Home ଅପରାଧ ମହିଳା ସୁରକ୍ଷା ନେଇ କେତେ ଚିନ୍ତା,କେତେ ବ୍ୟଥା?

ମହିଳା ସୁରକ୍ଷା ନେଇ କେତେ ଚିନ୍ତା,କେତେ ବ୍ୟଥା?

918

କେବଳ ମୋହରା ହେଉଛନ୍ତି ପିଡ଼ିତା!
ଭୁବନେଶ୍ୱର;୨୫,ଅକ୍ଟୋବର:ମହିଳା ସୁରକ୍ଷା ପ୍ରସଙ୍ଗରେ ସାରା ଦେଶ ତଥା ବିଶେଷ କରି ଆମ ରାଜ୍ୟ ଓଡ଼ିଶାରେ ଏବେ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ମହିଳା ସୁରକ୍ଷା ନେଇ ଆନ୍ଦୋଳନ,ସୁରକ୍ଷା ଯାତ୍ରା,କୋକେଇ ଯାତ୍ରା,କ୍ୟାଣ୍ଡେଲ ଯାତ୍ରା,ଦୀପ ଦାନ ଏବଂ ବନ୍ଦ ଆଦି ଅନେକ କିଛି ଦେଖିବାକୁ ମିଳୁଛି।କିନ୍ତୁ ନାରୀ ନିର୍ଯ୍ୟାତନା ଘଟଣାରେ କିଛି ପରିବର୍ତ୍ତନ ହେଉ ନାହିଁ।ବରଂ ଘଟଣା ବଢିଚାଲିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଆଦି ଘଟଣାରେ ଦେଶରେ ରାଜଧାନୀ ଦିଲ୍ଲୀ ପ୍ରଥମ ସ୍ଥାନରେ ରହୁଥିବା ବେଳେ ଓଡ଼ିଶା କେତେବେଳେ ୨ୟ ତ’ କେତେବେଳେ ୫ମ ସ୍ଥାନରେ ରହୁଛି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ମୌନ ସାଜିଛନ୍ତି।ଏବଂ,ରାଜ୍ୟରେ ମହିଳା କମିଶନ ବୋଲି କ’ଣ ଗୋଟେ ଥିଲାପରି ଜଣା ପଡ଼ୁନାହିଁ।

 

ରାଜ୍ୟରେ ମହିଳା,ନାବାଳିକା ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବାକୁ ନେଇ ବିରୋଧୀ ଦଳ ମହିଳା ବିଭାଗ ଗୁଡ଼ିକ ବାରମ୍ବାର ଆନ୍ଦୋଳନ କରୁଛନ୍ତି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିରବ ରହୁଛନ୍ତି।ଓଡ଼ିଶାରେ ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଥିବା ବେଳେ ବିଜେଡି ନେତା/ନେତ୍ରୀ ଏନେଇ ବେତଣ୍ଡା ଯୁକ୍ତି କରୁଛନ୍ତି।ଓଡ଼ିଶା କଥା ଛାଡ଼ି କଠୁଆ,ଉନାଉ କଥା ଉଠାଉଛନ୍ତି।ଆସିଫା ପାଇଁ କ୍ୟାଣ୍ଡେଲ ଯାତ୍ରା କରୁଛନ୍ତି।ବିଜେପି ପକ୍ଷରୁ ଆୟୋଜିତ “ମହିଳା ସୁରକ୍ଷା ଯାତ୍ରା”କୁ ପ୍ରତିହତ କରିବା ପାଇଁ ନାବାଳିକା ସୁରକ୍ଷା ନେଇ “ପରୀ ରଥ” ବୁଲାଉଛନ୍ତି।

କଂଗ୍ରେସ ତ’ ସହଜରେ ନିଷ୍କ୍ରିୟ।କିନ୍ତୁ ତଥାପି ତା’ ମଧ୍ୟରେ କେତେବେଳେ କେମିତି କୁନ୍ଦୁଲି,ଆସିଫା,ଉନାଉ,କଠୁଆ କଥା ଉଠାଇ ବିକ୍ଷୋଭ ପ୍ରଦର୍ଶନ କରୁଛି।ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି।କିନ୍ତୁ,ସେହି କଂଗ୍ରେସ ବୋଧେ ଅଞ୍ଜନା,ଛବିରାଣୀ ଆଦିଙ୍କ କଥା ଭୁଲି ଯାଉଛି।ସେ କଂଗ୍ରେସ ହେଉ କି ବିଜେପି ବା ବିଜେଡି,ନିଜ ସରକାର ଯାହାର ଯେଉଁଠି ନାହିଁ,କେବଳ ସେହି ସ୍ଥାନର ଦୁଷ୍କର୍ମ ଏମାନଙ୍କୁ ଦିଶୁଛି।

