Home ଓଡ଼ିଶା ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?

ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?

115

ଜୁଲାଇ ୧ ତାରିଖରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି।ତାହା ପୁଣି କୌଣସି ସମାବେଶ ପାଇଁ ନୁହେଁ।ସାଙ୍ଗଠନିକ କାମ ପାଇଁ।ତେବେ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏପରି ଗଣ୍ଡଗୋଳ ଏବଂ ଗଣ୍ଡଗୋଳର ମୂଳ କାରଣ ଯଦି ଅମିତ ଶାହାଙ୍କୁ ଆଭାସ ମିଳେ ତେବେ ଯେ କ’ଣ ହେବ ତାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଚିନ୍ତା କରିବାର ଆବଶ୍ୟକତା ଅଛି।

ଭୁବନେଶ୍ୱର (ଦେବଦତ୍ତ ରଥ):ନୟାଗଡ଼ ବିଜେପିର ୨ ଗୋଷ୍ଠି ମଧ୍ୟରେ ଘଟିଛି ଗଣ୍ଡଗୋଳ।ଗଣ୍ଡଗୋଳରେ ଦୁଇ ଗୋଷ୍ଠୀର କିଛି ଜଣ ଆହତ ହୋଇଛନ୍ତି।

ବିଜେପିର ଇରାନୀ ରାୟ ଏବଂ ପ୍ରଦୀପ୍ତ ଜେନାଙ୍କ ସମର୍ଥକ ଗୋଷ୍ଠି ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି।ଲାଲା ମନୋଜ ରାୟ ପ୍ରଥମେ କଂଗ୍ରେସରେ ଥିଲେ।ପରେ ବିଜେପିକୁ ଆସିଛନ୍ତି।ତାଙ୍କ ପତ୍ନୀ ଇରାନୀ ରାୟ ଏବେ ବିଜେପିରେ ସକ୍ରିୟ ରାଜନୀତି କରୁଛନ୍ତି।କିନ୍ତୁ ଗତଥର ବିଜେପି ପାର୍ଥି ଥିଲେ ପ୍ରଦୀପ୍ତ ଜେନା।ତେଣୁ ଭିତରେ ଭିତରେ ଉଭୟ ନୟାଗଡ଼ ବିଧାନସଭା ଟିକେଟ ପାଇଁ ଆଶାୟୀ।ବିଜେପି ପକ୍ଷରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଇରାନୀ ରାୟଙ୍କ ଫଟୋ ମରାଯିବାକୁ ନେଇ ଏ ଗଣ୍ଡଗୋଳ କୁହାଯାଉଛି।ପ୍ରଦୀପ୍ତଙ୍କ ଗୋଷ୍ଠି ପକ୍ଷରୁ କହିବା ଅନୁଯାୟୀ ଆଗାମୀ ନିର୍ବାଚନ ପାଇଁ ପାର୍ଥି ଘୋଷଣା ନହେବା ଯାଏଁ ଗତ ଥରର ପାର୍ଥି ହିଁ ବିଧାନସଭା ନେତା।କାର୍ଯ୍ୟକ୍ରମରେ ତାଙ୍କ ଫଟୋ ରହିବା କଥା।

ଏଇ କିଛି ଦିନ ତଳେ ଠିକ୍ ଏହିପରି ଏକ ଗଣ୍ଡଗୋଳ ଘଟିଥିଲା ଭଦ୍ରକ ବିଜେପିରେ।ଭଦ୍ରକ ବିଜେପିର ଦୁଇ ନେତା ପ୍ରଦୀପ ନାୟକ ଏବଂ ତୁଷାର ଜେନାଙ୍କ ସମର୍ଥକ ଗୋଷ୍ଠି ଭିତରେ ଗଣ୍ଡଗୋଳ ଘଟିଥିଲା।ତୁଷାର ପୂରୁଣା ବିଜେପି ନେତା ରହି ଆସିଥିବା ବେଳେ ପ୍ରଦୀପ କଂଗ୍ରେସରୁ ଆସି ଗତ ଥର ବିଜେପିରୁ ପାର୍ଥି ହୋଇଥିଲେ।ତୁଷାର ଏକ ପ୍ରକାର ନିଷ୍କ୍ରିୟ ଥିଲେ।ତେବେ ହଠାତ ତୁଷାର ଏବେ ସକ୍ରିୟ ହୋଇ ଉଠିଛନ୍ତି।ତୁଷାର ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମକୁ ପ୍ରଦୀପଙ୍କୁ ଡକାଯାଇ ନଥିଲା।କିନ୍ତୁ ପ୍ରଦୀପ ନିଜ ସମର୍ଥକଙ୍କୁ ଧରି କାର୍ଯ୍ୟକ୍ରମ ସ୍ଥଳକୁ ଜୋର ଜବରଦସ୍ତ ଯାଇଥିଲେ।ତୁଷାର ସମର୍ଥକ ତାଙ୍କୁ ସେଠାରେ ଅଟକାଇ ଥିଲେ।ଫଳରେ ଗଣ୍ଡଗୋଳ ଉପୁଜିଥିଲା।ତୁଷାରଙ୍କ ଗୋଷ୍ଠି କହିବା କଥା ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା।କାହାକୁ ଡାକିବେ ନଡାକିବେ ତାଙ୍କ ଇଚ୍ଛା।କିନ୍ତୁ ପ୍ରଦୀପଙ୍କ ଗୋଷ୍ଠୀ କହିବାର ଥିଲା ଯେ ଯଦି ବ୍ୟକ୍ତିଗତ କାର୍ଯ୍ୟକ୍ରମ ତେବେ ମୋଦୀ, ଶାହାଙ୍କ ଫଟୋ ଏବଂ ବିଜେପି ଚିନ୍ହ କାହିଁକି ବ୍ୟବହାର କରାଯାଇଥିଲା?

