Home ଓଡ଼ିଶା ମିଶ୍ରଣ ପର୍ବରେ ଅପମିଶ୍ରଣ ନାଁ ଦକ୍ଷତା ବିହୀନ ନେତୃତ୍ୱ?

ମିଶ୍ରଣ ପର୍ବରେ ଅପମିଶ୍ରଣ ନାଁ ଦକ୍ଷତା ବିହୀନ ନେତୃତ୍ୱ?

93

ପଦାରେ ପଡ଼ିଲା ମହିଳା ସୁରକ୍ଷା ଯାତ୍ରାର କଳି
ଭୁବନେଶ୍ୱର(ଦେବଦତ୍ତ ରଥ):ମିଶ୍ରଣ ପର୍ବରେ ଅପମିଶ୍ରଣ ନାଁ ଦକ୍ଷତା ବିହୀନ ନେତୃତ୍ୱ?କେଉଁ କାରଣରୁ ପଦାରେ ପଡ଼ିଲା ମହିଳା ସୁରକ୍ଷା ଯାତ୍ରାର କଳି?ମହିଳା ସୁରକ୍ଷା ଯାତ୍ରା ଚାଲିଥିବା ବେଳେ ମୟୁରଭଞ୍ଜ ଠାରେ ସମାବେଶ ସମୟରେ ଦଳ ଭିତରେ ଉପୁଜିଥିବା କଳହ ପରେ ଏହିପରି କିଛି ପ୍ରଶ୍ନ ଉଠୁଛି।


ରାଜ୍ୟରେ ବଢି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ବିଜେପି କରୁଛି “ମହିଳା ସୁରକ୍ଷା ଯାତ୍ରା”।ଗତ ମଇ ୧୭ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ମଝିରେ ମୋଦୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ବନ୍ଦ ରହି ପୁଣି ଆରମ୍ଭ ହୋଇଛି।ଏବଂ ୬ ତାରିଖରେ ଏହାର ସମାପନ ହେବ ବୋଲି ଜଣାପଡ଼ିଛି।ବିଜେଡି ମହାନଦୀ ଜଳ ବିବାଦ,ତେଲ ଦର ବୃଦ୍ଧି ଆଦି ପରି ପ୍ରସଙ୍ଗରେ ବିଜେପିକୁ ଘେରୁଥିବା ବେଳେ ବିଜେପି ବିଜେଡିକୁ ଘେରିବା ପାଇଁ ମହିଳା ସୁରକ୍ଷା ପ୍ରସଙ୍ଗକୁ ମୁଖ୍ୟ ଆୟୁଧ୍ୟ କରିଛି।ନବୀନଙ୍କୁ ଘେରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାକୁ ଆଗକୁ କରିଛି।ରାଜ୍ୟ ବିଜେପିର ୭ ଜଣ ନେତ୍ରୀ ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନର ନେତୃତ୍ୱ ନେଇ ସୁରକ୍ଷା ଯାତ୍ରା ଚଳାଇଛନ୍ତି।ତେବେ ମହିଳା ନେତ୍ରୀ ମାନଙ୍କର ଏହି ଯାତ୍ରା ଭିତରେ କିଛି ସ୍ଥାନରେ ନିଷ୍ଠା,ସଙ୍ଗଠନ ଚିନ୍ତା ରହୁଥିବା ବେଳେ ଅନେକ ସ୍ଥାନରେ ମହିଳା ସୁରକ୍ଷା ଚିନ୍ତା କମ ବରଂ ନିଜ ନିଜର ପ୍ରଚାର ଚିନ୍ତା ଅଧିକ ଘାରିଲା ପରି ଜଣାପଡ଼ୁଛି।ମୟୁରଭଞ୍ଜରେ କାର୍ଯ୍ୟକ୍ରମ ସ୍ଥଳୀରେ ଜଣେ ମହିଳା ନେତ୍ରୀ ପାଟିତୁଣ୍ଡ କରି ଘଟଣାକୁ ପଦାରେ ପକାଇ ଦେଇଛନ୍ତି।ଏମିତିରେ ବିଭିର୍ଣ୍ଣ ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଆୟୋଜନକୁ ଦେଖିଲେ ଏଥିରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ୁଛି।ଏବଂ ଏହି ଟଙ୍କା ବି ବିବାଦର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମଧ୍ୟ କୁହାଯାଉଛି।