ଏବେ କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀ ସେକ୍ସ ରାକେଟରୁ ଖସି ଆସିବା ପରେ ତାଙ୍କୁ ଏକ ଲଜରେ ରଖାଯାଇ,ନିଶା ଟାବଲେଟ ଦେଇ ଗଣଦୁଷ୍କର୍ମ କରାଯାଉଥିବା ଘଟଣା ସାମ୍ନାକୁ ଆସିଲା।ଏହାକୁ ବିଜେପି ମହିଳା ମୋର୍ଚ୍ଚା ଏକ ଇସ୍ୟୁ କରାଇଲା।କୋଣାର୍କରେ “ଅନ ଲାଇନ ସେକ୍ସ” କାରବାର ଚାଲୁଛି।ଏବଂ ଏଥିରେ ଅନେକ ବାହୁବଳୀ, ରାଜନେତା,ପୁଲିସ,ପ୍ରଶାସନିକ ଅଧିକାରୀ ଜଡ଼ିତ ବୋଲି ଅଭିଯୋଗ କରି କୋଣାର୍କକୁ ଦେହବେପାର ମୁକ୍ତ ଅଞ୍ଚଳ କରିବା ଦାବିରେ ଅକ୍ଟୋବର ୨୬ରେ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦେଇଛି ମହିଳା ମୋର୍ଚ୍ଚା।

ଏବେ କିଛି ଦିନ ତଳେ କନ୍ଧମାଳରେ ଦୁଷ୍କର୍ମ ଘଟଣା ପ୍ରତିବାଦରେ କନ୍ଧମାଳ ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।ଏବେ ପୁଣି କୋଣାର୍କରେ।କିନ୍ତୁ,ଏଭିତରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଜଣେ ଯୁବତୀର ମୃତ୍ୟୁ ଘଟିଲା।ଦୁଷ୍କର୍ମ ପରେ ତାକୁ ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି।ଅପରାଧୀ ଯୁବତୀଙ୍କୁ ଆକ୍ରମଣ କରି ଛାଡ଼ି ଦେଇଯିବା ପରେ ମଧ୍ୟ ଯୁବତୀଙ୍କଠାରେ ଜୀବନ ଥିଲା।ଛଟପଟ ହେଉଥିଲେ ସିଏ।ପୁଲିସ ଡାକ୍ତରଖାନା ନେବା ବେଳକୁ ସବୁ ସରିଯାଇଥିଲା।ମୃତ୍ୟୁ ବରଣ କରିଥିଲେ ଯୁବତୀ।ଅତ୍ୟନ୍ତ ବିଭତ୍ସ ଭାବରେ ଆକ୍ରମଣ କରାଯାଇଥିଲା ତାଙ୍କୁ।ଯୁବତୀ ଜଣଙ୍କ କଷ୍ଟରେ ଛଟପଟ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଲା।କିନ୍ତୁ ଏହି ଭଳି ଘଟଣାରେ ତୁରନ୍ତ ଆନ୍ଦୋଳନକୁ ଡେଇଁ ପଡ଼ୁଥିବା ବିଜେପି ମହିଳା ମୋର୍ଚ୍ଚା କିନ୍ତୁ ଏ ଘଟଣାରେ ଏପର୍ଯ୍ୟନ୍ତ ସେପରି କିଛି ପଦକ୍ଷେପ ନେଇ ନାହିଁ।କେବଳ ଜିଲ୍ଲା ବିଜେପି ସଭାନେତ୍ରୀ,ଜିଲ୍ଲା ସଭାପତି ଏବଂ ଆଉ ଦୁଇ,ତିନି ଜଣ ନେତାଙ୍କ ସହ ଯାଇ ଏସପି ଅଫିସରେ ଆଲୋଚନା କରିଛନ୍ତି।ବିଜେପିର କେଉଁ ମହିଳା ପ୍ରତିନିଧି ଦଳ ଆସିନାହାଁନ୍ତି।

