Home ଓଡ଼ିଶା ସଞ୍ଜୟ ଯୋଶୀଙ୍କ ଓଡ଼ିଶା ଗସ୍ତ:କିଏ ସେ ଯୋଶୀଙ୍କ ଓଡ଼ିଶା ସାଧକ?

ସଞ୍ଜୟ ଯୋଶୀଙ୍କ ଓଡ଼ିଶା ଗସ୍ତ:କିଏ ସେ ଯୋଶୀଙ୍କ ଓଡ଼ିଶା ସାଧକ?

80

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପି ନେତା ସଞ୍ଜୟ ଯୋଶୀଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଦେଖାଯିବାକୁ ନେଇ ଆଲୋଚନା ଚାଲିଛି।ତେବେ ଏ ସଞ୍ଜୟ ଯୋଶୀ କିଏ?ଏବଂ ତାଙ୍କର ଓଡ଼ିଶା ଗସ୍ତକୁ ନେଇ ଏତେ ଆଲୋଚନା ହେବାର କାରଣ କ’ଣ?ଏବଂ ଯୋଶୀଙ୍କ ଯୋଜନାରେ କିଏ ସେ ଓଡ଼ିଶା ସାଧକ?
ସଞ୍ଜୟ ଯୋଶୀ ନାମଟି ଓଡ଼ିଶା ରାଜନୀତି ଭିତରେ ଏମିତି ପରିଚିତ ନାମଟିଏ ନୁହଁ।ଖୁବ୍ କମ ଲୋକ ତାଙ୍କ ନାମ ଶୁଣିଛନ୍ତି,ତାଙ୍କ ଫଟୋ ଦେଖିଛନ୍ତି।ସେ ବିଜେପି ନେତା ହୋଇଥିଲେ ମଧ୍ୟ ଆଜି ଓଡ଼ିଶା ବିଜେପି ରାଜନୀତିକୁ ଆସିଥିବା ଅନେକ ନୂଆ ଚେହେରା ତାଙ୍କ ବିଷୟରେ ଆଦୌ ଜାଣନ୍ତି ନାହିଁ।କିନ୍ତୁ ଏଇ ଓଡ଼ିଶା ରାଜନୀତି ଠାରୁ ଆରମ୍ଭ କରି କେନ୍ଦ୍ରୀୟ ରାଜନୀତି ଭିତରେ ବିଜେପିର ସବୁ ପୁରୁଖା ନେତା ସଞ୍ଜୟ ଯୋଶୀଙ୍କୁ ଖୁବ୍ ଭଲ ଭାବରେ ଜାଣନ୍ତି।
ସଞ୍ଜୟ ଯୋଶୀ ଥିଲେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ।ଆରଏସଏସ ସହ ଜଡ଼ିତ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ସଞ୍ଜୟ ଯୋଶୀ ମେକାନିକାଲ ଇଂଜିନିୟରିଂ କୋର୍ସ ସାରିବା ପରେ ଲେକ୍ଚରସିପ କରୁଥିଲେ।ତେବେ ପରେ ସେ ଚାକିରୀ ଛାଡ଼ି ପୂର୍ଣ୍ଣକାଳୀନ ପ୍ରଚାରକ ଭାବରେ ଗୁଜୁରାଟ ବିଜେପିରେ ୧୯୮୮ ମସିହାରୁ କାମ ଆରମ୍ଭ କରିଥିଲେ।ତାଙ୍କ ପ୍ରଚେଷ୍ଟାରେ ଗୁଜୁରାଟରେ ବିଜେପି ସଙ୍ଗଠନ ଖୁବ୍ ବୃଦ୍ଧି କରିଥିଲା।ଏହାପରେ ସଞ୍ଜୟ ଯୋଶୀ ରାଷ୍ଟ୍ରୀୟ ସ୍ତରରେ ନଜରକୁ ଆସିଲେ।ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ହେଲେ।୨୦୦୧ରୁ ୨୦୦୫ ଭିତରେ ସେ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଭାବରେ ଦାୟିତ୍ୱରେ ଥିଲେ।ସେ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ରାଜନୀତିରେ ତାଙ୍କର ଖୁବ୍ ପ୍ରଭାବ ଥିଲା।