ମୟୂରଭଞ୍ଜରେ ମହିଳା ସୁରକ୍ଷା ଯାତ୍ରା ପାଇଁ ସମାବେଶ ଚାଲିଥିବା ବେଳେ ଆଦିବାସୀ ନେତ୍ରୀ ଛବି ମାହାଲିଙ୍କୁ ମଞ୍ଚ ଉପରକୁ ଡକା ନଯିବା,ଭାଷଣ ପାଇଁ ସୁଯୋଗ ନଦେବାରେ ଉତ୍କ୍ଷିପ୍ତ ହୋଇ ସେ ସଭାସ୍ଥଳୀ ନିକଟରେ ହିଁ ପ୍ରବଳ ପାଟିତୁଣ୍ଡ କରିଥିଲେ।ତେବେ ଏହାପରେ ରାତି ଅଧରେ ମହିଳା ସୁରକ୍ଷା ଯାତ୍ରା ଛାଡି ଚାଲିଯିବା ପାଇଁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ ଦେଇଥିବା ଛବି ଅଭିଯୋଗ କରିଛନ୍ତି।ସେ କହିଛନ୍ତି ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚ୍ଚା ବାହାର କରୁଛି ମହିଳା ସୁରକ୍ଷା ଯାତ୍ରା।ହେଲେ ସେ ଜଣେ ମହିଳା ହୋଇଥିଲେ ମଧ୍ୟ ରାତି ଅଧରେ ତାଙ୍କୁ କିଭଳି ଏକାକି ଛାଡି ଚାଲିଯିବା ପାଇଁ କୁହାଗଲା,ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ଦଳର ଉଚ୍ଚ ପଦାଧିକାରୀଙ୍କୁ ସେ ଏନେଇ ପତ୍ର ଲେଖିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଜଣାଇବାକୁ କହିଛନ୍ତି।ଧର୍ମେନ୍ଦ୍ର ତାଙ୍କୁ ବିଜେପିକୁ ଆଣିଛନ୍ତି।ଧର୍ମେନ୍ଦ୍ର ନବୁଝିଲେ ସେ ସବୁ ରହସ୍ୟ ଖୋଲିଦେବେ ବୋଲି ଏକ ଘରୋଇ ଟିଭି ଚ୍ୟାନେଲରେ ସେ ଏକ ପ୍ରକାର ଧମକ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଛବି ପୂର୍ବେ ଆମ ଆଦିମ ପାର୍ଟିରେ ରାଜ୍ୟ ମହିଳା ଶାଖା ମୁଖ୍ୟ ଥିଲେ।୨୦୧୪ ରେ ସେ ଲୋକସଭା ମଧ୍ୟ ଲଢ଼ିଥିଲେ।ତେବେ ପରେ ସେ ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ମିଶ୍ରଣ ପର୍ବ ଜରିଆରେ ବିଜେପିରେ ମିଶିଥିଲେ।ଧର୍ମେନ୍ଦ୍ରଙ୍କ ସୁପାରିଶରେ ହିଁ ତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀକୁ ନିଆ ଯାଇଥିଲା।ଜଣେ ଆଦିବାସୀ ମହିଳା ହୋଇ ସୁରକ୍ଷା ଯାତ୍ରାବେଳେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ଜଣଙ୍କ ଅହଙ୍କାର ପାଇଁ ତାଙ୍କ ଭଳି ଜଣେ ଆଦିବାସୀ ନେତ୍ରୀଙ୍କୁ ନିଜ ଜିଲ୍ଲାରେ ଅପମାନିତ କରାଯାଇଛି।ସେ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି।ଏପରିକି ସୁରକ୍ଷା ଯାତ୍ରାରୁ ତାଙ୍କୁ ଦୂରେଇ ରଖିବା ପାଇଁ କିଛି ମହିଳା ନେତ୍ରୀ ଷଡଯନ୍ତ୍ର କରିଥିବା କଥା ମଧ୍ୟ ସେ କହିଛନ୍ତି।ସଂପୃକ୍ତ ଅଞ୍ଚଳରେ କେହି ଭଲ ନେତୃତ୍ୱ ନାହାଁନ୍ତି,ଏବଂ ଅଳ୍ପ ଦିନ ମଧ୍ୟରେ ତାଙ୍କ ଦୃଢ଼ ନେତୃତ୍ୱ ଏବଂ ବୁଲେଟ ଯାତ୍ରା ଯୋଗୁଁ ତାଙ୍କ ପ୍ରତି ଅସହ୍ୟ ହୋଇ ତାଙ୍କୁ ଅପମାନିତ କରାଯାଉଛି ବୋଲି ସେ କହିଛନ୍ତି।ମୟୁରଭଞ୍ଜରେ ସୁରକ୍ଷାଯାତ୍ରା ଚାଲିଥିବାବେଳେ ଏହି ଘଟଣା ଘଟିଥିବା ଘଟିଛି।ଏହି ଘଟଣା ବିଜେପି ମହିଳା ମୋର୍ଚ୍ଚା ଭିତରେ ଚାଲିଥିବା କନ୍ଦଳକୁ ପଦାରେ ପକାଇ ଦେଇଛି।


