Home ଓଡ଼ିଶା ମୁଖ୍ୟମନ୍ତ୍ରୀ ବିରାଡି ବୈଷ୍ଣବ ଭଳି ଚୁପ୍ ରହୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ବିରାଡି ବୈଷ୍ଣବ ଭଳି ଚୁପ୍ ରହୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

1501

୧୯ ବର୍ଷ ଶାସନର କଥା ଓ ଆଗାମୀ ୫ ବର୍ଷର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା
– ରାଜ୍ୟର ଏକତୃତୀୟାଂଶ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି
– ଆୟୁଷ୍ମାନ ଯୋଜନା ଲାଗୁ ନକରିବା ସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଲାଭ ପାଇବାକୁ ଥିବା ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା କାହିଁକି ଦିଲ୍ଲୀ ପଠାଇଲେ ନାହିଁ ?
– ଓଡିଆ ଲୋକଙ୍କୁ ଡରେଇ ଭୋଟ ନେବା ପାଇଁ ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର ବନିଛନ୍ତି
– ମୋଦି ସରକାର ହେଲେ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି
– ମହିଳା ସ୍ୱୟଂ ସହାୟକ ସଂଗଠନ ଗୁଡିକୁ ଡାକି ବିଜେଡିକୁ ଭୋଟ ନଦେଲେ ସେମାନଙ୍କ ସୁବିଧା କାଟି ଦିଆଯିବ ବୋଲି ବିଜେଡି ଡରାଉଛି ଧମକାଉଛି
– ମୁଖ୍ୟମନ୍ତ୍ରୀ ଏପ୍ରକାର ଡର ତିଆରି ନକରି ଯଦି କାମ କରିଛନ୍ତି ସେଥିପାଇଁ ଭୋଟ ମାଗନ୍ତୁ
– ମୁଖ୍ୟମନ୍ତ୍ରୀଙ୍କ ଦଳ ରାଜନୈତିକ ପ୍ରତିପକ୍ଷଙ୍କୁ ମାରପିଟ କରିବା ସହ ହତ୍ୟା କରିବା ପାଇଁ ପଛାଉନାହାନ୍ତି

ଭୁବନେଶ୍ୱର, ଅପ୍ରେଲ ୨୨ (ଓଡ଼ିଆ ପୁଅ) – ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବିଷୟ ନରଖି କେବଳ କେନ୍ଦ୍ର ଉପରେ ଅଭିଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଶାସନରେ କଣ କଲେ ତାହାର ହିସାବ ଦେଉନଥିବା ବେଳେ ଆଗାମୀ ୫ ବର୍ଷରେ କଣ ଯୋଜନା କରିବେ ତାହାର ମଧ୍ୟ ହିସାବ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀ ବିରାଡି ବୈଷ୍ଣବଙ୍କ ଭଳି ଚୁପ୍ ରହିଯାଉଛନ୍ତି ବୋଲି ଏ ସମ୍ପକରେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ପ୍ରସଙ୍ଗ କଣ ପକ୍ଷ ଓ ପ୍ରତିପକ୍ଷ ତାର ଉତର ରଖୁଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ଜନସଧାରଣଙ୍କୁ ଡବଲ ଇଞ୍ଜିନର ସରକାର ପାଇଁ ନିବେଦନ କରାଯାଇଛି ା କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଦାୟିତ୍ୱର ବିକାଶର କଳ୍ପନା ତଥା ରାସ୍ତା, ରେଳ, ଜଳସେଚନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଯୁବକ ଓ ଶିକ୍ଷା ପାଇଁ ବିଭିନ୍ନ ଯୋଜନାକୁ ଉଲ୍ଲେଖ କରାଯାଇଛି। ବିଜେପି ସରକାର ହେଲେ ଓଡିଶା ଲୋକଙ୍କ ପାଇଁ କେଉଁ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାମ କରାଯିବ ସେଥିପାଇଁ ବିଜେପିର ୯ଟି ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି। ଏହବ୍ୟତିତ ପ୍ରଜାତନ୍ତ୍ରିକ ଉପାୟରେ ସ୍ଥାନୀୟ ସରକାରର ବିଫଳତା ଗୁଡିକୁ ଜନସାଧାରଣଙ୍କ ନିକଟରେ ମଧ୍ୟ ଦଳ ପକ୍ଷରୁ ଦର୍ଶାଯାଉଛି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକଙ୍କ ରୋଜଗାର ବ୍ୟବସ୍ଥା ପାଇଁ କଣ କଲେ ତାହାର ହିସାବ ଦେଉନାହାନ୍ତି। ରାଜ୍ୟର ଏକତୃତୀୟାଂଶ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି, ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛି। ସେହିପରି ଓଡିଶାରେ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କଲେ ନାହିଁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଲାଭ ପାଇବାକୁ ଥିବା ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ କାହିଁକି ପଠାଇଲେ ନାହିଁ ?

