Home ଜିଲ୍ଲା ପରିକ୍ରମା ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ସ୍ଥାନାନ୍ତର ନହେଲେ ଜିଲାପାଳଙ୍କ...

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ସ୍ଥାନାନ୍ତର ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଚେତାବନୀ

66

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରପୋଖରୀ ବ୍ଲକ୍ ଅଧୀନସ୍ଥ ଦକ୍ଷିଣବାଡ ଗ୍ରାମପଞ୍ଚାୟତରେ ସରକାରୀ ସ୍ତରରେ ପ୍ରସ୍ତାବିତ ଏକ ନୂତନ ମଦ ଦୋକାନ ଖୋଲାଯାଉଥିବାବେଳେ ଏହାକୁ ବିରୋଧ କରି ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସ୍ଥାନୀୟ ଡାକ୍ତର ଆମ୍ବେଦନକର ଦଳିତ ସେବାସଂଘ, ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଜନସାଧାରଣ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏବଂ ଜିଲାପାଳ ଏହି ମଦ ଦୋକାନକୁ ୭ଦିନ ଭିତରେ ବନ୍ଦ ନକଲେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଲାବନ୍ଦ ଆନ୍ଦୋଳନ କରିବାର ଚେତାବନୀ ଦେବା ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର ମୂଳେ ଦକ୍ଷିଣବାଡ ଗ୍ରାମପଞ୍ଚାୟତର କୋଳିପଦୀ କେନାଲ ଠାରେ ସରକାରୀ ନିୟମ ଅନୁସାରେ ଏକ ନୂତନ ମଦ ଦୋକାନ ଖୋଲାଯାଉଅଛି । ଯାହାର ଅବସ୍ଥିତି ୧୬ନଂ ଜାତୀୟ ରାଜପଥ ଠାରୁ ମାତ୍ର ୪ଶହ ମିଟର ମଧ୍ୟରେ ଅବସ୍ଥିତ । ଏହି ସ୍ଥାନ ଠାରୁ ମାତ୍ର ୫୦ ମିଟର ଦୂରତାରେ ଗୋଟିଏ ସ୍କୁଲ, ୪୦ ମିଟର ଦୂରତାରେ ଗୋଟିଏ ମନ୍ଦିର ଓ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ରହିଥିବାବେଳେ ଏହି ଦୋକାନ ପାଶ୍ୱର୍ ରାସ୍ତା ଦେଇ ଗ୍ରାମର ବହୁ ଛାତ୍ରଛାତ୍ରୀ ସ୍କୁଲ-କଲେଜ ଯା’ ଆସ କରନ୍ତି । ଏପରିକି ଗ୍ରାମର ମହିଳାମାନେ ମଧ୍ୟ ଏହି ରାସ୍ତା ଦେଇ ମନ୍ଦିର ଓ ଆଶ୍ରମକୁ ଯାତାୟତ କରନ୍ତି । ଏଣୁ ଏହି ସ୍ଥାନରେ ମଦ ଦୋକାନଟି ଖୋଲାଗଲେ ଲୋକମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ଏଣୁ ଏହି ମଦ ଦୋକାନ ନଖୋଲିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେମାନେ ବାଧ୍ୟହୋଇ ତାଲାବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲାପାଳ ସେମାନଙ୍କ ଦାବିପତ୍ର ଗ୍ରହଣ କାଳରେ କ୍ଷେତ୍ରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.