୭ଟି ସ୍ଥାନରେ ଚାଲିଥିବା ସୁରକ୍ଷା ଯାତ୍ରା ମଧ୍ୟରେ ବାଲେଶ୍ଵର-ଭଦ୍ରକ-ମୟୁରଭଞ୍ଜ ପାଇଁ ଡଃ: ଲେଖାଶ୍ରୀ ସାମନ୍ତସିଂହାର ନେତୃତ୍ୱ ନେଉଛନ୍ତି।ଏବଂ ସେହି ସ୍ଥାନରେ ହିଁ ଏପରି ବିବାଦ ପଦାରେ ପଡ଼ିଛି।ଏହି ଟିମଟିକୁ ସବୁଠାରୁ ସକ୍ରିୟ ଟିମ କୁହାଯାଉଥିଲା।କାରଣ ଏହି ଟିମରେ ଦାୟିତ୍ୱରେ ଥିବା ନେତ୍ରୀମାନେ ଅନ୍ୟାନ୍ୟ ଟିମ ନେତ୍ରୀ ମାନଙ୍କ ଠାରୁ ଦକ୍ଷ ଥିଲେ।ଛବି ମାହାଲି ମଧ୍ୟ ସେହି ଟିମରେ ଥିଲେ।ପ୍ରଥମରୁ କିଛି ଦିନ କାର୍ଯ୍ୟକ୍ରମ ଭଲ ଚାଲିଲା।ତେବେ ଧୀରେ ଧୀରେ ବିବାଦ ଭିତରେ ଭିତରେ କୁହୁଳି ମୟୁରଭଞ୍ଜରେ ପଦାରେ ପଡ଼ିଗଲା।ଶେଷ ବେଳକୁ କିଛି ନେତ୍ରୀଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳିଲାନି।କେବଳ ସେଦିନ ଛବି ମାହାଲିଙ୍କୁ ନୁହଁ ପୂର୍ବରୁ ମଧ୍ୟ ଏପରି କାହାକୁ କାହାକୁ ଅବହେଳା କରାଯାଇଥିବା ଜଣାପଡିଛି।ସଙ୍ଗଠନ ଶୃଙ୍ଖଳା ଦୃଷ୍ଟିରୁ କିନ୍ତୁ କେତେଜଣ ନିରବ ରହିଥିବା ବେଳେ ନୂଆ ନୂଆ ବିଜେପିକୁ ଆସିଥିବା ଛବି କିନ୍ତୁ ବିସ୍ଫୋରଣ କରିଦେଇଛନ୍ତି।ଏଥିପାଇଁ ଅନେକ ଲେଖାଶ୍ରୀଙ୍କୁ ଦାୟୀ କରୁଛନ୍ତି।ବାସ୍ତବରେ ଲେଖାଶ୍ରୀ ଜଣେ ସଙ୍ଗଠକ ନୁହଁନ୍ତି।ସେ ସଙ୍ଗଠନ ଜାଣନ୍ତି ନାହିଁ କି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଜାଣନ୍ତି ନାହିଁ।କେବଳ ନିଜେ ନେତୃତ୍ୱ ନେବା ଏବଂ ମିଡିଆ/ସୋସିଆଲ ମିଡିଆରେ ନିଜର ପ୍ରଚାର ଜାଣନ୍ତି।ତାଙ୍କର ସଙ୍ଗଠନ ଅନଭିଜ୍ଞତା କାରଣରୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଉଛି।


ତେବେ ଏଠି ଆଉ ଗୋଟେ କଥା ଉଠୁଛି।ଯଦି ବି ଛବି ମାହାଲି ସତ କହୁଛନ୍ତି,ତେବେ ଦଳୀୟ ଶୃଙ୍ଖଳା ଭଙ୍ଗ କରି ସର୍ବ ସାଧାରଣରେ କଥାକୁ ପଦାରେ ପକାଇ କ’ଣ ସେ ଠିକ୍ କରିଛନ୍ତି?ପୁଣି ସେ ନିଜେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଆଣିଛନ୍ତି।ତାଙ୍କୁ କହିବେ,ସେ ନବୁଝିଲେ ବହୁକଥା ଖୋଲିଦେବେ।ଅର୍ଥାତ୍ ସେ ଧର୍ମେନ୍ଦ୍ରଙ୍କ ଭରଷାରେ ସଙ୍ଗଠନକୁ ଟାର୍ଗେଟ କରିଛନ୍ତି।ବିଜେପି ସଙ୍ଗଠନ ତାଙ୍କ ପାଇଁ କିଛି ନୁହଁ ଧର୍ମେନ୍ଦ୍ର ସବୁ କିଛି ଏପରି ତାଙ୍କ କଥାରୁ ପ୍ରମାଣ ମିଳୁଛି।ଏପରି କହି ସେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ବିବାଦକୁ ଟାଣିଛନ୍ତି।ଏହି ଘଟଣାକୁ ଦେଖିଲେ ବିଜେପିର ଚାଲିଥିବା ମିଶ୍ରଣ ପର୍ବରେ ମିଶ୍ରଣ ଘଟୁଛି ନାଁ ଅପମିଶ୍ରଣ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.