ଶ୍ରୀ ପ୍ରଧାନ କହିଛନ୍ତି ଯେ କାଳିଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ କରିଥିବା ବେଳେ କାଳିଆରେ ସାଧାରଣ ଚାଷୀଙ୍କ ପରିବର୍ତେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀଗଣଙ୍କ ପରିବାର ବର୍ଗଙ୍କ ନାଁ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। କାଳିଆ ଯୋଜନାର ତାଲିକା କୁଆଡେ ଗଲା ଓ କାଳିଆ ଯୋଜନାରେ ବଜେଟର ବ୍ୟବସ୍ଥା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ କାଳିଆ ଯୋଜନା କେବଳ ସ୍ଲୋଗାନ ଓ ବିଜ୍ଞାପନରେ ରହିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଆ ଲୋକଙ୍କୁ ଡରେଇ ଭୋଟ ନେବା ପାଇଁ ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର ବନିଛନ୍ତି। ମୋଦି ସରକାର ଓଡିଶାରେ ହେଲେ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କେବଳ ଡର ଓ ହିଂସା ତିଆରି କରିବାର ବିଷୟ ଅଛି। ବିଜେଡି ମହିଳା ସ୍ୱୟଂ ସହାୟକ ସଂଗଠନ ଗୁଡିକୁ ଡାକି ବିଜେଡିକୁ ଭୋଟ ନଦେଲେ ସେମାନଙ୍କ ସୁବିଧା କାଟି ଦିଆଯିବ ବୋଲି ଡରାଇବା ସହ ଧମକାଉଛି। ମୁଖ୍ୟମନ୍ତ୍ରୀ ଏପ୍ରକାର ଡର ତିଆରି ନକରି ଯଦି କାମ କରିଛନ୍ତି ସେଥିପାଇଁ ଭୋଟ ମାଗନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି। ରାଜନୈତିକ ପ୍ରତିପକ୍ଷଙ୍କୁ ମାରପିଟ କରିବା ସହ ହତ୍ୟା କରିବା ପାଇଁ ପଛାଉନାହାନ୍ତି। ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବଶାଳୀ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସକୁ ନିର୍ବାଚନ ଅଧିକାରୀ ଟଙ୍କା ବାଂଟିବାର ଅଭିଯୋଗ ପାଇବା ପରେ ସେଠାକୁ ଯାଇଥିଲା ବେଳେ ସେମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିବା ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ମୁଖ୍ୟମନ୍ତ୍ରୀ କାମର ନମୂନା।

ମୁଖ୍ୟମନ୍ତ୍ରୀଙ୍କ ପାଦତଳୁ ମାଟି ଖସିବା କାରଣରୁ ବହୁତ ଚିନ୍ତାରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଜାତନ୍ତ୍ରିକ ପ୍ରକ୍ରିୟାକୁ ସ୍ୱୀକାର କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ପ୍ରଜାତନ୍ତ୍ରିକ ମନସ୍ଥିତିକୁ ଫେରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଭରସା ବଢିବାରେ ଲାଗିଛି। ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ବନିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

https://twitter.com/odiapuanews/status/1120258925339668480

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.