Home କୋରାପୁଟ ଟ୍ରକ୍ ଧର୍ମଘଟ ଯୋଗୁଁ ଆଲୁମିନିୟମ ପରିବହନ ବାଧାପ୍ରାପ୍ତ

ଟ୍ରକ୍ ଧର୍ମଘଟ ଯୋଗୁଁ ଆଲୁମିନିୟମ ପରିବହନ ବାଧାପ୍ରାପ୍ତ

113

କୋରାପୁଟ ;ତା୧୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦାମନଯୋଡିରେ ତିନୋଟି ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ତାର ପ୍ରଭାବ ଆଜି ଆଲୁମିନିଅମ ପାଉଡର ପରିବହନ ଉପରେ ପଡିଛି । ପୂର୍ବରୁ ସୁନାବେଡା ଟ୍ରକ୍ ଏଣ୍ଡ୍ ଟିପ୍ପର୍ ସଂଘ ଏବଂ ମାଁ କଂଟାବାଉଁଶୁଣୀ ଟ୍ରକ୍ ମାଲିକ ସଂଘ ଦାମନଯୋଡିରୁ ଆଲୁମିନିୟମ ପରିବହନ କରି ଆସୁଥିଲେ । କିନ୍ତୁ କୌଣସି କାରଣରୁ ଉଭୟ ସଂଘରୁ କେତେକ ଟ୍ରକ୍ ମାଲିକ ବାହାରି ଆସି ଦାମନଯୋଡିରେ ଶୀ ଜଗନ୍ନାଥ ଟ୍ରକ୍ ଏଣ୍ଡ୍ ଟିପ୍ପର ମାଲିକ ସଂଘ (ଏସଜେଟିଟି)ନାମରେ ଏକ ନୂତନ ସଂଘ ଗଠନ କରିଥିଲେ । ତେବେ ନାଲକୋରୁ ପ୍ରଥମ ଦୁଇ ସଂଘ ଆଲୁମିନିୟମ ପରିବହନ କରୁଥିବାରୁ ନୂତନ ଭାବେ ଗଠିତ ଦାମନଯୋଡିର ଶ୍ରୀ ଜଗନ୍ନାଥ ଟ୍ରକ୍ ଓ ଟିପ୍ପର ସଂଘ ମଧ୍ୟ ନାଲକୋରୁ ଆଲୁମିନିଅମ୍ ପରିବହନ ପାଇଁ ନାଲକୋ କର୍ତୂପକ୍ଷଙ୍କ ନିକଟରେ ଦାବି କରିବା ପରେ ବିବାଦ ଉଠିଥିଲା । ନବ ଗଠିତ ସଂଘକୁ ଆଲୁମିନିୟମ୍ ପାଉଡର ପରିବହନ ନଦେବାକୁ ଦୁଇ ପୁରୁଣା ସଂଘ ଅଡି ବସିଥିଲେ,ତେଣୁ ନବ ଗଠିତ ସଂଘ ଜିଲା ପ୍ରଶାସନ ନିକଟରେ ଗୁହାରୀ କରିଥିଲା । କୋଟାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର କିଛି ଦିନ ପୂର୍ବରୁ ତିନୋଟି ସଂଘର କର୍ମକର୍ତା ଏବଂ ନାଲକୋ ପରିବହନ ଏଜିଏମ୍ ଶଶାଙ୍କ କୁମାର ସାହୁଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରି ପରସ୍ପର ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ କହିଥିଲେ । କିନ୍ତୁ ଆଲୁମିନିୟମ ପରିବହନ କରୁଥିବା ଦୁଇଟି ସଂଘ ନୂତନ ସଂଘକୁ ପରିବହନ ଦାୟିତ୍ୱ ଦେବାକୁ ସହମତି ପ୍ରକାଶ ନକରିବାରୁ ଶ୍କୀ ଜଗନ୍ନାଥ ଟ୍ରକ୍ ଓ ଟିପ୍ପର୍ ମାଲିକ ସଂଘର କର୍ମକର୍ତା ମଙ୍ଗଳବାର ସକାଳୁ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ସମସ୍ତ ଟ୍ରକକୁ ଅଟକାଇ ଆଲିମିନିୟମ୍ ପରିବହନ କାର୍ଯ୍ୟ ବନ୍ଦ କରି ଦେଇଥିଲେ । ସଭାପତି କୃଷ୍ନ କୁଳଦୀପ,ସମ୍ପାଦକ ସଂଜୀବ ଖରା,ସଦସ୍ୟ ପ୍ରକାଶ ଘଡେଇ,ଅଶୋକ ନାୟକ,ପ୍ରମୋଦ ସାହୁ,ଦୈତାରୀ ପୃଷ୍ଟି ଓ ଅନ୍ୟମାନେ ମାଥାଲପୁଟ ବସଷ୍ଟାଣ୍ଡରେ ଏକତ୍ରିତ ହୋଇ ସେମାନଙ୍କ ସଂଘର ଟ୍ରକକୁ ଆଲୁମିନିୟମ ପରିବହନ ନମିଳିବା ଯାଏ କୌଣସି ଟ୍ରକ୍ ଛଡା ଯିବ ନାହିଁ ବୋଲି ଜିଦରେ ଅଟଳ ରହିଲେ । ଅନ୍ୟ ପକ୍ଷରେ ପରିବହନ କରୁଥିବା ଦୁଇ ପୁରୁଣା ସଂଘ କର୍ମକର୍ତା ଏଥିରେ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିବା ସହ ସ୍ଥାନୀୟ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ସୁନାବେଡା ଏସଡିପିଓ ନିରଂଜନ ବେହେରା,ଥାନା ଅଧିକାରୀ ସହଦେବ ମହାପାତ୍ର ଘଟଣା ସ୍ଥଳକୁ ଆସି ଏସଜେଟିଟିର କର୍ମକର୍ତାଙ୍କୁ ବହୁ ସମୟ ବୁଝାସୁଝା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା । ଫଳରେ ଶେଷରେ ପୁଲିସ ଏସଜେଟିଟିର ସଭାପତି କୃଷ୍ନ କୁଳଦୀପ,ସମ୍ପାଦକ ସଂଜୀବ ଖରାଙ୍କ ସହ ଅନ୍ୟ କର୍ମକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସକାଳୁ ଅଟକି ରହିଥିବା ଟ୍ରକ୍ ଗୁଡିକୁ ପୁଲିସ ଉପସ୍ଥିତିରେ ଛଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.