Home ଓଡ଼ିଶା ବ୍ରାହ୍ମଣୀଝରୀ ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳକଷ୍ଟ- ସୋଲାର ସିଷ୍ଟମ ନଳକୂପରୁ ବାହାରୁଛି ଲାଲପାଣି-ନଳକୂପ ଖରାପ, ମରାମତି...

ବ୍ରାହ୍ମଣୀଝରୀ ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳକଷ୍ଟ- ସୋଲାର ସିଷ୍ଟମ ନଳକୂପରୁ ବାହାରୁଛି ଲାଲପାଣି-ନଳକୂପ ଖରାପ, ମରାମତି ହେଉନି

145

କେନ୍ଦୁଝର ତା୨୪.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଖରାତାତି ବଢିବା ସାଙ୍ଗକୁ ଦେଖା ଦେଲାଣି ଜଳକଷ୍ଟ। ଗ୍ରାମାଞ୍ଚଳରେ ରହିଥିବା ପୋଖରୀ, ବନ୍ଧ ଆଉ କିଛି ଦିନ ପରେ ଶୁଖିଲା ପଡିବ। ଖାଲୁଆ ଜାଗା, ଜଳଉତ୍ସ ଗୁଡିକ ମଧ୍ୟ ଶୁଖିବାକୁ ଆରମ୍ଭ କଲାଣି। ଭୂତଳ ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ, ଗ୍ରାମାଞ୍ଚଳରେ ରହିଥିବା ନଳକୂପ ଗୁଡିକରୁ କମ ପାଣି ବାହାରୁଛି, ଯାହା ଫଳରେ ପାନୀୟ ଜଳର ଚାହିଦା ମେଣ୍ଟୁ ନାହିଁ।

ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ଗ୍ରାମାଞ୍ଚଳର ନଳକୂପ ସଜଡା ଯାଉଛି, ହେଲେ ୩/୪ ଦିନ ପରେ ପାଣି ବାହାରୁ ନାହଁି।

ଗ୍ରାମାଞ୍ଚଳ ଅପେକ୍ଷା ଜଙ୍ଗଲାଞ୍ଚଳରେ ରହିଥିବା ଗ୍ରାମ, ବସ୍ତି ଗୁଡିକରେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଦେଖା ଦେଲାଣି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର, ନୟାଗଡ, ମଲଦା, କୁଟୁଗାଁ, ନିଶ୍ଚିନ୍ତପୁର ପଂଚାୟତ ଗୁଡିକର ବହୁ ଗ୍ରାମରେ ପାନୀୟ ଜଳକଷ୍ଟ ଦେଖା ଦେଇଛି। ଏହି ସବୁ ଅଂଚଳରେ ରହିଥିବା ନଳକୂପ ଗୁଡିକ ସଜଡା ଯିବାପରେ ମଧ୍ୟ ବାରମ୍ବାର ଅଚଳ ହୋଇ ପଡୁଥିବା ଯୋଗୁଁ ଗଭୀର ନଳକୂପ କରାଯାଇ ସୋଲାର ସିଷ୍ଟମ କରାଯାଇଛି, ହେଲେ ଏବେ ଦେଖା ଯାଉଛି, ବହୁ ସୋଲାର ସିଷ୍ଟମ ନଳକୂପରୁ ଲାଲପାଣି କଟୁ ଗନ୍ଧ ଯୁକ୍ତ ହୋଇଥିବାରୁ ପାନୀୟ ଜଳ ଭାବେ ବ୍ୟବହୃତ ହୋଇ ପାରୁନାହିଁ।

ଜଙ୍ଗଲାଞ୍ଚଳରେ ଅବସ୍ଥିତ କୁଟୁଗାଁ ଗ୍ରାମ ପଂଚାୟତର ବ୍ରାହ୍ମଣୀଝରୀ ଗ୍ରାମବାସୀ ସବୁ ବର୍ଷ (ବିଶେଷ ଭାବେ ଖରାଦିନରେ) ପାନୀୟ ଜଳକଷ୍ଟ ଭୋଗୀ ଆସୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏବେ ଠାରୁ ପାନୀୟ ଜଳ କଷ୍ଟ ଦେଖା ଦେଲାଣି।

