Home କଳାହାଣ୍ଡି ରକ୍ତଚାଉଳ ଧରି ପଣ କରିଛନ୍ତି ଡଙ୍ଗରିଆ, ଛାଡିବେନି ନିୟମଗିରି

ରକ୍ତଚାଉଳ ଧରି ପଣ କରିଛନ୍ତି ଡଙ୍ଗରିଆ, ଛାଡିବେନି ନିୟମଗିରି

357

କଳାହାଣ୍ଡି- ତା ୦୩.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ନିୟମଗିରି ଉପରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀମାନେ ପାରମ୍ପରିକ ଶୈଳୀରେ ନିୟମଗିରି ପର୍ବତ ଶିଖରରେ ନିୟମରାଜାଙ୍କ ପୂଜା କରିଛନ୍ତି। ଆଦିମ ଜନଜାତି ଏହି ଡଙ୍ଗରିଆ ମାନେ ପ୍ରକୃତିର ଉପାସକ ଏବଂ ଭୂମି ମାତଙ୍କୁ ଧରନୀ ପେନୁ, ଡଙ୍ଗର ଦେବତାଙ୍କୁ ହୋରୁପେନୁ, ଝରଣାକୁ ଏୟୁ ପେନୁ ଭାବେ ଉପାସନା କରି ପୂଜା କରିଥାନ୍ତି। ନିୟମଗିରି ପାହାଡ ହିଁ ତାଙ୍କର ନିୟମରାଜା ଦେବତା ବୋଲି ସେମାନଙ୍କ ଦୃଢ ବିଶ୍ୱାସ। ସେଥିପାଇଁ କେଉଁ ଅନାଦି କାଳରୁ ନିୟମରାଜା ପୂଜା କରିଆସୁଛନ୍ତି ଏହି ଡଙ୍ଗରିଆ ଆଦିବାସୀ ମାନେ। ନିୟମଗିରିକୁ ନେଇ ଡଙ୍ଗରିଆ ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ସଂସ୍କୃତି ପରିପୂର୍ଣ୍ଣ ଏବଂ ନିୟମଗିରି ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ହେଲେ ଦୁର୍ଭାଗ୍ୟକୁ ଏହି ନିୟମଗିରି ପାହାଡ ତଳେ ଭରି ରହିଛି ବହୁ ମୂଲ୍ୟବାନ ଖଣିଜ ପଥର ଯାହା ଉପରେ ବିଭିନ୍ନ କମ୍ପାନୀ ଓ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି। ଅବଶ୍ୟ ମାନ୍ୟବର ଅଦାଲତଙ୍କ ହସ୍ତକ୍ଷେପ ପରେ ୨୦୧୩ ମସିହାରେ କଳାହାଣ୍ଡିର ୫ଟି ଓ ରାୟଗଡାର ୭ଟି ଗ୍ରାମରେ ଗ୍ରାମସଭା କରି ଗ୍ରାମସଭାର ନିଷ୍ପତିକ୍ରମେ କେହି ଖଣି ଖନନ କରିପାରିବେ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା ଏବଂ ଏହାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଗ୍ରହଣ କରିଥିଲେ।

ନିୟମଗିରି ସୁରକ୍ଷା ସମିତିର ଡାକରାରେ ପ୍ରତିବର୍ଷ ଫେବୃଆରୀ ମାସର ଶେଷ ସପ୍ତାହରେ ତିନି ଦିନ ଧରି ନିୟମରାଜା ପୂଜା ପର୍ବ ଆୟୋଜିତ ହୋଇଥାଏ। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ନିୟମରାଜା ପୂଜା ପର୍ବରେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଶହ ଶହ ଡଙ୍ଗରିଆ ଯୋଗ ଦେଇଥିଲେ। ସେମାନେ ମାଟିପୂଜା, ଜଳପୂଜା କରିବା ପରେ ନିୟମରାଜାଙ୍କ ଠାରେ ବୋଦା, ଘୁଷୁରୀ, କୁକୁଡା ଆଦି ବଳି ଦେଇଥିଲେ। ଡଙ୍ଗରିଆ ମାନେ ନାରୀ ଜାତିକୁ ଅଗ୍ରାଧିକାର ଦେଉଥିବାରି ପ୍ରଥମେ ଦିନବେଳା ନିୟମରାଜାଙ୍କୁ ବେଜେନ (ନାରୀ ପୂଜକ) ମାନେ ପୂଜାର୍ଚ୍ଚନା କରିବା ପରେ ରାତିରେ ଜାନୀ (ପୁରୁଷ ପୂଜକ) ମାନେ ପୂଜା କରିଥିଲେ। ତାପରେ ଡଙ୍ଗରିଆ ମାନେ ଦଳ ଦଳ ହୋଇ ଦେବତା ସ୍ଥଳ ବା ଦେବତା ଗୁଡି (ପାରମ୍ପରିକ ପୂଜାସ୍ଥଳ) ପାଖରେ କୁଇ ଭାଷାରେ ଢାପ ଓ ନିଶାନର ତାଳେ ତାଳେ ଗୀତ ଗାଇ ଗାଇ ନାଚିଥିଲେ। ନିୟମଗିରିର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସ୍ୱର ଥିଲା ସେହି ଗୀତର ସାରମର୍ମ। ଏପରିକି ଧାଙ୍ଗଡା ଧାଙ୍ଗଡି ମାନଙ୍କ ପ୍ରେମର ପହଲି ସ୍ପର୍ଶରେ ମଧ୍ୟ ସେମାନେ ମସଗୁଲ ହୋଇ ନାଚଗୀତ କରିଥାନ୍ତି। ଏହି ନିୟମରାଜା ପର୍ବ ଅବସରରେ ଡଙ୍ଗରିଆମାନେ ପୂଜା କରାଯାଇଥିବା ରକ୍ତ ଚାଉଲ, ସିନ୍ଦୁର ଧରି ନୋୟମଗିରିକୁ କୌଣସି ହାଲତରେ ଛାଡିବୁ ନାହିଁ ବୋଲି ବଜ୍ରଶପଥ ନେଇଥିଲେ। ଏହି ନିୟମଗିରି ସେମାନଙ୍କ ଜୀବନ ଦେଇଛି, ବଂଚିବାକୁ ସବୁ ପ୍ରକାର ରାହା ଯୋଗାଇଛି ତାକୁ ଛାଡି ଆମେ ଘଡିଏ ମଧ୍ୟ ରହି ପାରିବୁ ନାହିଁ ବୋଲି ଡଙ୍ଗରିଆ କନ୍ଧମାନେ ଶପଥ ନେଇଥିଲେ। ନିୟମଗିରି ରେ ଜଣେ ମଧ୍ୟ ଡଙ୍ଗହରିଆ ଆଦିବାସୀ ଥିବା ପର୍ଯ୍ୟନ୍ତ ଆମେ କେବେ ହେଲେ ନିୟମଗିରିକୁ ଛାଡି ପାରିବୁ ନାହିଁ ବୋଲି ଆଦିବାସୀମାନେ ଶପଥ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.