Home ଓଡ଼ିଶା କେନ୍ଦୁଝର : ହିତାଧିକାରୀଙ୍କ ଅର୍ଥ ହଡପ ଓ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ...

କେନ୍ଦୁଝର : ହିତାଧିକାରୀଙ୍କ ଅର୍ଥ ହଡପ ଓ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ ଗିରଫ ଏବଂ କୋର୍ଟ ଚାଲାଣ

120

କେନ୍ଦୁଝର, ତା ୨୭.୦୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଆବାସ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କଠାରୁ ଅର୍ଥ ହଡପ ଏବଂ ଭୟଭୀତ କରାଇ ହିତାଧିକାରୀଙ୍କଠାରୁ ସତ୍ୟପାଠ ହାତେଇବା ଅଭିଯୋଗରେ ଅଭିଯୁକ୍ତ ବିଲା ଗ୍ରାମର କ୍ଷେତ୍ରବାସୀ କବାଟକୁ ହରିଚନ୍ଦନପୁର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ହରିଚନ୍ଦନପୁର ବ୍ଲକ୍ ର ଶଗଡପଟାଗ୍ରାମ ପଂଚାୟତ ଅଧିନସ୍ଥ ବିଲା ଗ୍ରାମର କ୍ଷେତ୍ରବାସୀ କବାଟ ସେହି ଗାଁର ନିରଞ୍ଜନ ରଣସିଂ, ପୁନି ପଲେଇ, ବିଦ୍ୟାଧର ପଲେଇ, କଣ୍ଠ ଦେହୁରୀ, ତିଳୋତମା ନାଏକ, ରଘୁନାଥ ପଲେଇ, କାନ୍ଦିରି ଦେହୁରୀ, ଟସୁନୀ ଦେହୁରୀ ଓ ବଚନା ଦେହୁରୀଙ୍କଠାରୁ ଗ୍ରାମୀଣ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ ନେଇ ସେମାନଙ୍କ ପାଇଁ ଘର ନିର୍ମାଣ କରିଦେବାର ପ୍ରତିଶ୍ରୁତି ଦେଇଥିଲେ। ଗତ ଫେବୃଆରୀ ୩ ତାରିଖରେ ହରିଚନ୍ଦନପୁର ବିଡିଓ ବିଲ୍ଲା ଗ୍ରାମ ଗସ୍ତ କରି ଗ୍ରାମୀଣ ଆବାସ ଗୃହ ପରିଦର୍ଶନ କରିବା ସମୟରେ ଉପରୋକ୍ତ ହିତାଧିକାରୀମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ଗ୍ରାମର କ୍ଷେତ୍ରବାସୀ କବାଟ ସେମାନଙ୍କଠାରୁ ମଞ୍ଜୁର ହୋଇଥିବା ଅର୍ଥ ନେଇ ଘର ସବୁ ଅଧପନ୍ତରିଆ କରିଛନ୍ତି, ସଂପୂର୍ଣ୍ଣ ଭାବେ ନିର୍ମାଣ କରୁନାହାନ୍ତି କିମ୍ବା ନେଇଥିବା ଅର୍ଥ ଫେରସ୍ତ କରୁ ନାହାନ୍ତି। ବିଡିଓ ଉକ୍ତ ଅଭିଯୋଗର ତଦନ୍ତ କରିବା ସହିତ ଲିଖିତ ଭାବେ ଏ ସଂପର୍କରେ ହରିଚନ୍ଦନପୁର ଥାନାକୁ ଜଣାଇଥିଲେ। ବିଡିଓଙ୍କ ରିପୋର୍ଟକୁ ଆଧାର କରି ହରିଚନ୍ଦନପୁର ଥାନା ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୨୦ ଅନୁଯାୟୀ ଅଭିଯୁକ୍ତ କ୍ଷେତ୍ରବାସୀ କବାଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପୋଲିସର ତଦନ୍ତ ବେଳେ ଅଭିଯୁକ୍ତ କ୍ଷେତ୍ରବାସୀ କବାଟ ଫେରାର ହୋଇଯାଇଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଇଥିଲେ। ଚଳିତ ମାର୍ଚ୍ଚ ୧୯ ତାରିଖ ଦିନ ପୋଲିସ ଅଭିଯୁକ୍ତ କ୍ଷେତ୍ରବାସୀ କବାଟକୁ ଗିରଫ କରିଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଅଭିଯୁକ୍ତକୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଛାଡିଥିଲେ। ଇତି ମଧ୍ୟରେ ହିତାଧିକାରୀମାନଙ୍କୁ ଭୟଭୀତ କରାଇ ସେମାନେ ତାଙ୍କୁ ଅର୍ଥ ଦେଇନାହାନ୍ତି ବୋଲି ସତ୍ୟପାଠ କରାଇ ସତ୍ୟପାଠ କରାଇ ନେଇଥିବା ଅଭିଯୋଗ ମିଳିବାରୁ ହିରିଚନ୍ଦନପୁର ପୋଲିସ୍ ଅଭିଯୁକ୍ତ କ୍ଷେତ୍ରବାସୀ କବାଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ହରିଚନ୍ଦନପୁର ଥାନାର ଭାରପ୍ରାପ୍ତ ନିରୀକ୍ଷକଙ୍କ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ ବିଭିନ୍ନ ସରକାରୀ ଯୋଜନାରେ ଅର୍ଥ ହଡପ, ଦୁର୍ନୀତି, ଠକେଇ ଓ ଶୋଷଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। କୌଣସି କ୍ଷେତ୍ରରେ ହିତାଧିକାରୀମାନେ ଦଲାଲ ଏବଂ ମଧ୍ୟସ୍ଥିଙ୍କ ହାବୁଡରେ ନ ପଡିବାକୁ ପରାମର୍ଶ ଦିଆଯାଇଛି। ପ୍ରତି କ୍ଷେତ୍ରରେ ସ୍ୱଚ୍ଛତା ଏବଂ ସାଧୁତା ଅବଲମ୍ବନ କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.