Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି

49

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ପ୍ରଣୀତ ଯୋଜନାରେ ଭଦ୍ରକ ଜିଲ୍ଲାରୁ ଯିବାକୁ ଥିବା ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ଆଜି ସାଳନ୍ଦୀ ସଭାଗୃହରେ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ। ପ୍ରକାଶଥାଉକି ଭଦ୍ରକ ଜିଲ୍ଲାରୁ ୮୦ଜଣ ଏକକ ନାଗରିକ ଓ ୩୩ ଦମ୍ପତି ସମୁଦାୟ ୧୪୬ ଜଣଙ୍କ ନାମ ଏହି ତୀର୍ଥଯାତ୍ରା ପାଇଁ ତାଲିକାଭୁକ୍ତ କରାଯାଇଛି। ଏକକ ନାଗରିକ ଓ ଦମ୍ପତି ତାଲିକା ଅନୁଯାୟୀ ଯଥାକ୍ରମେ ଭଦ୍ରକ ବ୍ଲକରୁ ୧୯ ଓ ୭, ଧାମନଗରରୁ ୧୪ ଓ ୪, ବନ୍ତ ରୁ ୮ ଓ ୩, ଚାନ୍ଦବାଲିରୁ ୧୪ ଓ ୫, ବାସେଦବପୁର ରୁ ୪ ଓ ୭, ତିହିଡ଼ି ରୁ ୧୨ ଓ ୪, ଭଣ୍ଡାରିପୋଖର ରୁ ୯ ଓ ୩ ଅଛନ୍ତି। ତା ୨୦-୨-୨୩ ରୁ ତା ୨୫-୨-୨୩ପର୍ଯ୍ୟନ୍ତ ହୃଷିକେଶ, ହରିଦ୍ୱାରକୁ ତୀର୍ଥଯାତ୍ରା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି। ବାଲେଶ୍ୱରରୁ ଏଥିପାଇଁ ରେଳଯାତ୍ରା ଆରମ୍ଭ ହେବାକୁ ଥିବାରୁ ଫେବୃୟାରୀ ୧୯ ଦିନ ଜିଲ୍ଲାର ସମ୍ପୃକ୍ତ ବ୍ଲକ୍ ପ୍ରଶାସନ ଦ୍ୱାରା ସେମାନଙ୍କୁ ଅଣାଯାଇ ମୋଟେଲଛକସ୍ଥିତ ପାନ୍ଥିକାରେ ପହଞ୍ଚାଇ ବସ୍ ଦ୍ୱାରା ବାଲେଶ୍ୱର ଯିବା ପାଇଁ ବ୍ୟବସ୍ଥା କରାଯିବ।

ତୀର୍ଥ ଯାତ୍ରାରେ ସେମାନଙ୍କୁ ସହଯୋଗ କରିବା ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀ ମିଶି ୫ଜଣ ତତ୍ତ୍ୱାବଧାରକ ଦାୟିତ୍ୱରେ ସେମାନଙ୍କ ସହିତ ଯିବେ। ତୀର୍ଥଯାତ୍ରାରୁ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ସେହିପରି ବାଲେଶ୍ୱର ଷ୍ଟେସନ୍‌ରୁ ବସ୍ ଦ୍ୱାରା ଭଦ୍ରକ ଅଣାଯାଇ ସେମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ ଯୋଗାଯୋଗ ଓ ନେବା ଆଣିବା ପାଇଁ ନୋଡ଼ାଲ ଅଧିକାରୀ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କୁ ଓ ତୀର୍ଥଯାତ୍ରା ସମୟରେ ନୋଡ଼ାଲ ଅଧିକାରୀଭାବେ ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ସୂଚନାଯୋଗ୍ୟ କି ଏହି ଯୋଜନାରେ ଭଦ୍ରକ ଜିଲ୍ଲାପାଇଁ ୧୪୬ ସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ବେଳେ ଏକକ ନାଗରିକ ୧୫୭ ଓ ଦମ୍ପତ୍ତି ୧୧୬ ସମୁଦାୟ ୨୭୩ ଦରଖାସ୍ତ ପ୍ରାପ୍ତ ହୋଇଥିଲା। ବିଭିନ୍ନ କାରଣରୁ ଏକକରେ ୧୨ଟି ଦରଖାସ୍ତ ରିଜେକ୍ଟ ପରେ ୧୪୫, ଦମ୍ପତ୍ତିରେ ୧୦ଟି ରିଜେକ୍ଟ ପରେ ୧୦୬, ସମୁଦାୟ ୨୫୧ଟି ଦରଖାସ୍ତ କାଏମ୍ ଥିଲା। ଲୋକ ସଂଖ୍ୟା ଅନୁପାତରେ ପୌର ଓ ବ୍ଲକ୍‌କୁ ମିଶାଇ ତାଲିକା ପ୍ରସ୍ତୁତ ପରେ କମ୍ପ୍ୟୁଟରରେ ରାଣ୍ଡାମାଇଜ୍ କରାଯାଇ ୧୪୬ ଜଣଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି। ୬୦ ରୁ ୭୫ବର୍ଷ ବୟସ ଓ ଆର୍ଥିକ ପଛୁଆ ବର୍ଗର ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ତୀର୍ଥଯାତ୍ରା ବ୍ୟବସ୍ଥା ଉଦ୍ଦିଷ୍ଟ ଥିଲା। ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଗଗନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଅନ୍ୟତମ ସଦସ୍ୟଭାବେ ସାମାଜିକ ସୁରକ୍ଷା ଅଧିକାରୀ, ଆର୍‌.ଟି.ଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଡ଼ି.ଏସ୍‌.ଡ଼ବ୍ଲ୍ୟୁ.ଓ.ଙ୍କ ପ୍ରତିନିଧି, ଭଣ୍ଡାରିପୋଖରୀ ବି.ଡ଼ି.ଓଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ତୀର୍ଥଯାତ୍ରା ପାଇଁ ଆବେଦନ ଅବଧି ଗତ ଡ଼ିସେମ୍ବର ୧୫ ତାରିଖରୁ ୨୯ ତାରିଖ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.