Home ଓଡ଼ିଶା ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବୁଥ୍ ରେ ନିର୍ବାଚନୀ ନିୟମ ଉଲ୍ଲଘନ ଏବଂ ଜୋରଜବରଦସ୍ତି ଭୋଟିଂ...

ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବୁଥ୍ ରେ ନିର୍ବାଚନୀ ନିୟମ ଉଲ୍ଲଘନ ଏବଂ ଜୋରଜବରଦସ୍ତି ଭୋଟିଂ – ପ୍ରଦେଶ କଂଗ୍ରେସ

833

ଭୁବନେଶ୍ୱର ୨୩.୪ (ଓଡ଼ିଆ ପୁଅ) – ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୧ – ଘସିପୁରା ବିଧାନସଭା କ୍ଷେତ୍ରରେ ବିଭିନ୍ନ ପୁଲିଂ ବୁଥ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲଙ୍ଘନ କରାଯାଇ ଜୋର ଜବରଦସ୍ତି ମତଦାନ କରାଯାଉଅଛି। ମୁଖ୍ୟ ନିର୍ବାଚନ ଅଧିକାରୀ ବାରମ୍ବାର ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରୁଥିବା ବେଳେ ଯେଉଁସବୁ ନିର୍ବାଚନ ମଣ୍ଡଳୀଗୁଡିକ ଅପରାଧପ୍ରବଣପୂର୍ଣ୍ଣ ଏବଂ ଗଣ୍ଡଗୋଳ ଆଶଙ୍କା କରାଯାଉଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ପ୍ରକ୍ରିୟା ସମାପ୍ତ ହେବ ସେଥିପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ। ଘସିପୁରା ନିର୍ବାଚନ ମଣ୍ଡଳୀ ଏକ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ ହୋଇଥିବା ହେତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁସବୁ ପୁଲିଂ ବୁଥ୍ ଗୁଡିକ ଅଧିକ ସ୍ପର୍ଶକାତର ସେହିସବୁ ବୁଥ୍ ଗୁଡିକରେ ସିସିଟିଭି ଲଗାଇବା ସହିତ ସିସିଟିଭିଗୁଡିକ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେଉଥିବା ଦରକାର ଏବଂ ବୁଥ୍ ଠାରୁ ୧୦୦ ମିଟର ପରିଧି ଭିତରେ ମତଦାତାମାନଙ୍କୁ କୌଣସି ପ୍ରକାର ପ୍ରଲୋଭିତ କରିବା ବା ମତଦାତାଙ୍କୁ ଭୟଭୀତ କରାଇବା ବିଧିସମ୍ମତ ନଥିଲା ବେଳେ ବିଭିନ୍ନ ବୁଥ୍ ଭିତରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କର କର୍ମୀମାନେ ବୁଥ୍ ଭିତରେ ରହି ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଧମକାଉଛନ୍ତି। କିନ୍ତୁ ସେଠାରେ ଥିବା ରିଟର୍ଣ୍ଣିଂ ଅଫିସର, ପୋଲିସ, ଜିଲ୍ଲା ପଦାଧିକାରୀ ନିର୍ବାଚନ କାର୍ଯ୍ୟକୁ ଚଳାଉଥିବା ଅଧିକାରୀବୃନ୍ଦ ସମସ୍ତେ ଚୁପ୍ ରହୁଛନ୍ତି। ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ବଡପଦନା-୨୭୫ ନମ୍ବର ବୁଥ୍ ରେ ସେହି ବ୍ଲକର ଚେୟାରମ୍ୟାନ୍ ବୁଥ୍ ର ସମସ୍ତ ମତଦାତାଙ୍କ ମତ ନିଜେ ପ୍ରଦାନ କରୁଛନ୍ତି। ଏହା କିଭଳି ମୁକ୍ତ, ଅବାଧ ଓ ନ୍ୟାୟ ସମ୍ମତ ନିର୍ବାଚନ ଏଥିରୁ ବୁଝା ପଡୁଛି। ୨୩୧-ମାଛାଲୋ ବୁଥ୍ ରେ ସିସିଟିଭିର ତାର ମଧ୍ୟ କଟା ହୋଇଯାଇଛି, ସିସିଟିଭି କାମ କରୁନାହିଁ ଏବଂ ତା’ ଭିତରେ ବିଜୁ ଜନତା ଦଳର କର୍ମୀମାନେ ରହି ଭୋଟରମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକାଉଛନ୍ତି। ଏଭଳି ଘୋର ଅନିୟମିତତା ବିରୁଦ୍ଧରେ ରାଜ୍ୟ ପ୍ରଦେଶ କଂଗ୍ରେସ ବରିଷ୍ଠ ଉପସଭାପତି ଶ୍ରୀ ଯଜେ୍ଞ୍ଜଶ୍ୱର ବାବୁ, ଶ୍ରୀ ଶିବାନନ୍ଦ ରାୟ ଓ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଏହି ଘୋର ଅନିୟମିତତାର ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତତ୍ ସହିତ ଘସିପୁରା ନିର୍ବାଚନ ମଣ୍ଡଳୀର ନାରଦା, ସାପୁଆସାହି, ଜିବିଗୋଡା, କୃଷ୍ଣପୁର, ଲହଗିରି, ପଡପଦନା, ସୁଅାଁପଦ, ପାଟଣା, ରାଇତୋଳା, ରୁଦ୍ରନାରାୟଣପୁର ଓ ମାଛାଲୋ ଇତ୍ୟାଦି ବୁଥ୍ କେନ୍ଦ୍ରଗୁଡିକରେ ପୁନର୍ବାର ଭୋଟ ଗ୍ରହଣ କରିବା ପାଇଁ ଦୃଢ ଦାବି ଜଣାଇଛନ୍ତି। ନିର୍ବାଚନ କମିଶନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.