Home କେନ୍ଦୁଝର କେନ୍ଦୁଝର : ଓଡିଶା ଦିବସ ପାଳନ ର ପ୍ରସ୍ତୁତି ବୈଠକ

କେନ୍ଦୁଝର : ଓଡିଶା ଦିବସ ପାଳନ ର ପ୍ରସ୍ତୁତି ବୈଠକ

161

କେନ୍ଦୁଝର ତା ୨୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୮୩ ତମ ଓଡିଶା ଦିବସ ପାଳନର କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଦରବାରହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରଧାନ ଆଗାମୀ ଓଡିଶା ଦିବସକୁ ଉତ୍ସାହ, ଉଦ୍ଦୀପନା ଓ ଓଡିଆ ଭାବନା ସହ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଏହି ପ୍ରସ୍ତୁତି ବୈଠକରେ ଉଦବୋଧନ ଦେଇ ପ୍ରତ୍ୟେକ ଓଡିଆ ଓଡିଶା ଦିବସ ପ୍ରତି ଆବେଗ ଓ ଭାବପ୍ରବଣତା ରଖି ଓଡିଶା ଦିବସ ପାଳନ କରିବା ସହିତ ନିଜ ମାତୃଭାଷାର ସୁରକ୍ଷା ନିମନ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରିବା ସହ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ଚଳିତ ମାର୍ଚ୍ଚ ୨୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ମୋଚିବନ୍ଧ ହାଇସ୍କୁଲ୍ଠାରେ ଓଡିଆ ଭାଷାରେ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଏବଂ ଉତ୍କଳ ବନ୍ଦନା ଉପରେ ଆଧାରିତ ଉଚ୍ଚବିଦ୍ୟାଳୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା, ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପଠାରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଓ ନବମ ଶ୍ରେଣୀଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏତଦ୍ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି। କୃତୀ ପ୍ରତିଯୋଗୀମାନଙ୍କୁ ଓଡିଶା ଦିବସ ପାଳନ ଅବସରରେ ଏପ୍ରିଲ୍ ୦୧ ତାରିଖ ଦିନ ସନ୍ଧ୍ୟାରେ ନଗର ଭବନଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସମାରୋହରେ ପୁରସ୍କୃତ କରାଯିବ। ଓଡିଶା ଦିବସ ପାଳନ ଅବସରରେ ଏପ୍ରିଲ୍ ୧ ତାରିଖ ପ୍ରତ୍ୟୁଷରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ଘ ୭.୩୦ ମିନିଟ୍ ସମୟରେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ। ଓଡିଆ ଭାଷାର ସମୃଦ୍ଧି ଓ ବହୁଳ ବ୍ୟବହାର ଉଦ୍ଦେଶ୍ୟରେ ପୂର୍ବାହ୍ନ ୧୦ଘଟିକା ସମୟରେ ନଗର ଭବନଠାରେ ୧୮ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ମଧ୍ୟରେ ଶୁଦ୍ଧ ଓଡିଆଭାଷାରେ “ଆମେ ଓ ଆମ ମାତୃଭାଷା” ଶୀର୍ଷକ ଉପରେ ବକ୍ତୃତା ପ୍ରତିଯାଗିତା ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି। ଅପରାହ୍ନ ଘ ୨.୩୦ ମି. ସମୟରେ ନଗର ଭବନ ଠାରେ କବିତା ପାଠୋତ୍ସବ, ସନ୍ଧ୍ୟା ୬ ଘଟିକା ସମୟରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ନିଷ୍ପିତି ନିଆଯାଇଛି। ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନଙ୍କରେ ଯଥାଶୀଘ୍ର ଓଡିଆ ଭାଷାରେ ନାମଫଳକ ଲେଖିବା ପାଇଁ ବୈଠକରେ ଅନୁରୋଧ କରାଯାଇଛି। ଓଡିଶା ଦିବସ ଅବସରରେ ସନ୍ଧ୍ୟାରେ ସରକାରୀ ଓ ବେସରକାରୀ କୋଠାବାଡି ତଥା ବାଣିଜ୍ୟିକ ଅନୁଷ୍ଠାନର କୋଠାବାଡିରେ ରଙ୍ଗୀନ ଆଲୋକ ସଜ୍ଜା କରିବା ପାଇଁ ଅନୁରୋଧ କରାଯାଇଛି। ଏତଦ୍ ବ୍ୟତୀତ ପାନୀୟ ଜଳ ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା, ଆଇନ ଶୃଙ୍ଖଳା ଏବଂ ଓଡିଶା ଦିବସ ପାଳନ ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଓଡିଶା ଦିବସ ପାଳନକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସ୍ୱତଃସ୍ପୁର୍ତ ଭାବେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ଡି.ପି.ଓ. ଶ୍ରୀହର୍ଷ ମିଶ୍ର, ପି.ଏ. ଆଇ.ଟି.ଡି.ଏ., କେନ୍ଦୁଝର ସମ୍ବିତ୍ କୁମାର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ସନ୍ତୋଷ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନଧି, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.