Home ଓଡ଼ିଶା ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ପାଇଁ ଦିଲ୍ଲୀ ଗଲେ କମଳା ପୂଜାରୀ

ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ପାଇଁ ଦିଲ୍ଲୀ ଗଲେ କମଳା ପୂଜାରୀ

859

କୋରାପୁଟ ୧୫-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଜୈବିକ ପଦ୍ଧତିରେ ଧାନ ସଂରକ୍ଷଣ ଓ ବିଶୋଧନ କରି ରଖିବାରେ ଏକ ନୂତନ ପ୍ରଣାଳୀ ଉଦ୍ଭାବନ କରି ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ନିମନ୍ତେ ଗୁରୁବାର ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି। ଆଜି ସମଗ୍ର ବିଶ୍ୱରେ ନୂତନ ବୈଷୟିକ ଜ୍ଞାନ କୌଶଳରେ ଚାଷ କରା ଯାଉଥିବାବେଳେ କମଳା ପାରମ୍ପରିକ ପଦ୍ଧତିରେ ଧାନ ଉତ୍ପାଦନ ଓ ସଂରକ୍ଷଣ କରି ରଖିବା କ୍ଷେତ୍ରରେ ସମାଜକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି।ସେଥି ପାଇଁ ସେ ଜୋହାନସବର୍ଗରେ ୨୦୦୨ରେ ଆୟୋଜିତ ବିଶ୍ୱ ନିରନ୍ତର ବିକାଶ ସମିଳନୀରେ ଇକ୍ୱେଟର ଇନିସିଏଟିଭ୍ ପୁରଷ୍କାର ପାଇଥିବାବେଳେ ୨୦୦୩ରେ ନୂଆଦିଲ୍ଲୀରେ କୃଷି ବିଷାରଦ ସମ୍ମାନ, ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୃଷି ସମ୍ମାନ, ୨୦୧୭ରେ ଇଟିଭି ପ୍ରତିଭା ସମ୍ମାନ, ୨୦୧୭ରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦ୍ୟୁମ୍ନ ବଳ ସମ୍ମାନ, ୨୦୧୭ରେ କୋରାପୁଟ ଜିଲା ପ୍ରଶାସନ ଦ୍ୱାରା ପରବ ସମ୍ମାନ ସହ ବନ ସୁରକ୍ଷା ସମିତି, ପଂଚବଟୀ ଗ୍ରାମ୍ୟ ଉନ୍ନୟନ ଭଳି ଅନେକ ସମ୍ମାନର ଅଧିକାରୀଣୀ ହୋଇପାରିଥିଲେ। ୨୦୧୮ରେ କମଳାଙ୍କୁ ରାଜ୍ୟ ସରକାର ଯୋଜନା ବୋର୍ଡ ସଦସ୍ୟା ଭାବେ ମନୋନୀତ କରିଥିବାବେଳେ ୨୦୧୯ ଜାନୁଆରୀ ୨୬ରେ କମଳାଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରା ଯାଇଥିଲା। ଶନିବାର ପୂବାହ୍ନ ୧୦ଟା ସମୟରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ କମଳାଙ୍କୁ ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବାକୁ ନିମନ୍ତ୍ରଣ ଆସିବା ପରେ ଗୁରୁବାର ରାତିରେ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଜୟପୁରରୁ ବିଶାଖାପାଟଣା ଯିବା ପରେ ବିଶାଖାପାଟଣାରୁ ସେ ବିମାନ ଯୋଗେ ନୂଆଦିଲ୍ଲୀ ଯାଇଥିବା ଜଣାପଡିଛି। ସ୍ୱାମୀନାଥନ ଫାଉଣ୍ଡେସନର ପ୍ରଶାନ୍ତ ପରିଡା କମଳାଙ୍କ ଗାଇଡଭାବେ ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.