କିନ୍ତୁ ଏ ଭିତରେ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେଲେ।ବିଶେଷ କରି ଗୁଜୁରାଟ ଦଙ୍ଗା ମୋଦିଙ୍କୁ ହିନ୍ଦୁତ୍ୱର ପୋଷ୍ଟର ବୟ କରି ସାରିଥିଲା।ମୋଦୀଙ୍କ ପ୍ରଭାବ ଧୀରେ ଧୀରେ ରାଷ୍ଟ୍ରୀୟ ରାଜନୀତିରେ ବଢ଼ିଲା।ଯୋଶୀ ଏବଂ ମୋଦି ପରସ୍ପର ବିରୋଧୀ ହୋଇ ସାରିଥିଲେ।କିନ୍ତୁ ଏ ଭିତରେ ମୋଦୀଙ୍କ ପ୍ରଭାବ ଏତେ ବଢ଼ି ସାରିଥିଲା ଯେ,ମୋଦୀଙ୍କ ଚାପରେ ହିଁ ସଞ୍ଜୟ ଯୋଶୀଙ୍କୁ ଦାୟିତ୍ୱରୁ ହଟା ଯାଇଥିବା ଆଲୋଚନା ହେଲା।ମୋଦୀଙ୍କ ସାଙ୍ଗକୁ ଅମିତ ଶାହା ମଧ୍ୟ ରହିଲେ।ସେ ବି ଯୋଶୀଙ୍କ ବିରୋଧୀ।ଏହାପରେ ମୋଦୀଙ୍କର ପ୍ରଭାବ ଯେତେ ବଢ଼ି ବଢ଼ି ଗଲା,ଯୋଶୀ ବିଜେପି ପାଇଁ ସେତେ ସେତେ ଅଲୋଡ଼ା ହୋଇଗଲେ।ଏବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯୋଶୀଙ୍କର କ’ଣ ଯେ ସ୍ଥିତି ଥିବ ତାହା ଅନୁମେୟ।ତେବେ ମୋଦି ଏବଂ ଯୋଶୀଙ୍କ ବିବାଦ ଏବଂ ବିରୋଧ ଭିତରେ ମୋଦି,ଯୋଶୀଙ୍କୁ ଯେ କେତେ ଗୁରୁତ୍ୱ ଦିଅନ୍ତି ତାହା ଜାଣି ହେଉଛି।କେହି କେହି ମୋଦୀ ଯୋଶୀଙ୍କୁ ଭୟ କରନ୍ତି ବୋଲି ତାଙ୍କୁ ସଙ୍ଗଠନରୁ ଦୂରେଇ ଦେଲେ ବୋଲି କୁହନ୍ତି।
ଏ ଭିତରେ ଯୋଶୀ ଓଡ଼ିଶା ଆସିଛନ୍ତି।ତେବେ ଯୋଜନା କ’ଣ?କାହା ସହ ସେ ଆଲୋଚନା କରିବାକୁ ଆସିଥିଲେ କି?ଯୋଶୀ ଓଡ଼ିଶାରେ କିଛି ଗୋଟି ଚାଳନା କରିବାର ଯୋଜନାରେ ଅଛନ୍ତି କି? ନେଇ ଭିତରେ ଭିତରେ ଆଲୋଚନା ଜୋର ଧରିଛି।ଯୋଶୀ କିଛି କମ ଖିଲାଡ଼ି ନୁହଁନ୍ତି।ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ରହି ସାରିଥିବାରୁ ପ୍ରତ୍ୟକ ରାଜ୍ୟରେ ତୃଣମୂଳ ସଙ୍ଗଠନର ବ୍ୟୁହ ରଚନା ତାଙ୍କ ପାଖରେ କିଛି ନାଁ କିଛି ଅଛି।ଅନେକ ସାଙ୍ଗଠନିକ ନେତାଙ୍କ ସହ ତାଙ୍କର ଭଲ ପରିଚୟ ମଧ୍ୟ ରହିଛି।ଏବେ ପୁଣି ଅମିତ ଶାହା ଓଡ଼ିଶା ଆସି ଫେରିବା ପରେ ପରେ ଯୋଶୀ ଆସିଛନ୍ତି।ଏଣେ ରାଜ୍ୟ ବିଜେପିରେ ଗୋଷ୍ଠିବାଦକୁ ନେଇ ବିବାଦ ରହିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗୋଷ୍ଠି ରାଜନୀତି ଭିତରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କ ଯୋଜନା ଭିତରେ ଅଛନ୍ତି।