Home ଓଡ଼ିଶା ବିଜେଡିର ଭରସା ସରକାରୀ ବାବୁ

ବିଜେଡିର ଭରସା ସରକାରୀ ବାବୁ

95

ଭୁବନେଶ୍ୱର ୨୯-୭ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତାଙ୍କ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ସବୁଠାରୁ ଆଗରେ ରହିଛି ଶାସକ ବିଜେଡି। ବିଭିନ୍ନ ପ୍ରକାର ଲୋଭନୀୟ ସରକାରୀ ଯୋଜନାମାନ ପ୍ରସ୍ତୁତ କରି ଓଡିଶାର ଜନସାଧାରଣଙ୍କର ଆହୁରି ନିକଟତର ହେବା ପାଇଁ ପ୍ରସ୍ତୁତି ପଥରେ ଦଳ। ଏ କ୍ଷେତ୍ରରେ ବିଜେପି ଓ କଂଗ୍ରେସ ବହୁତ ପଛରେ ପଡିଯାଇଛନ୍ତି। ବିଜେପି ନେତାମାନେ କେନ୍ଦ୍ରୀୟ ଯୋଜନା ଗୁଡିକର ଧାରାବିବରଣୀ ଜନସାଧାରଣଙ୍କ ନିକଟରେ ପହଁଚାଇବାର ଅହରହ ଉଦ୍ୟମ ଜାରି ରଖିଛି। ମାତ୍ର ମାଷ୍ଟରଷ୍ଟ୍ରୋକ୍ ମାରି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟ ମହଲାର ଅଫିସର। କଂଗ୍ରେସ ଦଳ ଲୋକଙ୍କୁ ଦିନରେ ଚନ୍ଦ୍ର ଦେଖାଇବା ପାଇଁ କିଛି ମସଲା ପାଉ ନାହାଁନ୍ତି। ନିରଂଜନ ପଟ୍ଟନାୟକଙ୍କ ହାତରେ କଂଗ୍ରେସ ଡୋରୀ। ଦଳରେ ବାଦବିବାଦ ପ୍ରାୟତଃ ସମାଧାନ ବୋଲି ବାହାରକୁ ଖବର। ମାତ୍ର ଦଳରେ ଏବେ ପ୍ରମୁଖ ସମସ୍ୟା ହେଉଛି ଅର୍ଥ। ଦିଲ୍ଲୀରୁ ଟଙ୍କା ଆସୁନାହିଁ। ପ୍ରଦେଶ କଂଗ୍ରେସ ଚଳାଇବା ପାଇଁ ମାସିକିଆ ଖର୍ଚ୍ଚ ବନ୍ଦ। ନିରଂଜନ ପଟ୍ଟନାୟକଙ୍କ ପରି କୁବେରଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି। ତେଣୁ ଟଙ୍କା କଣ ଦରକାର। ଏ ଫର୍ମୁଲାକୁ ଦେଖି ନିରଂଜନଙ୍କ ଅକଲ ଗୁଡୁମ୍। ନିର୍ବାଚନୀ ବର୍ଷ ଖର୍ଚ୍ଚରେ ଲଗାମ୍ ନାହିଁ। ତେଣୁ ଗୋଟେ ବଡ ଦ୍ୱିଧା ଭିତରେ ଫସିଯାଇଛନ୍ତି ନିରଂଜନ।

