Home ଆମ ସଂସ୍କୃତି, କଳା ଓ ଐତିହ୍ୟ ବିଭିର୍ଣ୍ଣ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବିଭିର୍ଣ୍ଣ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

190

ଭୁବନେଶ୍ୱର;୧୮,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜି ଚୈତ୍ର ଶୁକ୍ଲ ପ୍ରତିପଦା ଅବସରରେ ସୃଷ୍ଟିର ସର୍ଜ୍ଜନା ଦିବସ ଓ କାଳ ଗଣନାର ପ୍ରାରମ୍ଭ ଅନୁଯାୟୀ ବିଭିର୍ଣ୍ଣ ସ୍ଥାନ ତଥା ବିଭିର୍ଣ୍ଣ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇ ଯାଇଛି।ପୁରୀଠାରେ ସଦାଶିବ ସଂସ୍କୃତ ସଂସ୍ଥାନ କାର୍ଯ୍ୟକର୍ମରେ ଯୋଗ ଦେବା ଅବସରରେ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ନବ ବର୍ଷ କଥା ଉଲେଖ କରିଛନ୍ତି।

ପୁରୀ ଠାରେ ଆଦିତ୍ୟ ବାହିନୀ ପକ୍ଷରୁ ମନୋଜ ରଥଙ୍କ ନେତୃତ୍ୱରେ ନବବର୍ଷ ପାଳନ ପାଇଁ ଆଗ୍ରହ ସୃଷ୍ଟି କରିବା ଉପଲକ୍ଷେ ଏକ ସଚେତନତା ରାଲି କରାଯାଇଥିଲା।

ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଭିର୍ଣ୍ଣ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇ ଯାଇଛି।ଭୁବନେଶ୍ୱର ମହାନଗର ତରଫରୁ ଲିଙ୍ଗରାଜ,ଖଣ୍ଡଗିରି,ଚନ୍ଦ୍ରଶେଖର, ଶ୍ରୀରାମ,ବାସନ୍ତିକ ଦୁର୍ଗା ଆଦି ୫ଟି ଭାଗରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଛି।ଏହି ଅବସରରେ ଚୈତ୍ର ଶୁକ୍ଲ ପ୍ରତିପଦା ଏବଂ ସଂଘର ପ୍ରତିଷ୍ଠାତା ଡଃ.କେଶବ ବଳିରାମ୍ ହେଡ୍ଗେୱାରଙ୍କ ଜନ୍ମ ଦିବସ ଟଙ୍କପାଣୀ ରୋଡସ୍ଥିତ ଭାସ୍କରେଶ୍ୱର ମନ୍ଦିର,କୋଳଥିଆ ଗଜଲକ୍ଷ୍ମୀ ମଣ୍ଡପ,ଶୈଳେଶ୍ରୀ ବିହାର ଦୂର୍ଗାପୂଜା ପଡିଆ,ସହିଦ ନଗରର ଇମ୍ପାପାର୍କ,ଝାରପଡାର ଭାରତୀ ବିଦ୍ୟାମନ୍ଦିର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।

ବିଭିନ୍ନ ସ୍ଥାନରେ ଶଙ୍ଖନାଦ ଦ୍ୱାରା ନବବର୍ଷକୁ ସ୍ୱାଗତ କରାଯିବା ସହିତ ପୂର୍ଣ୍ଣକୁମ୍ଭ ସ୍ଥାପନ,ଦୀପ ପ୍ରଜ୍ୱଳନ, ଘର ଉପରେ ଧ୍ୱଜ ସ୍ଥାପନ ଓ ଗୋମାତାକୁ ଖାଦ୍ୟ ଅର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସଂଘର ଲିଙ୍ଗରାଜ ଭାଗ ତରଫରୁ ସ୍ଥାନୀୟ ଟଙ୍କପାଣି ରୋଡ ସ୍ଥିତ ଭାସ୍କରେଶ୍ୱର ମନ୍ଦିର ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶତାଧିକ ସ୍ୱୟଂସେବକ ଗଣବେଶରେ ଘୋଷ ବଜାଇ ପଥ ସଂଚଳନରେ ନଗର ପରିକ୍ରମା କରିଥିଲେ।ଏହି ପଥ ସଂଚଳନ ଭାସ୍କରେଶ୍ୱର ମନ୍ଦିର ନିକଟରୁ ବାହାରି ଚାରିଛକ, ବଡଗଡବ୍ରୀଟ୍, ବଡଗଡ ହାଇସ୍କୁଲ ଛକ ଓ ବଡଗଡ ଗାଁ ଦେଇ ଭାସ୍କରେଶ୍ୱର ମନ୍ଦିର ନିକଟରେ ପହଁଚି ଥିଲା।ଏଠାରେ ସ୍ୱୟଂସେବକମାନେ ସରସଂଘଚାଳକ ପ୍ରଣାମ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାଗ ସଂଘଚାଳକ ରଘୁନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ.ସତ୍ୟ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତୀୟ ନବବର୍ଷର ମହତ୍ୱ ସଂପର୍କରେ ପ୍ରକାଶ କରିଥିଲେ।ଭୁବନେଶ୍ୱର ମହାନଗରର ବୌଦ୍ଧିକ ପ୍ରମୁଖ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୀର୍ଘ ବର୍ଷର ପରାଧୀନତା ଫଳରେ ଆମର ମହାନ୍ ସଂସ୍କୃତିକୁ ଭୁଲି ଆମେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ବଶବର୍ତ୍ତୀ ହୋଇ ଇଂରେଜ ଚାଲିଯିବା ପରେ ମଧ୍ୟ ଜାନୁଆରୀ ୧ ତାରିଖକୁ ନବବର୍ଷ ରୂପେ ପାଳନ କରୁଛୁ ବୋଲି ପ୍ରକାଶ କରିଥିଲେ। ସେ କହିଲେ ଯେ, ଆମର ଭାରତୀୟ ସଂସ୍କୃତି ଅତି ପ୍ରାଚୀନ ଓ ମହାନ୍। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ସମ୍ରାଟ ବିକ୍ରମାଦିତ୍ୟଙ୍କ ସିଂହାସନ ଆରୋହଣ ଓ ବିକ୍ରମ ସମ୍ବତ ପ୍ରଚଳନ, ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା, ସନ୍ଥ ଝୁଲେଲାଲ ଓ ଗୁରୁ ଅଙ୍ଗଦଦେବଙ୍କ ଜନ୍ମ ଆଜିର ଦିନରେ ହିଁ ହୋଇଥିଲା।ସୃଷ୍ଟିର ଆରମ୍ଭ ଦିନ ଚୈତ୍ର ଶୁକ୍ଲ ପ୍ରତିପଦାକୁ ବର୍ଷର ଆଦ୍ୟ ଦିବସ ରୂପେ ପାଳନ ନକରି ଜାନୁଆରୀ ୧କୁ ନୂଆବର୍ଷ ରୂପେ ପାଳନ କରିବା ଠିକ୍ ନୁହେଁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

