Home ଓଡ଼ିଶା ଦଳ ଡିଆଁ ପାଇଁ ବହୁ ନେତା କର୍ମୀ ପ୍ରସ୍ତୁତ : ବାହାରିଆ ନେତାଙ୍କୁ ମୁଣ୍ଡରେ ଲଦିଲେ...

ଦଳ ଡିଆଁ ପାଇଁ ବହୁ ନେତା କର୍ମୀ ପ୍ରସ୍ତୁତ : ବାହାରିଆ ନେତାଙ୍କୁ ମୁଣ୍ଡରେ ଲଦିଲେ ବରଦାସ୍ତ କରାଯିବ ନାହିଁ- ଆଶାୟୀ

549

ବ୍ରହ୍ମପୁର: ୭/୦୩ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଗାମୀ ନିର୍ବାଚନ ରେ ପ୍ରାର୍ଥୀ ହେବାକୁ ଆଶାୟୀ ମାନଙ୍କ ଲମ୍ବା ତାଲିକା ଏବଂ ଟିକଟ ପାଇଁ ଲବି ଓ ଦାବୀ ଭଳି ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାର କଂଗ୍ରେସ ଦଳ ଓ ବି ଜେ ପି ରେ ସରଗରମ ପରିସ୍ଥିତି ସୃଷ୍ଟି କରିଛି। ଟିକଟ ଘୋଷଣା କୁ ଅପେକ୍ଷା କରି ଅନେକ ନେତା ଦଳୀୟ ପାଚେରୀରେ ବସିଛନ୍ତି। ଟିକଟ ପ୍ରଦାନ ସନ୍ତୋଷଜନକ ନ ହେଲେ ଦଳ ଡିଆଁ ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି। ଏହା ଦଳୀୟ ସଙ୍ଗଠନକୁ ଜଗି ରହିଥିବା କାର୍ଯ୍ୟକର୍ତ୍ତା ମାନଙ୍କ ବ୍ୟସ୍ତତା ବଢାଇଦେଇଛି।

ଅପରପକ୍ଷରେ ବାହାର ସ୍ଥାନର ପ୍ରାର୍ଥୀଙ୍କୁ ଆଣି ଗଞ୍ଜାମ ଜିଲ୍ଲାରେ ଲୋକସଭା କିମ୍ବା ବିଧାୟକ ପ୍ରାର୍ଥୀ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଅନେକ ନେତା ନାମ ପ୍ରକାଶ କରିବାକୁ ଅମଙ୍ଗ ହୋଇ ଶାଣୀତ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି। ତେବେ ବି ଜେ ପି ନେତା ଡାକ୍ତର ସୁବାସ ଚନ୍ଦ୍ର ସାହୁ ଖୋଲା ଖୋଲି ଭାବେ ବାହାର ପ୍ରାର୍ଥୀଙ୍କୁ ଆଣି ସ୍ଥାନୀୟ ନେତା, କର୍ମୀମାନଙ୍କ ମୁଣ୍ଡ ଉପରେ ଲଦିଲେ ପରିସ୍ଥିତି ବିଷମ ହୋଇପଡିବା ଚେତାବନୀ ଦେଇଛନ୍ତି। ବି ଜେ ପି ର ପୁରୁଖା ନେତା ଓ ସମାଜ ସେବୀ ଶ୍ରୀ ରାମ କୁମାର ପାତ୍ର ପାର୍ଟି ପାଇଁ ତ୍ୟାଗ, ଅବଦାନ ରଖି ସଙ୍ଗଠନରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷଙ୍କୁ ଗୁରୁତ୍ୱ ଦେଇ ଟିକଟ ପ୍ରଦାନ କରାନଗଲେ ବି ଜେ ପି ତା’ର ଆଦର୍ଶ ଓ ଶୃଙ୍ଖଳା ରୁ ପଥଚ୍ୟୁତ ହେବା ଲୋକଙ୍କ ଧାରଣା ଦୃଢ଼ ହେବ ବୋଲି ଉଦବେଗ ପ୍ରକାଶ କରିଛନ୍ତି।

ବି ଜେ ପି ର ପ୍ରଚ୍ଛଦପଟ ସହଯୋଗୀ ତଥା ରାଜନୈତିକ ନିୟନ୍ତ୍ରଣକାରୀ ସଂଘ ଓ ସଙ୍ଗଠନ ବାହାର ସ୍ଥାନ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଚିନ୍ତାଧାରା କୁ ବିରୋଧ କରୁଥିବା ବେଳେ ବି ଜେ ପି ର ଭିନ୍ନ ମତପୋଷଣ ରୁ ଅନ୍ତର୍ଦ୍ୱନ୍ଦ ଲାଗିରହିଥିବା ଦଳୀୟ ନେତା ଓ କର୍ମୀମହଲରୁ ଜଣାପଡିଛି।

ବ୍ରହ୍ମପୁର ଲୋକସଭା ଆସନ ପାଇଁ ବି ଜେ ପି ର ଅନ୍ୟତମ ରାଜ୍ୟ କାର୍ଯ୍ୟକର୍ତ୍ତା ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀତ୍ୱକୁ ଆରମ୍ଭରୁ ହିଁ ଡାକ୍ତର ସାହୁ , ବି ଜେ ପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତି ଙ୍କ ସମେତ ଅନେକ ନେତା ନାପସନ୍ଦ କରି ଆସୁଛନ୍ତି। ଆମ ଜିଲ୍ଲାରେ କଣ ସାଂସଦ ପ୍ରାର୍ଥୀ ହେବା ଭଳି ନେତାଙ୍କ ଅଭାବ ରହିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।

ସେପରି ବି ଜେ ପି ଘୁମୁସର ଜିଲ୍ଲାର ନେତାମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ପ୍ରତିଯୋଗିତା ଓ ପରଶ୍ରୀକାତରତା ଯୋଗୁଁ ଅସନ୍ତୋଷ ଲାଗିରହିଛି। ଘୁମୁସର ଜିଲ୍ଲା ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଆସିକା ଲୋକସଭା ଆସନ ପାଇଁ ଆଶାୟୀ ରହିଥିଲେ। ତେବେ ଗତ ଥର ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ବରିଷ୍ଠ ନେତା ଶ୍ରୀ ମହେଶ୍ୱର ମହାନ୍ତିଙ୍କ ସପକ୍ଷରେ ରାଜ୍ୟ ଶାଖା ପକ୍ଷରୁ ଟିକଟ ପାଇଁ ନାମ ସୁପାରିଶ କରାଯାଇଛି। ଧରାକୋଟ ରାଜପରିବାର ପୂର୍ବରୁ ବି ଜେ ପି ସହ ଥିବାରୁ ବର୍ତ୍ତମାନ ବି ଜେ ଡି ରୁ ଟିକଟ ପାଇବାରେ ଧରାକୋଟ ରାଣୀ ବିଫଳ ହେଲେ ବି ଜେ ପି ରେ ସାମିଲ ହୋଇଯିବା ଖବର ପ୍ରସାରିତ ହୋଇଛି। ଏପରି ପରିସ୍ଥିତିରେ ବି ଜେ ପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରିଛି।

ଅଧିକାଂଶ ନେତା ଓଡିଶା ବିଧାନସଭା ଆସନ ପାଇଁ ଲାଳାୟିତ ରହିଥିବାରୁ ଅଶାୟୀମାନଙ୍କୁ ଥଇଥାନ କରିବା ନେଇ ଦଳର ପଦଧିକାରୀମାନଙ୍କ ର ଚିନ୍ତା ବଢ଼ି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.