ଗୋଟିଏ ସାଧାରଣ ନିର୍ବାଚନ ଲଢିବା ପାଇଁ ଯେଉଁ ପ୍ରାକ୍ ପ୍ରସ୍ତୁତି ଦରକାର ସେଥିରେ ବିଜେଡି ସବୁଠାରୁ ଆଗରେ ଅଛି। ତଥାପି ଦଳ ଭିତରେ ଆତଙ୍କ। ବାହାରେ ପରିପ୍ରକାଶ ନ କଲେ ବି ରଙ୍ଗ ଢଙ୍ଗରୁ ସ୍ପଷ୍ଟ ବାରି ହୋଇ ପଡୁଛି କାଳେ ହାରି ଯିବୁକି ? ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହେଉ ବା ତାଙ୍କର ଉଜ୍ଜ୍ୱଳ ଭାଗ୍ୟରାଶୀ ହେଉ ସିଏ ନିର୍ବାଚନୀ ବୈତରଣୀ ପାର ହେବାଟା ଥୟ। ମାତ୍ର ପୂର୍ବଥର ପରି ନବୀନଙ୍କ ଡଙ୍ଗାରେ ବସିଲେ ଜିତିବା ଥୟ ଅବସ୍ଥା ୨୦୧୯ରେ ଦେଖିବାକୁ ମିଳିବ ନାହିଁ। ସେଥିପାଇଁ ଅନେକ ଆସନରେ ପ୍ରାର୍ଥୀ ବଦଳିବାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ମାତ୍ର ଅନେକ ବିଧାନସଭା ଆସନ ରହିଛି ଯେଉଁଠାରେ ଦଳ ଚାହିଁଲେ ମଧ୍ୟ ସେଠାକାର ବିଧାୟକମାନଙ୍କୁ ବଦଳାଇ ପାରିବ ନାହିଁ। ଏମାନେ ପୂର୍ବତନ ଯୁବମନ୍ତ୍ରୀ। ଏମାନେ ବହୁତ ପାୱାରଫୁଲ୍। ଏମାନଙ୍କ ସଂପର୍କ ତୃତୀୟ ମହଲା ସହିତ ଭାରି ସୁଦୃଢ। ଲୋକପ୍ରିୟତା ହ୍ରାସର ସ୍ପଷ୍ଟ ଚିତ୍ର ମିଳୁଥିଲେ ଥିଲେ ବି ଏମାନେ ଟିକେଟ୍ ପାଇବାଟା ନିଶ୍ଚିତ। ବିଜେଡି ସରକାର ଆସିଲେ ଏମାନେ ପୁଣି ମନ୍ତ୍ରୀ ହେବାକୁ ଗୋଡ ଟେକି ବସିଛନ୍ତି। ରାଜଧାନୀ ରାଜନୀତିରେ କିଛି ଅସୁବିଧା ନାହିଁ। ଖାଲି ରହିଲା ନିର୍ବାଚନମଣ୍ଡଳୀ। କଳେବଳେକୌଶଳେ ଜିତିବାର ଅଛି। ବିଭିନ୍ନ ଫର୍ମୁଲା ଆପଣେଇବା ଆରମ୍ଭ ହୋଇ ଗଲାଣି। ଜିଲ୍ଲାର ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ। ତା ତଳକୁ ଆଇନ୍କାନୁନ୍ ତଦାରଖ କରିବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ନିର୍ବାଚନ ପୂର୍ବରୁ ଏହି ଦୁଇ ପଦବୀରେ ନିଜ ଲୋକଙ୍କୁ ବସାଇ ପାରିଲେ ନିର୍ବାଚନ ଜିତିବା ଆହୁରି ସହଜ ହୋଇଯିବ। ତୃତୀୟ ମହଲାରୁ ମଧ୍ୟ ସବୁଜ ସଂକେତ। ଏହି ଯୁବ ବିଧାୟକମାନେ କାମରେ ଲାଗି ପଡିଛନ୍ତି। ବିଶ୍ୱସ୍ତ ଲୋକ ଖୋଜା ଚାଲିଛି। ମାତ୍ର ନୟାଗଡର ତରୁଣ ବିଧାୟକ ଏବାବଦରେ ଓସ୍ତାଦ୍। ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ କାହାକୁ ନେବେ ଦୀର୍ଘ ଦିନ ଭିତିରିଆ ଖୋଳତାଡ କରିବା ପରେ ଜୁଟିଲେ ଶଶୀଭୁଷଣ ଶତପଥି। ବିଧାୟକଙ୍କ ସୁପାରିସ୍ରେ ସେ ହେଲେ ନୟାଗଡର ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ। ନିର୍ବାଚନ ପରେ ଏହି ଅଧିକାରୀଙ୍କ ଅବସର। ଭରବଙ୍କନଶ୍ୱର ଡିସିପି ଅଫିସରେ ବସି ବସି ସମୟ କାଟୁଥିଲେ। ନୟାଗଡ ପରି ମାଓ ପ୍ରବଣ ଜିଲ୍ଲାରେ ଏହି ବାବୁ ଜଣକ କଣ କରିବେ ବୋଲି ଜିଲ୍ଲାବାସୀ ପରସ୍ପର ଭିତରେ ଆଲୋଚନାରତ। ଏହା ପରେ ଆହୁରି ଅନେକ ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବଦଳିବେ। ବିଶେଷକରି ପୁରୀ, ଯାଜପୁର, କେନ୍ଦାପଡା, ବରଗଡ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର ଆଦି ଅନେକ ଜିଲ୍ଲାର ଜିଲ୍ଲାପାଳ ଓ ଆକ୍ଷୀ ଅଧିକ୍ଷକ ବଦଳିବେ। ସବୁ ସ୍ଥାନରେ ସିଧାସଳଖ ଆଇଏଏସ୍ ବା ଆଇପିଏସ୍ଙ୍କୁ ନିଯୁକ୍ତି ମିଳିବ ନାହିଁ। ଓଡିଶା ପ୍ରସାସନିକ ସେବା ଓ ଓଡିଶା ପୋଲିସ୍ ସେବାର ଅଧିକାରୀ ଏହି ସବୁ ଜିଲ୍ଲା ସମ୍ଭାଳିବେ। ନିର୍ବାଚନରେ ବିଜେଡି ପ୍ରାର୍ଥିଙ୍କୁ ଜିତାଇବାରେ ସାହାଯ୍ୟ କଲେ ପୁନର୍ବାର ସରକାର ଆସିଲେ ଏମାନେ ପାଇବେ ପୁରସ୍କାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.