ସେହି ପରି ଚନ୍ଦ୍ରଶେଖରପୁର ଠାରେ ଶୈଳେଶ୍ରୀ ବିହାର ଦୁର୍ଗାପୂଜା ପଡିଆ ଠାରୁ ଏକ ପଥସଂଚଳନ ବାହାରି ଏଫ୍ଆର କଲୋନୀ, ଏଟିଏମ୍ଛକ, ନିଳାଦ୍ରୀ ବିହାର ଆଦି ଅଂଚଳ ପରିକ୍ରମା କରିଥିଲା।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆରକ୍ଷୀ ନିର୍ଦ୍ଦେଶକ ଶ୍ରୀ ନରସୁନ୍ଦର ମିଶ୍ର ମୁଖ୍ୟ ଅତିଥି ଓ ସଂଘର ମହାନଗର ସହକାର୍ଯ୍ୟବାହ ଶ୍ରୀ ସାଇ ପ୍ରସାଦ ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ।

ସହିଦ ନଗର ସ୍ଥିତ ଇମ୍ଫା ପାର୍କରେ ଶ୍ରୀରାମ ଭାଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟକ୍ରମ,ଦଣ୍ଡ ଓ ଯୋଗ ଆଦି ପଦର୍ଶନ ହୋଇଥିଲା। ଶତାଧିକ ସ୍ୱୟଂସେବକମାନଙ୍କର ଏକ ପଥ ସଂଚଳନ ସହିଦନଗର ଅଂଚଳ ପରିକ୍ରମା କରିଥିଲା।କାର୍ଯ୍ୟକ୍ରମରେ ଇଂ. କେଶବ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଥିବା ବେଳେ ସଂଘର ମହାନଗର ସହକାର୍ଯ୍ୟବାହ ଶ୍ରୀ ସୁବ୍ରତ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।

ଖଣ୍ଡଗିରୀ ଠାରେ କୋଳଥିଆ ଗଜଲକ୍ଷ୍ମୀ ମଣ୍ଡପରେ ଭାରତୀୟ ନବବର୍ଷ ଉପଲକ୍ଷେ ଚିତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସ୍ୱୟଂସେବକମାନେ ପିରାମିଡ, ବିଭିନ୍ନ ପ୍ରକାର କାଳାକୌଶଳ, ଶାରିରୀକ, ଯୋଗ ଆଦି କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ସ୍ୱୟଂସେବକମାନେ ବିଶାଳ ପଥସଂଚଳନରେ ବାହାରି ଖଣ୍ଡଗିରି ପାହାଡ ଚତୁଃପାର୍ଶ୍ଵର ଘାଟିକିଆ,ଖଣ୍ଡଗିରିବାରୀ, ଆମରୀ ହସ୍ପିଟାଲ, ସତ୍ୟସାଇ ଏନ୍କ୍ଲେଭ, କୋଳଥିଆ ଆଦି ଅଂଚଳ ପରିକ୍ରମା କରିଥିଲେ।ଚଳଚିତ୍ର ଅଭେନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି ମୁଖ୍ୟ ଅତିଥି ଏବଂ ସଂଘର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭଗବାନ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଚୈତ୍ର ଶୁକ୍ଲ ପ୍ରତିପଦାର ମହତ୍ୱ ସଂପର୍କରେ ପ୍ରକାଶ କରିଥିଲେ।

ସେହିପରି ମୟୁରଭଞ୍ଜ କରଞ୍ଜିଆ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି।ଏହି ଅବସରରେ ସୁଦର୍ଶନ ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା।ଏହା ସହ ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.