ଦୁଇଟି ଯାକ ସ୍ଥାନର ଗଣ୍ଡଗୋଳ ସମାନ ଧରଣର।ନୂଆ/ପୂରୁଣା, ମୂଳ ବିଜେପି/ପରେ ମିଶିଥିବା ବିଜେପିକୁ ନେଇ ଏ ଗଣ୍ଡଗୋଳ।କିଏ ବିଧାନସଭା ନେତା, ଏହାକୁ ନେଇ ବିବାଦ।ତେବେ ଏ ବିବାଦକୁ ରାଜ୍ୟ ନେତୃତ୍ୱ କେତେଦୂର ସମ୍ଭାଳି ପାରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।କାରଣ ଏ କଳିର ମଞ୍ଜି ରାଜ୍ୟ ବିଜେପି ନେତା ହିଁ ବୁଣିଛନ୍ତି।ଭଦ୍ରକ ହେଉ ଅବା ନୟାଗଡ଼।ଏ ଗଣ୍ଡଗୋଳ ଏମିତି ହଠାତ ଘଟି ଯାଇନି।ଭିତରେ ଭିତରେ ବିବାଦ କୁହୁଳି ଶେଷରେ ଗଣ୍ଡଗୋଳ ରୂପ ନେଇଛି।ରାଜ୍ୟ ବିଜେପି ନେତୃତ୍ୱ ମଧ୍ୟ ପୂର୍ବରୁ ଏନେଇ ଅବଗତ ଅଛି।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ “ମହିଳା ସୁରକ୍ଷା ଯାତ୍ରା” ସମୟରେ ରୁଟ ୩ର ନେତ୍ରୀ ସୁରମା ପାଢ଼ୀଙ୍କ ଜାଣତରେ ଏବଂ ଗୋଷ୍ଠି ବିବାଦର ପ୍ରଭାବରେ ଇରାନୀ ରାୟ ସୁରକ୍ଷା ଯାତ୍ରା ଅଧାରୁ ଛାଡ଼ି ଚାଲି ଯାଇଥିଲେ।ଇରାନୀଙ୍କୁ ଯାତ୍ରା ସମୟରେ କହିବାକୁ ସୁଯୋଗ ଦିଆନଯିବା ଉଦେଶ୍ୟମୂଳକ ଭାବରେ ଅଣଦେଖା କରାଯିବା କଥା ଉଠିଥିଲା।ଏପରି ଘଟଣା କେବଳ ନୟାଗଡ଼ରେ ନୁହଁ ଅନେକ ସ୍ଥାନରେ ଏପରି ଅସନ୍ତୋଷ ରହିଛି।ଦଳୀୟ ଶୃଙ୍ଖଳା ନାମରେ ଏହାକୁ ଚାପି ଦିଆଯାଉଛି।କିନ୍ତୁ କେଉଁଠି କେଉଁଠି ଅସନ୍ତୋଷ କୁହୁଳୁଛି।ଯେପରି ଘଟିଥିଲା ମୟୁରଭଞ୍ଜରେ।ସୁରକ୍ଷା ଯାତ୍ରା ସମୟରେ ଛବି ମାହାଲି ସେହିପରି ଅବହେଳାର ଶିକାର ହେବା କଥା ଉଠାଇଥିଲେ।ଛବି ସଭାସ୍ଥଳରେ ହିଁ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ।ସେ ମଧ୍ୟ ନବାଗତା ବିଜେପି।ଧର୍ମେନ୍ଦ୍ର ତାଙ୍କୁ ଦଳକୁ ଆଣିଥିଲେ ଏବଂ ଧର୍ମେନ୍ଦ୍ର ତାଙ୍କ ଅଭିଯୋଗ ନଶୁଣିଲେ ସେ ଅନେକ କଥା ଖୋଲିଦେବେ ବୋଲି କହିଥିଲେ।ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଚିଠି ଲେଖିଥିଲେ।