କିନ୍ତୁ ଏଇ ନିକଟରେ ନୟାଗଡ଼ରେ ଏକ ଦୁଷ୍କର୍ମ ଘଟଣାରେ ସୁରମା ପାଢ଼ୀଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ଟିମ ଯାଇଥିଲେ ଡାକ୍ତରଖାନା।ଡାକ୍ତରଖାନାକୁ ଯିବା ସମୟର କୋଷେ ଦୂରରୁ ନିଜର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।କିନ୍ତୁ ଖୋର୍ଦ୍ଧା ନିରାକାରପୁର ଘଟଣାରେ ସେପରି କିଛି ଦେଖିବାକୁ ମିଳିଲାନି।ଏଣେ,କିନ୍ତୁ କୋଣାର୍କ ଘଟଣାରେ ରାଜ୍ୟ ମହିଳା ମୋର୍ଚ୍ଚା ବନ୍ଦ ଡାକରା ଦେଲା।କାରଣ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କର ସେହି ଅଞ୍ଚଳ।ତାଙ୍କୁ ନିର୍ବାଚନ ଲଢ଼ିବାର ଅଛି।ନାଁ ନେବାର ଅଛି।ସୁରମା ପାଢ଼ୀ ମଧ୍ୟ ରଣପୁରରୁ ଆଶାୟୀ।ଫଳରେ ଘଟଣାର ଗୁରୁତ୍ୱ ଅନୁଯାୟୀ ନୁହେଁ,ନିଜ ଅଞ୍ଚଳ ଏବଂ ନିଜ ରାଜନୀତି ପାଇଁ ରାଜ୍ୟ ମହିଳା ମୋର୍ଚ୍ଚାକୁ ନିଜ ପାଇଁ ବ୍ୟବହାର କରାଯାଉଛି।କାରଣ ଯଦି ସେକ୍ସ କାରବାର କଥାକୁ ନେଇ ଆନ୍ଦୋଳନ ବା ବନ୍ଦ କରିବାର ଥିଲା ତେବେ ପ୍ରଥମେ ତ’ ଭୁବନେଶ୍ୱରରେ କରିବାର ଥିଲା।ଭୁବନେଶ୍ୱରରେ ଏପରି ଘଟଣା ତ’ ବାରମ୍ବାର ଜଣାପଡ଼ିଛି।ଖୋଦ ମେୟରଙ୍କ ସଂପୃକ୍ତି କଥାରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ସେପରି କିଛି ବଡ଼ ଧରଣର ପଦକ୍ଷେପ ନେବା ଦେଖାଯାଇନି।

https://www.facebook.com/suramaaab/videos/2242284032694845/

ମହିଳା ସୁରକ୍ଷା ଯାତ୍ରା ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ଡକାଗଲା।ସେଥିରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପୁଲିସ ଥାନାଗୁଡିକୁ କାଠଗଡ଼ାକୁ ଟାଣିଲା ବିଜେପି ମହିଳା ମୋର୍ଚ୍ଚା।ରାଜ୍ୟସାରା କେତୋଟି ଥାନା ଅଭିଯୋଗ ଠିକରେ ଗ୍ରହଣ କରୁନାହାଁନ୍ତି ସେ ଥାନା ମାନଙ୍କର ସଂଖ୍ୟା ମଧ୍ୟ ଗଣିଦେଲା ମହିଳା ମୋର୍ଚ୍ଚା।କିନ୍ତୁ ଯାହାକୁ ମୁଖ୍ୟ ଟାର୍ଗେଟ କରିବା କଥା,ରାଜ୍ୟ ମହିଳା କମିଶନ ବିରୋଧରେ ରହସ୍ୟଜନକ ଭାବରେ ପଦୂଟିଏ କହିଲାନି ମହିଳା ମୋର୍ଚ୍ଚା।

