Home ଓଡ଼ିଶା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲୌହମାନବ ସର୍ଦ୍ଦାର ପଟେଲ ବିଶ୍ୱରେ ଅଦ୍ୱିତୀୟ – ପ୍ରଦେଶ...

ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲୌହମାନବ ସର୍ଦ୍ଦାର ପଟେଲ ବିଶ୍ୱରେ ଅଦ୍ୱିତୀୟ – ପ୍ରଦେଶ କଂଗ୍ରେସ

489

ଭୁବନେଶ୍ୱର ତା- ୨୯.୦୨ (ଓଡ଼ିଆ ପୁଅ) – ଗତ ୨୩ ସେପ୍ଟେମ୍ବର ୨୦୧୯ ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଦର ଅଫ୍ ଇଣ୍ଡିଆ ବା ଭାରତର ପିତା ବୋଲି ସମ୍ବୋଧିତ କଲେ ସେତେବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସାମାନ୍ୟତମ ସୌଜନ୍ୟତା ପ୍ରକାଶ କରି ଏ କଥାକୁ ଟ୍ରମ୍ପଙ୍କୁ ବୁଝାଇ ପାରିଥାନ୍ତେ ଯେ ଭାରତବର୍ଷର ଜାତିର ପିତା, ବିଶ୍ୱର ଶାନ୍ତି, ଅହିଂସା ଓ ଭାତୃତ୍ୱ ଭାବର ଯେଉଁ ମଞ୍ଜି ବିପନ କରିଯାଇଛନ୍ତି ସେ ହେଉଛନ୍ତି ଏକମାତ୍ର ଏବଂ ଅଦ୍ୱିତୀୟ ମହାତ୍ମା ଗାନ୍ଧୀ। କିନ୍ତୁ ନରେନ୍ଦ୍ର ମୋଦି ଏ କଥାକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତେ ଏହାକୁ ହସି ହସି ସ୍ୱୀକାର କରିବା ତାଙ୍କର ଏ ଦେଶ ପ୍ରତି ଏବଂ ଜାତିର ପିତାଙ୍କ ପ୍ରତି କେଉଁଭଳି ସମ୍ମାନ ଅଛି ତାହା ସ୍ପଷ୍ଟ ଅନୁମେୟ। ଗତକାଲି ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କର ଓଡିଶା ଗସ୍ତ ଅବସରରେ ପୂର୍ବାଚଂଳ ରାଜ୍ୟମାନଙ୍କର ଏକ ଆଂଚଳିକ ବୈଠକ ହୋଇଥିଲା। ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଆସିଥିବା ବେଳେ ନିଜ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏହା କେଉଁ ନୀତି ଓ ଆଦର୍ଶକୁ ସୂଚାଉଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହିତ କହିଛନ୍ତି ଯେ ଗତକାଲି ଜନତା ମୈଦାନରେ ଶ୍ରୀ ଶାହା ଓଡିଶାରେ ମଧ୍ୟ ଜଣେ ଗାନ୍ଧୀ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କୁ ସମ୍ବୋଧନ କଲେ ଏବଂ ବିଜେପି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଉପାଦେ ଆଗକୁ ଯାଇ ଶ୍ରୀ ଶାହାଙ୍କୁ ଭାରତବର୍ଷର ବର୍ତମାନର ସର୍ଦ୍ଦାର ପଟେଲ ବୋଲି ସମ୍ବୋଧନ କରିବା, ଏହା ପୂର୍ବସୂରୀମାନଙ୍କ ପ୍ରତି କିଭଳି ସମ୍ମାନ? ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଭାରତବର୍ଷର ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟକୁ କିଭଳି ଇତିହାସ ପୃଷ୍ଠାରୁ ଲିଭାଯାଇ ପାରିବ ଏହା ତାହାର କିଛି ଜ୍ୱଳନ୍ତ ଉଦାହରଣ।

ଗତକାଲି ଆଂଚଳିକ ବୈଠକରେ ପଶ୍ଚିମବଙ୍ଗ ଓ ବିହାରର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲାବେଳେ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ଭାବେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଡ. ରାମେଶ୍ୱର ଓରାନ୍ ଯୋଗଦେଇଥିଲେ। କିନ୍ତୁ ଭୋଜନରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲା ବେଳେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଡ. ଓରାନ୍‌ଙ୍କୁ ନିମନ୍ତ୍ରଣ କଲେ ନାହିଁ କାହିଁକି? ସେ କ’ଣ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଜାଣିସୁଣି ଭୋଜନ ପାଇଁ ଡକାଗଲା ନାହିଁ ? ଯାହାକି ଓଡ଼ିଶାର ପାରମ୍ପରିକ ସଂସ୍କୃତି “ଅତିଥି ଦେବ ଭବଃ”ର ପରପନ୍ଥି ନୁହେଁକି?

ଦିଲ୍ଲୀ ଜଳୁଥିଲା ବେଳେ ଏବଂ ଦଙ୍ଗାରେ ୪୨ ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ଗୃହମନ୍ତ୍ରୀ ଥରୁଟିଏ ଦଙ୍ଗା ପ୍ରପୀଡିତ ଲୋକଙ୍କୁ ନଭେଟିବା ତାଙ୍କର ଯୋଗ୍ୟତା ଏବଂ ସେ କିଭଳି ଭାବେ ସର୍ଦ୍ଦାର ପଟେଲଙ୍କ ସହ ସମକକ୍ଷ ତାହା ପରିତାପର ବିଷୟ।