Home ଜିଲ୍ଲା ପରିକ୍ରମା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଦୀର୍ଘ୍ୟମିଆଦୀ ଯୋଜନା ପ୍ରସ୍ତୁତ ଉପରେ ବୈଠକ : ମାଷ୍ଟର ପ୍ଲାନ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଦୀର୍ଘ୍ୟମିଆଦୀ ଯୋଜନା ପ୍ରସ୍ତୁତ ଉପରେ ବୈଠକ : ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଜିଲ୍ଲା ପ୍ରଶାସନକୁ ପରାମର୍ଶ

45

ପୁରୀ- ୩୦.୦୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାରେ ବାତ୍ୟା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘ୍ୟମିଆଦୀ କାର୍ଯ୍ୟକ୍ରମ ନିମନ୍ତେ ଯୋଜନା ପ୍ରସ୍ତୁତି ସଂକ୍ରାନ୍ତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ବୈଠକରେ ଆଲୋଚନା କରିଛନ୍ତି। ପୁରୀ ଜିଲ୍ଲା ପ୍ରତ୍ୟେକ ବର୍ଷ ବାତ୍ୟା ଓ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ସୂଚନା ଦେଇ ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଥିଲେ ଯେ ପ୍ରୟାଗି ଠାରୁ ସାତପଡା, ସାତପଡାରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କ ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ପ୍ରାୟ ୧୬୦ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଫାଇଲିନ, ତିତିଲି, ହୁଦହୁଦ, ଫନି, ୟାସ ଭଳି ସାମୁଦ୍ରିକ ଝଡ ଦ୍ବାରା ଜନଜୀବନ ଏବଂ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟୁଛି। ସମୁଦ୍ର ଉପକୂଳରେ ଥିବା କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ, ଅସ୍ତରଙ୍ଗ, ପୁରୀ ସଦର, ଗୋପ, କାକଟପୁର ବ୍ଲକ ସବୁବେଳେ କ୍ଷତିଗ୍ରସ୍ତ ହେଉଛି। ଭୟଙ୍କର ବନ୍ୟାଦ୍ବାରା ମହାନଦୀ ଅବବାହିକାର ଶତକଡା ୬୦ ଭାଗ ଜଳରାଶି ଜିଲ୍ଲାର ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା ନଦୀ ଗୁଡିକ ଦେଇ ବଡଗୋଠ ଠାରେ ଚିଲିକାରେ ପହଞ୍ଚି ସମୁଦ୍ର ମଧ୍ୟକୁ ନିଷ୍କାସିତ ହୁଏ ଏବଂ ଛୋଟ ଛୋଟ ବନ୍ୟା ଦ୍ବାରା ପ୍ରତିବର୍ଷ ପିପିଲି, ଡେଲାଙ୍ଗ, କଣାସ, କୃଷ୍ଣପ୍ରସାଦ, ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡା ବ୍ଲକ ପ୍ରଭାବିତ ହେଉଥିବା ଶ୍ରୀ ଦାସବର୍ମା ଉଲ୍ଲେଖ କରିଥିଲେ।

ଗତ ସାମୁଦ୍ରିକ ଝଡ ୟାସର ସଫଳ ମୁକାବିଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୀର୍ଘ୍ୟମିଆଦୀ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଘୋଷଣା କରିଛନ୍ତି। ସାମୁଦ୍ରିକ ଝଡ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳ ଗୁଡିକୁ ବାତ୍ୟା ନିରୋଧକ ବନ୍ଧ, ଲୁଣାବନ୍ଧ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରାବରାହ ନିମନ୍ତେ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି। ସାମୁଦ୍ରିକ ଝଡର ସମ୍ମୁଖୀନ ହେବା ପାଇଁ ସୁଉଚ୍ଚ ଦୀର୍ଘ୍ୟମିଆଦୀ ବନ୍ଧ ନିର୍ମାଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ସରାବରାହ ନିମନ୍ତେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପ୍ରଦାନ କରିନବା ପାଇଁ ଶ୍ରୀ ଦାସବର୍ମା ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଉକ୍ତ ଅଞ୍ଚଳରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଯୋଗାଇ ଦେବା ପାଇଁ ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କକୁ ପ୍ରସ୍ତାବ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ବନ୍ୟାଦ୍ବାରା ବାରମ୍ବାର ପ୍ରଭାବିତ ହେଉଥିବା ଜିଲ୍ଲାର ଲୁଣା, ଦୟା, ଭାର୍ଗବୀ ନଦୀରେ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏ ସଂପର୍କିତ ସମସ୍ତ କାର୍ଯ୍ୟକୁ ଏକ ମାଷ୍ଟର ପ୍ଲାନ ମାଧ୍ୟମରେ ପ୍ରସ୍ତୁତ କରିବା ଉପରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୁରୁତ୍ବାରୋପ କରିଥିବା ବେଳେ ତୁରନ୍ତ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କୁ ଅବଗତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ ଦାଶ, ଡ୍ରେନେଜ ବିଭାଗ ସହାୟକ ନିର୍ବାହୀ ଯନ୍ତ୍ରୀ ବସନ୍ତ ଦାଶ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ସେସକୋ ଓ ସାଉଥକୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.