Home ଓଡ଼ିଶା ବିଜେପି ସରକାର ହେଲେ ଖଣି ମାଫିଆ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି...

ବିଜେପି ସରକାର ହେଲେ ଖଣି ମାଫିଆ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

1173

କେନ୍ଦୁଝର, ମୟୁରଭଞ୍ଜ ଓ ପିପିଲିରେ ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ
– ବିଜେପି ସରକାରକୁ ଆସିଲେ ବିଧାନସଭାର ପ୍ରଥମ ଅଧିବେଶନରେ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ
– ବିଜେପି ସରକାରକୁ ଆସିଲେ କେନ୍ଦୁଝରରେ ହେବ ନୂଆ ବୃହତ ଷ୍ଟିଲ ପ୍ଲାଂଟ – ସବୁ ଆଦିବାସୀଙ୍କୁ ଜଙ୍ଗଲ ଜମିରେ ପଟ୍ଟା ଦେବାର ଦାୟିତ୍ୱ ନେବ ବିଜେପି
– ଯେଉଁମାନେ ଓଡିଶାର ଲୋକଙ୍କ ଟଙ୍କାକୁ ଲୁଟ କରିଛନ୍ତି ବିଜେପି ସରକାର ହେଲେ ସେହି ଟଙ୍କାକୁ ବାଜ୍ୟାପ୍ତ କରାଯାଇ କେନ୍ଦୁଝରରେ ପିଇବା ପାଣି କାମରେ ଲଗାଯିବ
– ନରେନ୍ଦ୍ର ମୋଦି ସରକାର ଆସିବା ପରେ ଖଣିଖାଦାନକୁ ନିଲାମୀ କରି ଭୁବନେଶ୍ୱରରେ ୭୦ ହଜାର କୋଟି ଟଙ୍କା ରଖିଲେ
– ଗରିବ ଘରର ପୁଅ ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିବା କାରଣରୁ ଆଜି ଗରିବଙ୍କୁ ପ୍ରାଥମିକତା ଦିଆଯାଉଛି
– ମୁଖ୍ୟମନ୍ତ୍ରୀ ସୁନା ଚାମଚ ନେଇ ନେଇ ମୁହଁରେ ଜନ୍ମ ନେଇଥିବା ବେଳେ ସେ ଗରୀବଙ୍କ କଥା କଣ ବୁଝିବେ?

