Home ଓଡ଼ିଶା ଚକଡା ପୋକରେ ହେକ୍ଟର ହେକ୍ଟର ଫସଲ ନଷ୍ଟ ହେବା ପ୍ରସଙ୍ଗରେ: ଚାଷୀମାରଣ ନୀତି ଅବଲମ୍ବନ କରୁଛନ୍ତି...

ଚକଡା ପୋକରେ ହେକ୍ଟର ହେକ୍ଟର ଫସଲ ନଷ୍ଟ ହେବା ପ୍ରସଙ୍ଗରେ: ଚାଷୀମାରଣ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟସରକାର : ବିଜେପି

411

– କେନ୍ଦ୍ର ସରକାର ସବୁ ସମୟରେ ଚାଷୀଙ୍କ ହିତରେ କାର୍ଯ୍ୟ କରିଆସୁଛି
– ଚାଷ ଓ ଚାଷୀ ପାଇଁ ରାଜ୍ୟସରକାର ଆଦୌ ଚିନ୍ତିତ ନୁହଁନ୍ତି
– ପ୍ରାକୃତିକ ଦୁର୍ବିପାକ ଅପେକ୍ଷା ମନୁଷ୍ୟକୃତ ତଥା ସରକାରୀକୃତ ଦୁର୍ବିପାକ ଚାଷୀମାନଙ୍କୁ ଅଧିକ ବ୍ୟଥିତ କରିଛି
– ରାଜ୍ୟସରକାର ଚାଷୀଙ୍କୁ ନକଲି ବିହନ ଯୋଗାଇଛନ୍ତି
– ରାଜ୍ୟସରକାରଙ୍କ ସୁରଭି ଯୋଜନାରେ ଜିଲ୍ଲାରେ ଅଧା ମୂଲ୍ୟରେ ମିଳୁଥିବା କୀଟନାଶକ ଔଷଧ ନିମ୍ନମାନର

ଭୁବନେଶ୍ୱର, ତା.୨୬/୧୧ (ଓଡ଼ିଆ ପୁଅ) : ଗତ ବର୍ଷ ଚକଡା ପୋକ ଜନିତ ବିପର୍ଯ୍ୟୟରୁ ରାଜ୍ୟ ସରକାର କୈାଣସି ଶିକ୍ଷା ପାଇଲେ ନାହିଁ। ଚଳିତ ବର୍ଷ ରାଜ୍ୟରେ ଚକଡା ପୋକ ଦ୍ୱାରା ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି। ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଚାଷୀ ପରିବାର ଆଜି ସର୍ବସାନ୍ତ ହୋଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ରାଜ୍ୟର ଚାଷୀମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି। ଚାଷୀ ନିଜ ଅଧିକାରରୁ ବଂଚିତ ହେଉଛି। ପ୍ରାକୃତିକ ଦୁର୍ବିପାକ ଅପେକ୍ଷା ମନୁଷ୍ୟକୃତ ତଥା ସରକାରୀକୃତ ଦୁର୍ବିପାକ ଚାଷୀମାନଙ୍କୁ ଅଧିକ ବ୍ୟଥିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଚକଡା ପୋକରୁ ରକ୍ଷା ପାଇବା ପାଇଁ ପ୍ରତି ବ୍ଲକ ହେଡ୍କ୍ୱାଟରରେ ଚାଷୀଙ୍କୁ ଉନ୍ନତ ମାନର ପୋକ ମରା ଔଷଧ ଯୋଗାଇଦେବା କଥା, କିନ୍ତୁ ସରକାର ନକଲି କୀଟନାଶକକ ଯୋଗାଇ ଚାଲିଛନ୍ତି। ରାଜ୍ୟସରକାରଙ୍କ ସୁରଭି ଯୋଜନାରେ ଜିିଲ୍ଲାରେ ଅଧା ମୂଲ୍ୟରେ ମିଳୁଥିବା କୀଟନାଶକ ଔଷଧ ନିମ୍ନମାନର ହୋଇଥିବାରୁ ଶହ ଶହ ଜମି ଏବେ ଚକଡା ପୋକ ଦ୍ୱାରା ନଷ୍ଟ ହେଉଛି। ଏହାର ସମାଧାନ ନକରି କିଛି ସ୍ଥାନରେ ରାଜ୍ୟସରକାର ମରୁଡି ଘୋଷଣା କରି ବାହା ବାହା ନେବାକୁ ବସିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଚକଡା ପୋକର ସମାଧାନ ପାଇଁ ଗତ ବର୍ଷ କେନ୍ଦ୍ରୀୟ ଟିମ୍ ଆସିଥିଲା। କେନ୍ଦ୍ର ସରକାର ସବୁ ସମୟରେ ଚାଷୀଙ୍କ ହିତରେ କାର୍ଯ୍ୟ କରିଆସୁଛି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ଫସଲ ବୀମା ଯୋଜନା ଲାଗୁ କରିବା, ସଏଲ ହେଲଥ କାର୍ଡ, ନିମ କୋଟିଙ୍ଗ ୟୁରିଆ, ଇ-ମଣ୍ଡି, କୃଷି ସିଂଚାଇ ଆଦି ଅନେକ ଯୋଜନା ଚାଷୀଙ୍କ ହିତରେ ଲାଗୁ କରିଥିବାବେଳ ରାଜ୍ୟସରକାର ପିସି କାରବାର କରି ଯୋଜନାକୁ ବାଟମରଣା କରିଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଚାଷ ଓ ଚାଷୀ ପାଇଁ ରାଜ୍ୟସରକାର ଆଦୌ ଚିନ୍ତିତ ନୁହଁନ୍ତି। ରାଜ୍ୟରେ ଚାଷୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ସମୟରେ ଉଭୟ ଶାସକ ଓ ବିରୋଧୀ ସଲାସୁତୁରା ହୋଇ ବିଧାନସଭା ବନ୍ଦ କରି ଚାଷୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.