ତେବେ ତୃଣମୂଳ ସ୍ତରରେ ଏବଂ ସଂଘ ଏହି ଗୋଷ୍ଠିବାଦକୁ ନାପସନ୍ଦ କରିବା ସହ ସଭାପତି ପରିବର୍ତ୍ତନ କଥା ଚାହୁଁଛି।ଧର୍ମେନ୍ଦ୍ରଙ୍କ ପ୍ରଭାବ ତଥା ତାଙ୍କର ବଶତା ସ୍ୱୀକାର କରିପାରୁ ନଥିବା କିଛି ନେତା ନିଜକୁ ଅସୁରକ୍ଷିତ ମଣୁଛନ୍ତି।କେତେକ ଦଳଠୁ ନିଜକୁ ଦୂରେଇ ରଖୁଛନ୍ତି।ଏ ଭିତରେ ଓଡ଼ିଶାରେ ତୃତୀୟ ସାମୁଖ୍ୟ ନେଇ କଥା ଉଠୁଛି।ଦୃଢ଼ ସାଙ୍ଗଠନିକ ଦକ୍ଷତା ରଖିଥିବା ଯୋଶୀଙ୍କ ପାଖରେ ଏ ସବୁ ତଥ୍ୟ ରହିଥିବ।ତେଣୁ ଏସବୁକୁ ନେଇ ସେ ଓଡ଼ିଶାରେ ଆଉ ନୂଆ କିଛି ସମୀକରଣ ସୃଷ୍ଟି କରିବାକୁ ଯୋଜନା କରୁ ନାହାନ୍ତି ତ?
ତେବେ ଏ ଭିତରେ ଏକ କଥା ଉଠୁଛି ଯେ,ଯୋଶୀ ଓଡ଼ିଶା ରାଜନୀତିରେ ଜଣେ ସାଧକଙ୍କୁ ନେଇ ତାଙ୍କ ରଣନୀତି ଯୋଜନା କରୁଛନ୍ତି।ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଥିବା ବେଳୁ ଯୋଶୀଙ୍କର ରାଜ୍ୟର ଅନେକ ନେତାଙ୍କ ସହ ପରିଚୟ ଅଛି।ତେବେ ଏଭିତରେ ରାଜ୍ୟ ସଙ୍ଗଠନ ସମ୍ପାଦକ ରହି ସାରିଥିବା ପଞ୍ଚାନନ ରାଉତଙ୍କୁ ମଧ୍ୟ ଦଳ ଭିତରେ ଏକ ସାଧକ ବୋଲି କୁହାଯାଏ।ଓଡ଼ିଶା ପରେ ସେ କିଛି ଦିନ ବାହାର ରାଜ୍ୟର ସଙ୍ଗଠନ ଦାୟିତ୍ୱରେ ରହିବା ପରେ ଏବେ ଓଡ଼ିଶା ଫେରି ଆସିଛନ୍ତି।ସେ ଏବେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀରୁ ନିର୍ବାଚନ ଲଢ଼ିବା ପାଇଁ ଇଛୁକ ଥିଲା ପରି ଜଣାପଡୁଛନ୍ତି।କିନ୍ତୁ ରାଜ୍ୟ ବିଜେପିରେ ତାଙ୍କର ଏବେ ସେପରି ଗୁରୁତ୍ୱ ନାହିଁ।ରାଜ୍ୟ କାର୍ଯ୍ୟକାରିଣୀ ନିମନ୍ତ୍ରିତ ସଦସ୍ୟଟିଏ ହୋଇ ପାରିଛନ୍ତି।ସଂଘ ପୃଷ୍ଠଭୂମି ହୋଇଥିବା ସହିତ ସାଂସାରିକ ହୋଇନଥିବା ତଥା ପୂର୍ଣ୍ଣକାଳୀନ ପ୍ରଚାରକ ମାନଙ୍କୁ ବିଜେପି ଭିତରେ ଏମିତିରେ ସାଧକ ବୋଲି କୁହନ୍ତି।ରାଜ୍ୟ ବିଜେପିରେ ଏପରି ଆଉ କିଛି ସାଧକ ମଧ୍ୟ ଅଛନ୍ତି।ତେଣୁ ସଞ୍ଜୟ ଯୋଶୀଙ୍କ ଓଡ଼ିଶା ଗସ୍ତ ଯୋଜନା ଭିତରେ କିଏ ସେ ସାଧକ?ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.