Home ଓଡ଼ିଶା ବାହାଘର ବେଳକୁ ବାଇଗଣ ରୂଆ: ଶାହାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତ ଚାଲିଛି ତାଳିପକା କମିଟି

ବାହାଘର ବେଳକୁ ବାଇଗଣ ରୂଆ: ଶାହାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତ ଚାଲିଛି ତାଳିପକା କମିଟି

116

ଭୁବନେଶ୍ୱର(ଦେବଦତ୍ତ ରଥ):ବାହାଘର ବେଳକୁ ବାଇଗଣ ରୋଉଛି ବିଜେପି।ତରବରିଆ ଭାବରେ ପ୍ରସ୍ତୁତ କରାଚାଲିଛି କମିଟି।ଆସନ୍ତା ଜୁଲାଇ ୧ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି।ତା ପୂର୍ବରୁ ବିଜେପି ତରବରିଆ ଭାବରେ ଲାଗିପଡିଛି କମିଟି ଗଠନରେ।

ସାଧାରଣ ନିର୍ବାଚନ ଆଉ କମ ଦିନ ରହିଲା।ସମୟ ପୂର୍ବରୁ ମଧ୍ୟ ନିର୍ବାଚନ ହେଇ ଯାଇପାରେ ବୋଲି କେତେକ ଆକଳନ କରୁଛନ୍ତି।ଏଭିତରେ ଗୁଜୁରାଟ ନିର୍ବାଚନରେ କଷ୍ଟରେ ପ୍ରାପ୍ତ ସଫଳତା,ଉତ୍ତରପ୍ରଦେଶ ଆଦି ସ୍ଥାନରେ ଉପ ନିର୍ବାଚନରେ ବିଫଳତା ଏବଂ କର୍ଣ୍ଣାଟକରେ ମେଣ୍ଟ ବିରୋଧରେ ବିଫଳତା ବିଜେପିକୁ ଚିନ୍ତାରେ ପକାଇଦେଇଛି।ବିଜେପି ବିରୋଧରେ ବିରୋଧୀ ଦଳ ଗୁଡ଼ିକ ମେଣ୍ଟ କରି ଏକାଠି ଲଢ଼ିଲେ ବିଜେପି ପାଇଁ ଚିନ୍ତାର କାରଣ ହେବା ନିଶ୍ଚିତ।ଏ ଭିତରେ କେଶବକୁଞ୍ଜରେ ସଂଘ ଏବଂ ବିଜେପିର ମନ୍ଥନ ବୈଠକ ହୋଇଯାଇଛି।ଆଗାମୀ ନିର୍ବାଚନରେ ବିଜେପି ୩୦୦ ଆସନ ଟାର୍ଗେଟରେ ରଣନୀତି ପ୍ରସ୍ତୁତ କରୁଛି।ସେହି ଯୋଜନା ଅନୁଯାୟୀ ବିଭିର୍ଣ୍ଣ ରାଜ୍ୟରେ ସଙ୍ଗଠନ ସମ୍ପାଦକ ଏବଂ ବିଧାନସଭା କ୍ଷେତ୍ର ପାଇଁ ବିସ୍ତାରକ ନିଯୁକ୍ତି ଥିବା ବେଳେ ଏବେ ପ୍ରତ୍ୟକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣଙ୍କୁ ନିଯୁକ୍ତି ଦିଆଯିବ।ସେହିପରି ମିଶନ ୩୦୦ ଯୋଜନା ଅନୁଯାୟୀ ଅମିତ ଶାହା ଏବେ ବିଭିର୍ଣ୍ଣ ରାଜ୍ୟ ଗସ୍ତ କରୁଛନ୍ତି।ସେହି ଯୋଜନା ଅନୁଯାୟୀ ସେ ଜୁଲାଇ ୧ରେ ଓଡ଼ିଶା ଆସିବେ।
ଅମିତ ଶାହାଙ୍କ ଓଡ଼ିଶା ଗସ୍ତରେ କୌଣସି ସଭା କି ସମାବେଶ ନାହିଁ।ବିଭିର୍ଣ୍ଣ ଦାୟିତ୍ୱରେ ଥିବା ପଦାଧିକାରୀ,ତଥା ତିନୋଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କର ବୈଠକ ନେବେ ଶାହା ବୋଲି ଶୁଣାଯାଉଛି।ଦିଆଯାଇଥିବା ଟାକ୍ସ୍ କିଏ କେତେ କରିଛି ଏବଂ ବୁଥ ସ୍ତର ଯାଏଁ କୋଉ କମିଟି କେଉଁ ଯାଏଁ ହେଇଛି ତାର ହିସାବ ନେବେ।

