Home ଅନୁଗୁଳ ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନଙ୍କ ଦିବାସ୍ୱପ୍ନ, ଓଡିଆ ଲୋକ ଜବାବ୍ ଦେବେ...

ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନଙ୍କ ଦିବାସ୍ୱପ୍ନ, ଓଡିଆ ଲୋକ ଜବାବ୍ ଦେବେ – ଧର୍ମେନ୍ଦ୍ର ପ୍ରଧାନ

574

ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ
– ଅନୁଗୁଳର ବିକାଶ ପାଇଁ ମୋଦି ପଠାଇଥିଲେ ୧ ହଜାର କୋଟି, ପିସି ପାଇଁ ଅର୍ଥ ଖର୍ଚ୍ଚ କଲେନି ନବୀନ
– ବିଜେପି ସରକାର ହେଲେ ଢେଙ୍କାନାଳରେ ମେଡିକାଲ କଲେଜ ହେବ
– ଟିଟଫଣ୍ଡ ଓ ଖଣିଦୁର୍ନୀତିରେ ଲିପ୍ତ ଲୋକଙ୍କୁ ୯୦ ଦିନ ମଧ୍ୟରେ ଜେଲ ପଠାଯିବ
– ଓଡିଶାରେ ୧୫ଟି ପର୍ଯ୍ୟଟନ ସର୍କିଟ ବନାଯିବ
– ଗୋପାଳପୁରରୁ ଦୀଘା ପଯ୍ୟନ୍ତ ସାଢେ ୪୦୦ କିମିର କୋଷ୍ଟାଲ ହାଇୱେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଚିଲିକାରେ ବିଜେପି ନିର୍ମାଣ କରିବ
– ଦାଦନକୁ ପୂରା ବନ୍ଦ କରାଯିବାର ଦାୟିତ୍ୱ ବିଜେପି ନେବ
– ବିଜେପି ସରକାର ଆସିବା ଡରରେ ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି
– ନବୀନ ବାବୁ ଓଡିଶାରେ ଇଂରେଜୀ, ହିଟଲରୀ ପରି ଏକଛତ୍ରବାଦ ଶାସନ ଚାଲିବା ପାଇଁ ଚାହୁଁଛନ୍ତି କି ?