କୁନ୍ଦୁଲି ଦୁଷ୍କର୍ମ ଘଟଣାକୁ ନେଇ ବହୁ ହୋ ହାଲା ହେଲା।କିନ୍ତୁ ନ୍ୟାୟ ନପାଇ ପିଡ଼ୀତା ଆତ୍ମହତ୍ୟା କଲା।ଏହାପରେ କୋକେଇ ଶୋଭାଯାତ୍ରାଠାରୁ ଦୀପଦାନ ପର୍ଯ୍ୟନ୍ତ ସବୁ ଚାଲିଲା।କିନ୍ତୁ ଫଳ କ’ଣ ମିଳିଲା?ବିଜେପି କୁନ୍ଦୁଲି ଘଟଣାକୁ ନେଇ ବେଶୀ ଆନ୍ଦୋଳନ କରୁଥିଲା।ସିବିଆଇ ତଦନ୍ତ ଦାବି କରୁଥିଲା।ପରେ ସେ ଘଟଣା ପୁରୁଣା ହୋଇଗଲା।ପୁଣି ଆଉ ଏକ ନୂଆ ଇସୁ ଆବଶ୍ୟକ ପଡ଼ିଲା।ଆସିଲା ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା।ଏ ନେଇ ପୁଣି ଦୀପ ଜାଳିଲା ବିଜେପି ମହିଳା ମୋର୍ଚ୍ଚା।କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଇତିଶ୍ରୀ କଥାରେ କ’ଣ କହିବ?ଇତିଶ୍ରୀ ଘଟଣା ତ’ ସିବିଆଇ ହାତକୁ ଗଲା।କିନ୍ତୁ ଏବେ କୋଉଠି ସିବିଆଇ ତଦନ୍ତ?ସେହିପରି କଂଗ୍ରେସ କଥା କହିଲେ,ଅଞ୍ଜନା ଘଟଣା କ’ଣ ହେଲା?ଛବିରାଣୀ ହତ୍ୟାକାଣ୍ଡ କ’ଣ ହେଇଥିଲା? ଶେଷରେ ‘ଛବିରାଣୀ ହତ୍ୟାକାଣ୍ଡ’ ନାମରେ ଏକ ଯାତ୍ରା ପ୍ରସ୍ତୁତ ହୋଇ ମନୋରଂଜନ ଏବଂ ବ୍ୟବସାୟର ମାଧ୍ୟମ ହୋଇ ରହିଗଲା। କୋଉଠି ପୀଡ଼ିତା ନ୍ୟାୟ ପାଇଲେ? କୋଉଠି ଦୋଷୀ ଦଣ୍ଡ ପାଇଲା?

ବାଲେଶ୍ୱର ଜିଲ୍ଲାରେ ଜୁଆ ଖେଳରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବା ଭଳି ଏକ ଘଟଣା ଘଟିଲା। ଜୁଆ ଖେଳରେ ହାରି ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଡାକିନେଇ ବିଲ ମଝିରେ ଜୁଆ ଜିତିଥିବା ବ୍ୟକ୍ତିଙ୍କ ପାଖରେ ଛାଡିଦେବାରୁ ସେଠାରେ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହେଲା।ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣା ସେତେବେଳେ ସାଧାରଣରେ ଆଲୋଡନ ସୃଷ୍ଟି କଲା।ବଳାତ୍କାର ଶିକାର ହୋଇଥିବା ପୀଡିତା ସ୍ଥାନୀୟ ଥାନାରେ ଦ୍ୱାରସ୍ଥ ହୋଇ ନ୍ୟାୟ ନପାଇବାରୁ ଶେଷରେ ବାଲେଶ୍ୱର ଏସ୍‌ପିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଲା।ଏହି ସମୟରେ ବିଜେପିର “ମହିଳା ସୁରକ୍ଷା ଯାତ୍ରା” ଚାଲିଥିବା ବେଳେ ବିଜେପି ନେତ୍ରୀ ଡଃ: ଲେଖାଶ୍ରୀ ସାମନ୍ତସିଂହାର ଏବଂ କିଛି ନାରୀ ନେତ୍ରୀ ଯାଇ ସଂପୃକ୍ତ ପିଡ଼ୀତାଙ୍କୁ ଭେଟିଥିଲେ ଏବଂ ପିଡ଼ୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ।ତେବେ ଲେଖାଶ୍ରୀ ଏପରି ଦାବି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ବେଳେ ନିଜ ସହ ପିଡ଼ୀତାଙ୍କ ଫଟୋ ଜାରି କରିଥିଲେ।ଆଇନ ଅନୁଯାୟୀ କେହି ପିଡ଼ୀତାଙ୍କ ପରିଚୟ ସାଧାରଣରେ ପ୍ରକାଶ କରିପାରିବେ ନାହିଁ।ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୨୮(ଏ) ଅନୁଯାୟୀ ପିଡ଼ୀତାଙ୍କ ନାମ/ପରିଚୟ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ।କିନ୍ତୁ ପିଡ଼ୀତା ପାଇଁ ମନରେ ବ୍ୟଥା ନୁହଁ ବୋଧେ ନିଜ ପ୍ରଚାରରେ ମଗ୍ନ ରହି ଲେଖାଶ୍ରୀ ଏପରି କରିଥିଲେ।