ଚାରିଆଡ ଜଙ୍ଗଲ ପରିବେଷ୍ଟିତ ପାହାଡ ଉପରେ ରହିଥିବା ଗାଁ ବ୍ରାହ୍ମଣୀଝରୀ। ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ଠାରୁ ଏହି ଗ୍ରାମର ଦୂରତ୍ୱ ୧୫କି.ମି। ବ୍ରାହ୍ମଣୀଝରୀ ଗ୍ରାମ ପହଁଚି ବାକୁ ହେଲେ, କଙ୍କଡାଜୋଡି ଘଟି ରାସ୍ତା ସହିତ ୪କି.ମି ଜଙ୍ଗଲ ରାସ୍ତା ପାର କରିବାକୁ ପଡିଥାଏ। ଆଦିବାସୀ ଅଧ୍ୟୂଷିତ ଏହି ଗ୍ରାମର ଲୋକ ସଂଖ୍ୟା ୭୦୦ରୁ ଉର୍ଦ୍ଧ ହୋଇଥିବା ବେଳେ, ନାମମାତ୍ର ଚାଷାଦି କାର୍ଯ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହିତ ଶ୍ରମଜୀବି ଭାବେ ଗ୍ରାମବାସୀ ଜୀବନ ଜୀବିକା ଚଳାଇଥାନ୍ତି। କୁଟୁଗାଁ ଗ୍ରାମ ପଂଚାୟତର ୯ନଂ ଏବଂ ୧୦ନଂ ୱାର୍ଡ ଏହି ଗ୍ରାମରେ ରହିଛି। ଗାଁ ମୁଣ୍ଡରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ ଓ ଏକ ଅଙ୍ଗନୱାଡି ସେଣ୍ଟର। ପ୍ରଥମରୁ ସପ୍ରମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ୮୮ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ବିକ୍ଷିପ୍ତ ଭାବେ ରହିଥିବା ୫ଟି ସାହି ଓ ୨ଟି ବସ୍ତୀକୁ ନେଇ ବ୍ରାହ୍ମଣୀଝରୀ ଗାଁ ଗଠିତ।

ବର୍ଷ ବର୍ଷ ଧରି ବ୍ରାହ୍ମଣୀଝରୀ ଗ୍ରାମବାସୀ ପାନୀୟଜଳ ଓ ରାସ୍ତା ସମସ୍ୟାରେ ଯୁଝି ହେଉଛନ୍ତି। କଙ୍କଡାଯୋଡି ଘାଟି ରାସ୍ତା (ପୂର୍ତ ବିଭାଗ ରାସ୍ତା) ପାଖରୁ ବ୍ରାହ୍ମଣୀଝରୀ ଗାଁକୁ ମାଟି ରାସ୍ତା ରହିଥିଲେ ହେଁ, ବର୍ଷା ଦିନରେ ଏହି ରାସ୍ତାରେ ଯିବା ଆସିବା ଏକା ବେଳକେ ଅସମ୍ଭବ ହୋଇ ପଡେ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଗାଁରେ ରହିଛି ୫ଟି ନଳକୂପ, ହେଲେ ଏବେ ସବୁ ଗୁଡିକ ଅଚଳ। ପାନୀୟ ଜଳ ସମସ୍ୟାକୁ ଆଖି ଆଗରେ ରଖି ଖଣି କ୍ଷତିଗ୍ରସ୍ଥ ଭାବେ ପରିଚିତ ଏହି ଗ୍ରାମରେ ଚଳିତ ବର୍ଷ ଜିଲା ଖଣିଜ ପାଣ୍ଠି ବ୍ୟୟ କରାଯାଇ ୪ଟି ସୋଲାର ସିଷ୍ଟମ ନଳକୂପ କରାଯାଇଛି, ହେଲେ ଗୋଟିଏ ସୋଲାର ନଳକୂପର ଜଳ ପାନୀୟ ଜଳ ପାଇଁ ଉପଯୋଗୀ ହୋଇଥିବା ବେଳେ, ଅନ୍ୟ ୩ଟିରୁ ୨ଟିରେ ଗନ୍ଧଯୁକ୍ତ ଲାଲାପାଣି ବାହାରୁଛି ଏବଂ ଗୋଟିଏ ସୋଲାର ନଳକୂପ ଅଚଳ ହୋଇ ଯାଇଛି।

ଅଚଳ ନଳକୂପକୁ ସଜାଡିବା, ସୋଲାର ସିଷ୍ଟମ ନଳକୂପକୁ ସଫା କରିବା ସହିତ ଆଉ ୨ଟି ନୂତନ ସୋଲାର ନଳକୂପ ବସାଇବା ପାଇଁ, ଗାଁକୁ ସବୁଦିନିଆ ରାସ୍ତା କରିବା ପାଇଁ ଗ୍ରାମବାସୀ ଶୁକଲାଲା ପୁର୍ତି, ଜହଲଲାଲ ପୂର୍ତି, ମହେଶ୍ୱର ବିରୁଆ, ରାନି ପୂର୍ତି, ମାନୁ ପୂର୍ତି, ନିଳମଣୀ ଲାଗୁରୀ, ଇଶା ପୂର୍ତି ପ୍ରମୁଖ ବାରମ୍ବାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ହେଲେ ସମସ୍ୟାର ସମାଧାନ ହେଉନାହିଁ। ବ୍ରାହ୍ମଣୀଝରୀ ଗ୍ରାମର ପାନୀୟଜଳ ସମସ୍ୟା ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମୋହନ ସିଂ କହିଲେ, ଅଚଳ ନଳକୂପ ଗୁଡିକ ସଜଡା ଯିବ, ସୋଲାର ସିଷ୍ଟମ ନଳକୂପ ଗୁଡିକୁ ସଫା କରିବା ସହିତ ମରାମତି କରିବା ପାଇଁ ସଂପୃକ୍ତ କମ୍ପାନୀକୁ କୁହାଯାଇଛି। ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଁ ଜିଲା କାର୍ଯ୍ୟାଳୟକୁ ରିପୋର୍ଟ କରିଛି। ବିଡିଓ ମମତାରାଣୀ ନାଏକ କହିଲେ, ଗାଁକୁ ସବୁଦିନିଆ ରାସ୍ତା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.