ଭୁବନେଶ୍ୱର/ପାଲଲହଡା/ଛେଣ୍ଡିପଦା//ପର୍ଜଙ୍ଗ/କାମାକ୍ଷାନଗର/କଙ୍କଡାହାଡ/ଟାଙ୍ଗୀ/ଚିଲିକା, ଅପ୍ରେଲ ୧୮ (ଓଡ଼ିଆ ପୁଅ) – ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନ ବାବୁଙ୍କ ଦିବା ସ୍ୱପ୍ନ। ଏହାକୁ ଓଡିଆ ଲୋକ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ନବୀନ ବାବୁ ଓଡିଶାରେ ଇଂରେଜୀ ଓ ହିଟଲର୍ ପରି ଏକଛତ୍ରବାଦ ଶାସନ ଚଳାଇବାକୁ ଚାହୁଁଛନ୍ତି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଓଡିଶାରେ ବିଗତ ୪ ବର୍ଷରେ ସାଢେ ୬ ହଜାର ଟଙ୍କା ଡିଏମ୍ଏଫରେ ଥିବା ବେଳେ ଅନୁଗୁଳର ବିକାଶ ପାଇଁ ଏହି ପାଣ୍ଠିରେ ୧ ହଜାର କୋଟି ଟଙ୍କା ଅଛି। ମାତ୍ର ପିସି କାରବାର ନହେବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଇସା ଖର୍ଚ୍ଚ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏତଦବ୍ୟତିତ ବିଜେପି ସରକାର ହେଲେ ୩ ମାସ ମଧ୍ୟରେ ଚିଟଫଣ୍ଡ ଟଙ୍କା ଲୁଟିଥିବା ଓ ଖଣି ଖାଦାନ ଚୋରଙ୍କୁ ଜେଲ ପଠାଯିବ ବୋଲି ସେ କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକାର ବାଣପୁର, ଟାଙ୍ଗୀ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ପାଲଲହଡା ଓ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡାହାଡରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ହେଲେ ଢେଙ୍କାନାଳରେ ମେଡିକାଲ କଲେଜ ତିଆରି ହେବ। ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଯେଉଁ ଘରେ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ବିଜୁଳି, ଶୌଚାଳୟର ସୁବିଧା ଉପଲବ୍ଧ ଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏତଦବ୍ୟତିତ ବିଜେପି କ୍ଷମତାକୁ ଆସିଲେ ଓଡିଶାରେ ୧୫ଟି ପର୍ଯ୍ୟଟନ ସର୍କିଟ ବନାଯିବ। ଯେଉଁଥିରେ ଚିଲିକାକୁ ପ୍ରାଥମିକତା ଦିଆଯିବ। ସେହିପରି ଗୋପାଳପୁରରୁ ଦୀଘା ପଯ୍ୟନ୍ତ ସାଢେ ୪୦୦ କିମିର କୋଷ୍ଟାଲ ହାଇୱେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଚିଲିକାରେ ବିଜେପି ନିର୍ମାଣ କରିବ। ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ମତ୍ସ୍ୟଜୀବୀଙ୍କ ହିତ ପାଇଁ ଏକ ଭିନ୍ନ ବିଭାଗ ତିଆରି କରାଯିବ। ଏହାର ସବୁଠୁ ବଡ ଲାଭ ଚିଲିକା ଅଂଚଳର ଲୋକମାନେ ପାଇବେ। ସେହିପରି ବାଣପୁର ଅଂଚଳରୁ ଅଧିକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ। ୧୯ ବର୍ଷ ସରକାରରେ ରହି ନବୀନ ବାବୁ ଏହି ବ୍ୟବସ୍ଥା କରିନଥିବା ବେଳେ ବିଜେପି ସ୍ଥାନୀୟ ଅଂଚଳରେ କାମ ଓ ରୋଜଗାରର ଉପଲବ୍ଧ କରାଇବ। ଦାଦନକୁ ପୂରା ବନ୍ଦ କରାଯିବାର ଦାୟିତ୍ୱ ବିଜେପି ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ଓଡିଶାରେ ଇଂରେଜୀ, ହିଟଲରୀ ପରି ଏକଛତ୍ରବାଦ ଶାସନ ଚାଲିବା ପାଇଁ ଚାହୁଁଛନ୍ତି କି ? ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ତାଙ୍କ ଦିବାସ୍ୱପ୍ନ। ସତସାହାସ ଥିଲେ ମଙ୍ଗୁଳିଜେନାର ଦୋଷୀକୁ ଗିରଫ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ବିଜେପି ସରକାର ଆସିବା ଡରରେ ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି। ବିଜେପିର ଖୋର୍ଦ୍ଧା ଓ ସୋରଡାରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ଯଦି ମୁଖ୍ୟମନ୍ତ୍ରୀ କାମ କରିଛନ୍ତି ତା’ ହେଲେ ହିଂସାକୁ କାହିଁକି ଆପଣେଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ମଙ୍ଗୁଳି ଜେନା ହତ୍ୟାକାଣ୍ଡରେ ଦୋଷୀ ଯେତେ ବଡ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ତାଙ୍କୁ ଜେଲ୍ ପଠାଯିବ ବୋଲି ମୋଦି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଚେଷ୍ଟା କରିବେ ବୋଲି ଭାବୁଛନ୍ତି, ଏହାକୁ ଜବାବ ଦେବା ପାଇଁ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବା ପାଇଁ ମେଳି କଲେଣି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କେନ୍ଦ୍ରରେ ବାଜପେୟୀଙ୍କ ସରକାର ଥିବା ସମୟରେ କିଛି ସମୟ ପାଇଁ ନବୀନ ବାବୁ କୋଇଲା ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିଲେ। ସେ ସମୟରେ ନବୀନ ବାବୁ ଗୋଟେ ଭୂତ କମ୍ପାନୀକୁ କୋଇଲା ଖଣି ଆବଂଟନ କରିଥିଲେ। ଏହି ଘଟଣାର ତଦନ୍ତ ପରେ ନବୀନ ବାବୁଙ୍କୁ ସିବିଆଇ ଜେରା କରୁଛି ଓ ଅନ୍ୟପଟେ ନବୀନ ବାବୁଙ୍କ ଓକିଲ ପିନାକୀ ବାବୁ ସଂସଦରେ ଏ ଅଂଚଳର ସମସ୍ୟା କଥା ନଉଠାଇ ନବୀନ ବାବୁଙ୍କ ଦିଆନିଆ କଥା ଉଠାଉଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଶାସନରେ ୨୦୦୯-୧୪ ମଧ୍ୟରେ ଇନ୍ଦିରା ଆବାସ ଯୋଜାନାରେ ୪ ଲକ୍ଷ ୯୦ ହଜାର ଘର ଓଡିଶା ପାଇଁ ଆସିଥିଲା। କିନ୍ତୁ ୨୦୧୪-୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ୧୦ ଲକ୍ଷ ଘର ଓଡିଶାକୁ ଦେଇଛନ୍ତି। ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି, ୫୦ ଲକ୍ଷ ଘରେ ଶୌଚାଳୟ ବନାଯାଇଛିି। କାଳିଆ ଯୋଜନାରେ ସାଧାରଣ ଚାଷୀ ଟଙ୍କା ପାଉନଥିବା ବେଳେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ପରିବାର ଲୋକଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେ ଆହୁରି କହିଛନ୍ତି ଯେ ଏ ଲଢେଇ ବିଧାୟକ ଓ ସାଂସଦ ପାଇଁ ନୁହେଁ, ଦେଶର ସୁରକ୍ଷିତ ଓ ଓଡିଶାର ବିକାଶ ବା ଓଡିଶାକୁ ୧ ନମ୍ବର ରାଜ୍ୟ କରିବା ପାଇଁ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ ସେ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.