ପୂର୍ବରୁ କିଛି ଘଟଣାକୁ ଦେଖିଲେ ଏହି ନେତ୍ରୀମାନଙ୍କର ଯେ ପିଡ଼ୀତାଙ୍କ ପାଇଁ ମନରେ ବ୍ୟଥା ନୁହଁ ଏସବୁ ନିଜ ପ୍ରଚାର ପାଇଁ କରୁଥିବା ଜଣାପଡ଼େ।ଭଦ୍ରକରେ ଏହି ସୁରକ୍ଷା ଯାତ୍ରା ସମୟରେ ଜଣେ ପିଡ଼ୀତା ଲେଖାଶ୍ରୀଙ୍କୁ ଭେଟି ଅଭିଯୋଗ କରିଥିବା ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପିଡ଼ୀତାଙ୍କୁ ପୋଲିସ ଟଙ୍କା ଯାଚିବା,ଗାଡ଼ି ଚଢ଼େଇ ମାରିଦେବା ପରି ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ଆଣି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ବାସ ସୋସିଆଲ ମିଡିଆରେ ପୋଷ୍ଟ କରି ରହିଗଲେ।ପିଡ଼ୀତାଙ୍କ ପାଇଁ କିପରି କଣ ସହାୟତା କରାଯାଇ ପାରିବ କି କ’ଣ ସେ ନେଇ ଆଉ ତାଙ୍କର ଚିନ୍ତା ରହିଲା ନାହିଁ।ସତେ ଯେପରି ବାହାରି ପଡିଲେ ଆଉ ଜଣେ ଦୁଷ୍କର୍ମ ପିଡ଼ୀତା ସନ୍ଧାନରେ,ନିଜ ପ୍ରଚାର ଯୋଜନାରେ ବାଲେଶ୍ୱର ଅଭିମୁଖେ।

ଅବଶ୍ୟ ସବୁ କ୍ଷେତ୍ରରେ ବା ସବୁ ମହିଳା ନେତ୍ରୀ ଯେ କେବଳ ନିଜର ରାଜନୈତିକ ଫାଇଦା ପାଇଁ ଏପରି କରୁନାହାଁନ୍ତି।ଅନେକ ଅଛନ୍ତି,ଯିଏ ଏପରି କାର୍ଯ୍ୟଧାରାକୁ ପସନ୍ଦ କରୁନଥିଲେ ମଧ୍ୟ ଦଳୀୟ ଶୃଙ୍ଖଳା ଦୃଷ୍ଟିକୋଣରୁ କିମ୍ବା ଭୟରେ ପ୍ରତିବାଦ କରିପାରୁ ନାହାଁନ୍ତି।ଏପରି ବି ନେତ୍ରୀ ଅଛନ୍ତି ଯିଏ ଗରୀବ ବସ୍ତି ଅଞ୍ଚଳର କୌଣସି ପିଡ଼ିତାକୁ ଯାଇ ସହଯୋଗ କରିଛନ୍ତି।ପୁଲିସ ପାଖକୁ ଯାଇ ପିଡ଼ିତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି।କିନ୍ତୁ ଏହାକୁ ସେ ପ୍ରଚାର/ପ୍ରସାର କରାଇ ନାହାଁନ୍ତି।ପୀଡ଼ିତାର ପରିଚୟ ଲୋକଲୋଚନକୁ ଆଣି,ପିଡ଼ିତାକୁ ମୋହରା କରି ନିଜର ପ୍ରଚାର କରାଇବା ଅପେକ୍ଷା ଜଣେ ମହିଳା ହିସାବରେ ଜଣେ ମହିଳାଙ୍କୁ ସାହାଯ୍ୟ କରିଛନ୍ତି ସିଏ।ଧନ୍ୟ ସେହିପରି ନେତ୍ରୀ ଏବଂ ଧନ୍ୟ ତାଙ୍କର ବିଚାରଧାରା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.