Home ଜିଲ୍ଲା ପରିକ୍ରମା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଗାଁରେ ବିକାଶ ନାମରେ ଚାଲିଛି ହରିଲୁଟ୍‌

ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଗାଁରେ ବିକାଶ ନାମରେ ଚାଲିଛି ହରିଲୁଟ୍‌

44

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମର ବିକାଶ ନାମରେ କୋଟି କୋଟି ଟଙ୍କାର କାର୍ଯ୍ୟ କରିଚାଲୁଥିବାବେଳେ ଗାଁର ବିକାଶ ନାମରେ ଚାଲିଛି ହରିଲୁଟ୍ । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏହି ଜାଲିଆତି ଚାଲିଥିବାବେଳେ ହୀନ ରାଜନୈତିକ ଫାଇଦା ପାଇଁ ଦଶା ଭୋଗୁଛନ୍ତି ସାଧାରଣ ଲୋକେ । କାର୍ଯ୍ୟାଦେଶ ପୂର୍ବରୁ କରାଯାଉଛି କାର୍ଯ୍ୟ । ଯେକୌଣସି ପ୍ରକାରେ ନିମ୍ନମାନର କାମ କରି ପ୍ରକଳ୍ପ ମାଧ୍ୟମରେ କରାଯାଉଛି ବିଲ୍ । ଏପରିକି ଜୋର ଜବରଦସ୍ତ ବେସରକାରୀ ଜମିରେ କରାଯାଉଛି ସରକାରୀ କାର୍ଯ୍ୟ । ଏବଂ ଧରାପଡିଗଲେ ଆମ କାମ ନୁହଁ ବୋଲି ସଫେଇ ଦେଉଛନ୍ତି ଅଧିକାରୀମାନେ । ଏହି ବେସରକାରୀ ଜମି ମାଲିକ ଅଭିଯୋଗ କଲେ ମିଳୁଛି ଧମକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ କିସ୍ମତ କୃଷ୍ଣପୁରରେ । ପ୍ରାପ୍ତ ସୂଚନା ଅନୁଯାୟୀ ଧାମରା ରୋଡ୍ ଠାରୁ ସୁଦର୍ଶନ ବାରିକଙ୍କ ଘର ପାଖକୁ ନିର୍ମାଣ ହେଉଛି କଂକ୍ରିଟ୍ ରାସ୍ତା । ଯେଉଁଥିରେ ବିଭାଗର ସୂଚନା ଫଳକ ଲାଗିଛି । ହେଲେ ସାଧାରଣରେ ପ୍ରଶ୍ନ ଉଠିଛି, ଜଣକ ନିଜସ୍ୱ ଜମି ଉପରେ କାର୍ଯ୍ୟାଦେଶ ହେଲା କିପରି । ଉକ୍ତ ଜମିର ମାଲିକ ବୃଦ୍ଧା ମହିଳା ଜଣକ ବାରମ୍ବାର ବ୍ଲକ୍ ଯାଇ ନିଜର ଗୁହାରି ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ସଂପର୍କରେ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ ସେ ତାକୁ ଏଡାଇଦେଇଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ପଂଚାୟତର କନିଷ୍ଠ ଯନ୍ତ୍ରୀ ଏହିପରି ଯେତୋଟି କାମ ଉକ୍ତ ପଂଚାୟତରେ ହୋଇଥିବ, ସେଗୁଡିକର ବିଲ୍ କରିବେ ନାହିଁ ବୋଲି କହିଛନ୍ତି । ଅନୁରୂପ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉକ୍ତ କାମଗୁଡିକ ଆମର ନୁହେଁ, ଆମେ ବିଲ୍ କରିବୁ ନାହିଁ ବୋଲି ସଫେଇ ଦେଇଛନ୍ତି । ବାସୁଦେବପୁର ବ୍ଲକ୍‌ର ବହୁ ପଂଚାୟତରେ ଏହିଭଳି ବିନା ସୂଚନା ଫଳକ, ବିନା କାର୍ଯ୍ୟାଦେଶରେ କାମ କରିବା ପରେ ବିଲ୍ ହେଉଥିବାର ଅଭିଯୋଗ ହୋଇଛି । ସବୁଠାରୁ ବଡକଥା ଉକ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ସଂପୃକ୍ତ ଠିକାଦାର ନିଜ ମନଇଚ୍ଛା ନିମ୍ନମାନର କରିଆସୁଥିବାବେଳେ କୌଣସି ସରକାରୀ ବିଭାଗୀୟ ଅଧିକାରୀ ଉକ୍ତ କାର୍ଯ୍ୟର ତଦାରଖ କରନ୍ତି ନାହିଁ । ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.