ଭୁବନେଶ୍ୱର/କେନ୍ଦୁଝର/ତେଲକୋଇ/ପାଟଣା/ଆନନ୍ଦପୁର/କରଞ୍ଜିଆ/ପିପିଲି, ଅପ୍ରେଲ ୨୦ (ଓଡ଼ିଆ ପୁଅ) –ରାଜ୍ୟରେ ବିଜେପି ସରକାର ହେଲେ ଖଣି ମାଫିଆମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ରାଜ୍ୟରେ ଗୁଣ୍ଡାରାଜ ଧୀରେଧୀରେ ବଢିବାରେ ଲାଗିଛି। ବିଜେପି ସରକାର କ୍ଷମତାକୁ ଆସିଲେ ଓଡିଶାରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ବିଶେଷ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ। ମହାରାଷ୍ଟ୍ର ଓ ଗୁଜୁରାଟରେ ଆତଙ୍କବାଦମାନଙ୍କ ବିରୋଧରେ ଯେଭଳି ଭାବେ ଏକ ବିଶେଷ ଆଇନ ଅଛି, ସେହିଭଳି ଭାବେ ଗୁଣ୍ଡା ମାନଙ୍କୁ ଦଣ୍ଡ ଦେବା ପାଇଁ ଏହି ଆଇନ ଅଣାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦୁଝର, ତେଲକୋଇ, ପାଟଣା, ଆନନ୍ଦପୁର, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ପିପିଲି ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ସରକାର ଓଡିଶାରେ ଆସିବାର ତିନି ମାସରେ ଚିଟଫଣ୍ଡ ଓ ଖଣି ଚୋରମାନେ ଆଗାମୀ ତିନି ମାସ ମଧ୍ୟରେ ଜେଲକୁ ଯିବେ ବୋଲି ମୋଦି କହିଛନ୍ତି। ଏହାସହ ସନାତନ ମହାକୁଡ ଓ ପ୍ରଭାକରନଙ୍କ ଭଳି ଯେଉଁମାନେ ଓଡିଶାର ଲୋକଙ୍କ ଟଙ୍କାକୁ ଲୁଟ କରିଛନ୍ତି ବିଜେପି ସରକାର ହେଲେ ସେହି ଟଙ୍କାକୁ ବାଜ୍ୟାପ୍ତ କରାଯାଇ କେନ୍ଦୁଝରରେ ପିଇବା ପାଣି କାମରେ ଲଗାଯିବ। ଏତଦବ୍ୟତିତ ଚିଟଫଣ୍ଡ ଓ ଖଣି ମାଫିଆଙ୍କ ସମ୍ପତିକୁ ଜବତ କରାଯାଇ ସ୍କୁଲ ଓ ଡାକ୍ତରଖାନା ମଧ୍ୟ ଖୋଲାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଖଣି ଖାଦାନକୁ ପୂର୍ବରୁ ଦିଲ୍ଲୀର କଂଗ୍ରେସ ସରକାର ଏବଂ ଓଡିଶାର ନିରଞ୍ଜନ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସରକାର ମାଗଣାରେ ଶିଳ୍ପପତି ମାନଙ୍କୁ ଟେକି ଦେଇ ଟଙ୍କା ଚୋରୀ କରୁଥିଲେ। ଏହାର କଂଟ୍ରାକ୍ଟର ଦାୟିତ୍ୱରେ ପ୍ରଭାକରନ ଥିଲା। ଉଭୟ ସରକାର ମିଶି କେନ୍ଦୁଝରର ୬୫ ହଜାର କୋଟି ଟଙ୍କା ଚୋରୀ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏକଥାକୁ କୋର୍ଟରେ ସ୍ୱାକୀର କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ନରେନ୍ଦ୍ର ମୋଦି ସରକାର ଆସିବା ପରେ ପ୍ରଥମେ ଖଣିଖାଦାନକୁ ନିଲାମୀ କରି ଭୁବନେଶ୍ୱରରେ ୭୦ ହଜାର କୋଟି ଟଙ୍କା ରଖିଲେ। ଏହାବ୍ୟତିତ କେନ୍ଦୁଝର ଜିଲ୍ଲା ଭଳି ଖଣିଖାଦାନ ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଗଠନ କଲେ। କେନ୍ଦୁଝର ଜିଲ୍ଲା ପାଇଁ ଏହି ଫଣ୍ଡରେ ଅଢେଇ ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିବା ସେ କହିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାକୁ ଆସି ମୋଦି କଣ କଲେ ବୋଲି ପ୍ରଶ୍ନ କରୁଛନ୍ତି। କେନ୍ଦୁଝର ଜିଲ୍ଲାର ଚାବିକାଠି ଖଣି ମାଫିଆ ପ୍ରଭାକରନ ହାତରେ ଅଛି ଏବଂ ଓଡିଶାରେ ତାମିଲନାଡୁର ଖଣି ମାଫିଆ ପ୍ରଭାକରନ କଂଗ୍ରେସ ଓ ବିଜେଡିର ମାଲିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରାଜ୍ୟରେ ବିଜେପି ସରକାର ହେଲେ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ ସହ ବି.ଇଡି କଲେଜ ପ୍ରତିଷ୍ଠା କରାଯିବ। ବନ୍ଦ ପଡିଥିବା ସବୁ ସ୍ପଞ୍ଜ କାରଖାନାକୁ ପନରୁଦ୍ଧାର କରାଯିବାର ନୂଆ ବ୍ୟବସ୍ଥା କରାଯିବ। ଯୁବକ ଯୁବତୀମାନଙ୍କୁ ରୋଜଗାର ଦିଆଯିବ। ସେହିପରି ଏଠାକାରବାସୀଙ୍କ ଗୋଟିଏ ଷ୍ଟିଲ ପ୍ଲାଂଟର କଳ୍ପନା ଥିବାବେଳେ ଏହାକୁ ମୋଦି ସରକାର ପୂରଣ କରିବ। ଫଳରେ କେନ୍ଦୁଝର ଜିଲ୍ଲାର ଖଣିଖାଦାନ ଜିନିଷ କେବଳ ବନ୍ଦର ଦେଇ ବିଦେଶକୁ ଯିବ ନାହିଁ। ଏଠାରେ ବୃହତ କାରଖାନା ତିଆରି କରି କେନ୍ଦୁଝରର ଯୁବକଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ।

