୍ଚଳର ପରିସୀମା । ୬୨ ବର୍ଷ ଧରି ଭଦ୍ରକ ନଗରାଞ୍ଚଳର ପରିସୀମା ଯାହା ଥିଲା, ସେଇଆ ରହିଛି । ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଗତି କରିଆସୁଛି ଏହି ପୌରପାଳିକା । ଦୋକାନ ଘର ଭଡା, ହୋଲଡିଂ ଓ ପାର୍କିଂ ଟ୍ୟାକ୍ସ, ଜଳକର, ଗୃହ ନିର୍ମାଣ ଅନୁମତି ସମୟରେ ଆଦାୟ ହେଉଥିବା ଅର୍ଥରାଶି ହେଉଛି ପୌର କର୍ତ୍ତୃପକ୍ଷଙ୍କ ନିଜସ୍ୱ ଆୟର ପନ୍ଥା । ତେଣୁ ସ୍ୱାଭାବିକ ଭାବରେ ପୌର କର୍ତ୍ତୃପକ୍ଷ ପ୍ରତ୍ୟେକ ବର୍ଷ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅନୁଦାନ ରାଶି ଉପରେ ନିର୍ଭର କରି ବସୁଛି । ସେହିପରି ଆସୁଥିବା ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ରାଶିକୁ ମଧ୍ୟ ଠିକ୍ ଭାବରେ ବିନିଯୋଗ କରାଯାଉନାହିଁ । ପୌରାଞ୍ଚଳର ଯେପରି ବିକାଶ ହେବା କଥା, ତାହା ସମ୍ଭବ ହୋଇପାରୁନାହିଁ । ପୌରାଞ୍ଚଳ ସଂଲଗ୍ନ ପଂଚାୟତ ଅଂଚଳରେ ଯେଉଁ ପରିମାଣରେ ବିକାଶର ଚିତ୍ର ଏବେ ଦେଖିବାକୁ ମିଳୁଛି, ସେତକ ପୌରାଞ୍ଚଳରେ ଦେଖିବାକୁ ମିଳୁନାହିଁ । ଅନ୍ୟ ଜିଲାର ପୌରାଞ୍ଚଳ କିପରି ମହାନଗର ନିଗମର ମାନ୍ୟତା ପାଇବ, ତାହାକୁ ନେଇ ସେ ସବୁ ଅଂଚଳରେ ସାମଗ୍ରୀକ ଉଦ୍ରମ ଜାରି ରହିଛି । ଭଦ୍ରକ ପୌରାଞ୍ଚଳର ଉନ୍ନତିରେ କ୍ରମାଗତ ଅବନତି ଦେଖିବାକୁ ମିଳୁଛି । କ୍ରମେ ଭଦ୍ରକ ପୌରାଞ୍ଚଳ ଅବ୍ୟବସ୍ତିତ ହୋଇଚାଲିଛି । ମୋଟାମୋଟି ଭାବରେ ପୌରାଞ୍ଚଳର ଆୟ ବଢିବା ଦିଗରେ ପୌର କର୍ତ୍ତୃପକ୍ଷ ବିଶେଷ କରି ରାଜନେତାମାନଙ୍କ ମଧ୍ୟରେ ଇଚ୍ଛାଶକ୍ତିର ଅଭାବ ଦେଖିବାକୁ ମିଳୁଛି ।

୧୯୬୦ ମସିହାରେ ୨୨ଟି ରାଜସ୍ୱ ଗ୍ରାମର ୩୦ ବର୍ଗ କିଲୋମିଟର ଅଂଚଳକୁ ନେଇ ଗଠିତ ହୋଇଥିଲା ଭଦ୍ରକ ବିଜ୍ଞାପିତ ଅଂଚଳ । ସେଥିରେ ରହିଥିଲା ମୋଟ ୨୧ଟି ୱାର୍ଡ । ଏହାର ୨୨ ବର୍ଷ ପରେ ଭଦ୍ରକ ବିଜ୍ଞାପିତ ଅଂଚଳକୁ ମିଳିଲା ପୌରାଞ୍ଚଳର ମାନ୍ୟତା । କିନ୍ତୁ ଏହି ସମୟରେ ଉକ୍ତ ନିର୍ଦ୍ଦିଷ୍ଟ ଅଂଚଳର ଭୋଗୌଳିକ ପରିସୀମାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ବରଂ ୨୧ ଟି ୱାର୍ଡକୁ ୩୦ଟି ୱାର୍ଡରେ ପରିଣତ କରି ଦିଆଗଲା । ଇତିମଧ୍ୟରେ ଭଦ୍ରକ ପୌରାଞ୍ଚଳ ସଂଲଗ୍ନ ଅଂଚଳରେ ଦ୍ରୁତ ବିକାଶ ଘଟି ଚାଲିଛି । ୨ଟି କୁ ଛାଡିଦେଲେ ପ୍ରାୟ ସମସ୍ତ ଆବାସିକ ମହାବିଦ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି ପଂଚାୟତ ଏରିଆରେ । ବହୁ ବଡବଡ ବ୍ୟବସାୟିକ ପ୍ରତିଷ୍ଠାନ ସହର ମଧ୍ୟରେ ସୋରୁମ୍ ଖୋଲିଲେ ବି ନିଜ ନିଜର ଗୋଦାମ ଘର ରଖିଛନ୍ତି ପଂଚାୟତ ଅଂଚଳରେ । ସେହିପରି ପ୍ରତ୍ୟେକ କ୍ଷେତ୍ରରେ ପଂଚାୟତ ଅଂଚଳରେ ବିକାଶ ହୋଇ ଚାଲିଥିବାବେଳେ ପୌରାଞ୍ଚଳରେ ଏହା ଦେଖିବାକୁ ମିଳୁନାହିଁ । ସହରାଞ୍ଚଳ ପରିସୀମା ବୃଦ୍ଧି କରାନଯିବାରୁ ଏହାର ଆଖପାଖ ଅଂଚଳରେ ଶିଳ୍ପ, ବାଣିଜ୍ୟ, ବାସଗୃହ ଏବଂ କଳକାରଖାନାରୁ ମିଳିବାକୁ ଥିବା କୋଟି କୋଟି ଟଙ୍କାର ରାଜସ୍ୱ ହରାଇ ବସୁଛି ପୌରପାଳିକା । ଭଦ୍ରକ ସହରାଞ୍ଚଳକୁ ଲାଗି ରହିଛି ଦୁଇଟି ଶିଳ୍ପାଞ୍ଚଳ । ପ୍ରାୟ ୩୦ ବର୍ଷ ତଳେ ରାନ୍ଦିଆ ଠାରେ ପ୍ରତିଷ୍ଠା ହୋଇଥିଳା ଫେକର ଚାର୍ଜକ୍ରୋମ୍ ସଂସ୍ଥା ।

ଏହାର ପ୍ରାୟ ୧୫ ବର୍ଷ ପରେ ପ୍ରତିଷ୍ଠା ହେଲା ସେହି ସ୍ଥାନରେ ପାୱାର ପ୍ଲାର୍ଟ । ଯାହାକି ଭଦ୍ରକ ସହର ଠାରୁ ମାତ୍ର ୪ କିଲୋମିଟର ଦୂର । ସେହିପରି ୮୦ ଦଶକରେ ଭଦ୍ରକକୁ ଶିଳ୍ପ ସମୃଦ୍ଧ ଅଂଚଳ ଭାବେ ଗଢିତୋଳିବା ପାଇଁ ଚରମ୍ପା ରାହାଞ୍ଜ ଅଂଚଳର ୨୦ ଏକର ଜମି ଚିହ୍ନଟ କରାଯାଇଥିଲା । ଯାହାକି ପୌରାଞ୍ଚଳ ସୀମା ଠାରୁ ମାତ୍ର ୫ କିଲୋମିଟର ଦୂର । ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଏହି ଜମିକୁ ପରେ ଇଡକୋ ଅଧିଗ୍ରହଣ କରି ଏହା ଉପରେ ଆବଶ୍ୟକୀୟ ଭିତ୍ତିଭୂମୀ ପ୍ରସ୍ତୁତ କରି ୨୦ ଜଣ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବଣ୍ଟନ କରିଥିଲା । ଏ ସମସ୍ତ ଶିଳ୍ପ ସଂସ୍ଥା ଆଞ୍ଚଳିକ ଉନ୍ନତି ବା ସଂପୃକ୍ତ ଅଂଚଳର ପାରିପାଶ୍ୱର୍ିକ ଉନ୍ନତି ମଧ୍ୟ ଧ୍ୟାନ ଦେଉନାହାଁନ୍ତି । ଯଦି ଭଦ୍ରକ ପୌରାଞ୍ଚଳର ପରିସୀମାକୁ ବୃଦ୍ଧି କରାଯାଇ ରାନ୍ଦିଆ, ଗେଲପୁର ଓ ରାହାଞ୍ଜ ପର୍ଯ୍ୟନ୍ତ ରଖାଯାଆନ୍ତା, ପୌର କର୍ତ୍ତୃପକ୍ଷଙ୍କ ରାଜସ୍ୱ ବହୁଗଣରେ ବୃଦ୍ଧି ପାଇପାରନ୍ତା । ମାଷ୍ଟରପ୍ଲାନରେ ଥିବା ଉପରୋକ୍ତ ଅଂଚଳକୁ ପୌରାଞ୍ଚଳରେ ଅନ୍ତର୍ଭୁକ୍ତ କରିବାରେ କୌଣସି ସମସ୍ୟା ନଥିବାବେଳେ ଏଥିପ୍ରତି ରାଜନୈତିକ ନେତୃମଣ୍ଡଳୀ ନିରବ ରହୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.