ଏହାକୁ ନେଇ ଚଡକ ପଡ଼ିଯାଇଛି ଓଡ଼ିଶା ବିଜେପି ନେତାଙ୍କ ମୁଣ୍ଡରେ।ବାସ୍ତବରେ ବିଜେପିର ବିଭିର୍ଣ୍ଣ କମିଟି କୌଣସି ସ୍ଥାନରେ ମଧ୍ୟ ସଂପୂର୍ଣ୍ଣ ଗଠିତ ହୋଇପାରି ନାହିଁ।ଅନେକ ସ୍ଥାନରେ କେବଳ କାଗଜ କଲମରେ କମିଟି ଗଠନ ହେଇଛି।କମିଟି ଦାୟିତ୍ୱରେ ଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କ ଅଧିକାରୀ ଜାଣନ୍ତି ନାହିଁ।କାରଣ କେଉଁଠି ସେପରି କେହି କାର୍ଯ୍ୟକର୍ତ୍ତା ନାହାଁନ୍ତି ତ’ କେଉଁଠି ଯେଣତେଣ ନାଁ ରହିଯାଇଛି।କିନ୍ତୁ ତାଙ୍କୁ ସେଠାକାର ଅଧିକାରୀ ଜାଣନ୍ତି ନାହିଁ।ଏଣେ ଭଦ୍ରକ,ମୟୁରଭଞ୍ଜ,ନୟାଗଡ଼ ପରି କେତେକ ସ୍ଥାନରେ ବିଜେପି ଭିତରେ ଗୋଷ୍ଠି କନ୍ଦଳ ଉଗ୍ରରୂପ ନେଇ ଗଣ୍ଡଗୋଳ ଘଟିଛି।ଦଳ ଭିତରେ ଥିବା ବିଶୃଙ୍ଖଳା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।

ଗତ ଏପ୍ରିଲ ୫ ତାରିଖରେ ଅମିତ ଶାହାଙ୍କ କଳାହାଣ୍ଡି ଏବଂ ବଲାଙ୍ଗୀର ଗସ୍ତ ସମୟରେ ପଦାଧିକାରୀଙ୍କ ରିପୋର୍ଟକୁ ନେଇ ଶାହା ଅସନ୍ତୁଷ୍ଟ ଥିବା କଥା ସେତେବେଳେ ଆଲୋଚନା ହୋଇଥିଲା।ଶାହାଙ୍କୁ ଦିଆଯାଇଥିବା ରିପୋର୍ଟ ଏବଂ ସେ ପଚାରି ବୁଝିବା ରିପୋର୍ଟ ମଧ୍ୟରେ ତାଳମେଳ ନଥିଲା।ତେଣୁ ରାଜ୍ୟ ନେତୃତ୍ୱଙ୍କ ଉପରେ ଶାହା ଅସନ୍ତୋଷ ବ୍ୟକ୍ତ କରିଥିବା କଥା ଆଲୋଚନା ହୋଇଥିଲା।ଏବେ ପୁଣି ଅଚାନକ ଶାହା ଆସୁଛନ୍ତି।ପୁଣି ସେହି ଘଟଣାର ପୁନରାବୃତ୍ତି ହେବାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଭୟଭୀତ ହୋଇ ପଡିଛନ୍ତି।ସମାବେଶ କରି ଲୋକ ଏକତ୍ରୀକରଣ କରିବା,ବାଇକ ରାଲି କରିବା ହେଇଥିଲେ ସୁବିଧା ହେଇଥାଆନ୍ତା।କିନ୍ତୁ ଏ ରିପୋର୍ଟ ନେବା ରାଜ୍ୟ ନେତାଙ୍କର ମୁଣ୍ଡବ୍ୟଥା ବଢାଇଦେଇଛି।ତେଣୁ ତରବରିଆ ଭାବରେ ଯେଣତେଣ ଉପାୟରେ ବିଭିର୍ଣ୍ଣ ସ୍ଥାନରେ କମିଟି ଗଠନ କରି ଏକ ତାଳିପକା ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ବିଜେପିର ଉପରିସ୍ଥ ଅଧିକାରୀ ସେମାନଙ୍କ ଅଧିନସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ କହୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.