ସେହିପରି ଓଡିଶାରେ ମୋଦି ସରକାର ଆସିଲେ ଆଦିବାସୀ ଅଂଚଳମାନଙ୍କରେ ଅଧିକ ଏକଲବ୍ୟ ସ୍କୁଲ ଖୋଲାଯାଇ ଆଦିବାସୀ ପିଲାଙ୍କୁ ପଢେଇବାର ଯୋଜନା କରାଯିବ, ସବୁ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିରେ ପଟ୍ଟା ଦେବାର ଦାୟିତ୍ୱ ବିଜେପି ନେବ। ସେହିପରି ପେସା ଆଇନକୁ ଓଡିଶାରେ କଡାକଡି ଲାଗୁ କରାଯିବ। ଫଳରେ ଆଦିବାସୀ ଲୋକଙ୍କର ବିନା ଅନୁମତିରେ କିଛି ହୋଇପାରିବ ନାହିଁ ଏବଂ ଏହାର ଦାୟିତ୍ୱ ବିଜେପି ନେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଡବଲ ଇଞ୍ଜିନର ସରକାର ହେଲେ ଓଡିଶାର ୪୦ ଲକ୍ଷ ଗରିବଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର ମିଳିବ। ଏହି ଘରେ ଗ୍ୟାସ, ପାଇପ ପାଣି, ବିଜୁଳିର ସମସ୍ତ ସୁବିଧା ଦିଆଯିବ। ୧୯ ବର୍ଷ ରହିବା ପରେ ନବୀନ ବାବୁ ରୋଜଗାରର ବ୍ୟବସ୍ଥା କରିନଥିବା ବେଳେ ମୋଦି ସରକାର ହେଲେ ସବୁ ପରିବାରର ଜଣଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଆଯିବ। ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷରେ କଣ କରିବେ ତାହାର ହିସାବ ଦେଉନଥିବା ବେଳେ ଅପରପକ୍ଷରେ ମୋଦି ୫ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷ ପାଇଁ କଣ କରିବେ ତାହାର ହିସାବ ଦେଉଛନ୍ତି। ମୋଦି ଓଡିଶାକୁ ୧୦ ଲକ୍ଷ ଘର ଦେଇଥିବା ବେଳେ ୫୦ ଲକ୍ଷ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି। ମୋଦି ଘର ପାଇଁ ପରିବାର ପିଛା ଦେଢ ଲକ୍ଷ ଟଙ୍କା ଓ ଶୌଚାଳୟ ପାଇଁ ପରିବାର ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଆଜି ଗରିବ ଘରର ପୁଅ ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିବା କାରଣରୁ ଆଜି ଗରିବଙ୍କୁ ପ୍ରାଥମିକତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ସୁନା ଚାମଚ ନେଇ ନେଇ ମୁହଁରେ ଜନ୍ମ ନେଇଥିବା ବେଳେ ସେ ଗରୀବଙ୍କ କଥା କଣ ବୁଝିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.