ଭଦ୍ରକ ଘଟଣା ବି ସେହିପରି ସେଠାକାର ରାଜନୀତି ମନମୋହନ ସାମଲ, ବିଷ୍ଣୁ ସେଠି, ବଦ୍ରୀ ନାରାୟଣ ଧଳଙ୍କୁ ଆଦି ଭଳି କିଛି ନେତାଙ୍କୁ ନେଇ କେନ୍ଦ୍ରୀଭୂତ।ବଦ୍ରୀ କଂଗ୍ରେସରୁ ଆସି ବିଜେପିରୁ ଗତଥର ପାର୍ଥି ହୋଇଥିଲେ।ଏବେ ସେ ଜିଲ୍ଲା ସଭାପତି।ତେବେ ତାଙ୍କୁ ନୂଆ ନାଁ ପୁରୁଣା କଣ କୁହାଯିବ?ଏମାନେ ସବୁ କିଏ ଭଦ୍ରକ ତ’ କିଏ ଭଣ୍ଡାରପୋଖରୀ କିଏ ଧାମନଗର ତ’ କିଏ ଚାନ୍ଦବାଲି, ବାସୁଦେବପୁର ପାଇଁ ଆଶାୟୀ।ଯିଏ ଯାହା ଯୋଜନା ଅନୁଯାୟୀ ରଣନୀତି କରୁଛନ୍ତି।ଏମାନଙ୍କ ବ୍ୟତୀତ ଆଉ କିଛି ନୂଆ ଚେହେରା ମଧ୍ୟ କେଉଁ କେଉଁ ସ୍ଥାନରୁ ଆଶାୟୀ ରହୁଛନ୍ତି।ଏ ଭିତରେ ଏବେ ହଠାତ ପସି ଆସିଛନ୍ତି ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ।ରାଜ୍ୟ ବାହାର ସଙ୍ଗଠନ ଦାୟିତ୍ୱରେ ରହିବା ପରେ ସେ ଏବେ ନିଜ ଯୋଜନା ଆଶାରେ।ତେଣୁ ସେଠାରେ ଘଟୁଥିବା ସବୁ ଘଟଣାରେ ଏହିମାନେ ହିଁ ରହିଥାଆନ୍ତି।

ତେବେ ଏସବୁ ବିବାଦର ମୂଳ କାରଣ ହେଲା କିଏ ବିଧାନସଭା ନେତା?ଏବେଠୁ ବିଧାନସଭା ନେତା ଭଳି ଏକ ଅଘୋଷିତ ପଦବୀକୁ ନେଇ ଯିଏ ଯାହା ଅଞ୍ଚଳରେ ଲାଳାୟିତ।କାର୍ଯ୍ୟକ୍ରମରେ ଫଟୋ ରହିଲେ, ବିଧାନସଭା ନେତା କୁହାଗଲେ ସେଥିରୁ ସେମାନେ ବିଧାନସଭା ଟିକେଟକୁ ଭାବି ନେଇଛନ୍ତି।ଭଦ୍ରକ କି ନୟାଗଡ଼ ନୁହେଁ, ରାଜ୍ୟରେ ଅନେକ ସ୍ଥାନରେ ସମାନ ସ୍ଥିତି।ଏବଂ ଏପରି ସ୍ଥିତି ଏବଂ ସେମାନଙ୍କ ମନରେ ଏ ଲାଳଶା ପାଇଁ ରାଜ୍ୟ ବିଜେପି ନେତୃତ୍ୱ ହିଁ ଦାୟୀ।କାରଣ ରାଜ୍ୟ ବିଜେପି ଠାରୁ ଆରମ୍ଭ କରି ଜିଲ୍ଲା ବିଜେପି ତଥା ବିଭିର୍ଣ୍ଣ ମୋର୍ଚ୍ଚାରେ ସାଙ୍ଗଠନିକ ଦାୟିତ୍ୱରେ ଥିବା ବ୍ୟକ୍ତିର ଗୁରୁତ୍ୱ କମ।ରାଜ୍ୟ ବିଜେପିରେ ବିଭିର୍ଣ୍ଣ ନିଷ୍ପତିରେ ସଭାପତି ବସନ୍ତ ପଣ୍ଡାଙ୍କ ଅପେକ୍ଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଭାବ ଅଧିକ।ବସନ୍ତ ପଣ୍ଡା ନୁହେଁ, ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସମସ୍ତେ କାମ କରୁଛନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ନିଜେ କହୁଛନ୍ତି।ଜିଲ୍ଲା ଅବସ୍ଥା ସେୟା।ଜିଲ୍ଲା ସଭାପତିଙ୍କର ଗୁରୁତ୍ୱ କିଛି ନାହିଁ।ବିଧାନସଭା ନେତା ହିଁ ସବୁ କିଛି ପରି ସ୍ଥିତି କରାଇ ଦିଆଯାଇଛି।

ଏଭିତରେ ଆସନ୍ତା ଜୁଲାଇ ୧ ତାରିଖରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି।ତାହା ପୁଣି କୌଣସି ସମାବେଶ ପାଇଁ ନୁହେଁ।ସାଙ୍ଗଠନିକ କାମ ପାଇଁ।ତେବେ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏପରି ଗଣ୍ଡଗୋଳ ଏବଂ ଗଣ୍ଡଗୋଳର ମୂଳ କାରଣ ଯଦି ଅମିତ ଶାହାଙ୍କୁ ଆଭାସ ମିଳେ ତେବେ ଯେ କ’ଣ ହେବ ତାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଚିନ୍ତା କରିବାର ଆବଶ୍ୟକତା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.