Home ଅନୁଗୁଳ ତାଳଚେର ରଥଯାତ୍ରା ନିମନ୍ତେ କାଠ ରଥ ବ୍ୟବହାର କରିବାକୁ ଜେଏସ୍‌ଏସ୍ ର ଦାବୀ

ତାଳଚେର ରଥଯାତ୍ରା ନିମନ୍ତେ କାଠ ରଥ ବ୍ୟବହାର କରିବାକୁ ଜେଏସ୍‌ଏସ୍ ର ଦାବୀ

113

ତାଳଚେର,୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସହରରେ ହେବାକୁ ଥିବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ କାଠରେ ନିର୍ମାଣ କରିବାକୁ ତାଳଚେର ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ଚଳିତ ବର୍ଷ ଷ୍ଟିଲ୍ ରଥ ଦ୍ୱାରା ରଥଯାତ୍ରା କରିବା ସମ୍ଭାବନାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବାବେଳେ ରାଜା ରାଜୁଡା ଅମଳରୁ ଲାଗି ରହିଥିବା ପରମ୍ପରାକୁ ଚଳିତ ବର୍ଷ କୁଠାରଘାତ କରାଯାଉଥିବାର ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ତାଳଚେରରେ ରଥଯାତ୍ରା ଆରମ୍ଭ ହେବା ଦିନଠାରୁ ବିଗତ ବର୍ଷ ଯାଏଁ କାଠରେ ରଥ ନିର୍ମାଣ ହେଉଥିବାବେଳେ କାହା ନିର୍ଦ୍ଦେଶରେ ପରିଚାଳନା କମିଟି କାଠ ରଥ ବଦଳରେ ଷ୍ଟିଲ୍ ରଥ ନିର୍ମାଣ କରିଛନ୍ତି ବୋଲି ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯିବା ସହ ସରକାର ଏହାର ତଦନ୍ତ କରିବା ସହିତ କାଠ ରଥ ତୁରନ୍ତ ନିର୍ମାଣ କରିବାକୁ ତାଳଚେର ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌-୧୯ ଯୋଗୁଁ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପୁରୀ ସମେତ ଢେଙ୍କାନାଳ,ଅନୁଗୋଳ,ପାଳଲହଡ଼ା ଆଦି ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଓ ନୀତି ଯେଭଳି ଭାବରେ କରାଯାଉଅଛି ସେହିଭଳି ତାଳଚେରରେ ମଧ୍ୟ ରଥଯାତ୍ରା ପାଇଁ ସମସ୍ତ ନିୟମକୁ ଲାଗୁ କରାଯାଇ ସାମାଜିକ ଦୂରତ୍ୱକୁ ବଜାୟ ରଖି କାଠ ରଥ ନିର୍ମାଣ କରାଯାଇ ଆଇନ୍ ଅନୁଯାୟୀ ବିନା ଭକ୍ତରେ ରଥଯାତ୍ରା ପାଳନ କରାଯାଉ । ସେହିପରି ଓଡିଶାର ବିଭିନ୍ନ ସ୍ଥାନରେ କାଠ ରଥ ନିର୍ମାଣ କରାଯାଉଥିବା ବେଳେ ତାଳଚେରରେ ଏହାର ବ୍ୟତିକ୍ରମ କାହିଁକି କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଥାଶୀଘ୍ର କାଠ ରଥ ନିର୍ମାଣ କରାଯାଇ ତାଳଚେରରେ ରଥଯାତ୍ରା ପାଳନ କରିବା ପାଇଁ ଜେ.ଏସ୍‌.ଏସ୍ ପକ୍ଷରୁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯିବା ସହିତ ଏହାର ନକଲ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ,ଆର.ଡି.ସି. ସମ୍ବଲପୁର,ଅନୁଗୋଳ ଜିଲ୍ଲାପାଳ ଏବଂ ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ସଭାପତି ସ୍ୱାଧୀନ କୁମାର ଥମ୍ବ,ବାଦଲ ବେହେରା,ସରୋଜ ଭୂତିଆ,ଶକ୍ତି ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.