Home କେନ୍ଦୁଝର କେନ୍ଦୁଝର: ଅନଲାଇନରେ ରାଜସ୍ୱ ମାମଲା ଫଇସଲା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର: ଅନଲାଇନରେ ରାଜସ୍ୱ ମାମଲା ଫଇସଲା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ

91

କେନ୍ଦୁଝର ତା୨୭.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଅନଲାଇନ୍ ମାଧ୍ୟମରେ ବିଭିନ୍ନ ରାଜସ୍ୱ ମାମଲା ଗୁଡିକର ଫଇସଲା ସଂପର୍କିତ ତାଲିମ ଶିବିର ମଙ୍ଗଳବାର ଦିନ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଠାକ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶିବିରକୁ ଉଦ୍ଘାଟନ କରିବା ସହିତ ଉଦବୋଧନ ଛଳରେ ଏହି କାର୍ଯ୍ୟକ୍ରମକୁ ଏକ ଜନହିତକାରୀ ଯୋଜନା ଭାବେ ବର୍ଣ୍ଣନା କରିଥିଲେ। ବର୍ଷ ବର୍ଷ ଧରି ବିଭିନ୍ନ ରାଜସ୍ୱ ଅଦାଲତମାନଙ୍କରେ ପଡି ରହିଥିବା ରାଜସ୍ୱ ମାମଲାଗୁଡିକ ଅନଲାଇନ ମାଧ୍ୟମରେ ତୁରନ୍ତ ଫଇସଲା କରାଯାଇ ପାରିବ ଏବଂ ଏହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ। ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଏପରି ତାଲିମ ଶିବିର ଆୟୋଜନ କରାଯାଇଛି। ଏଣୁ ରାଜସ୍ୱ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅନଲାଇନ୍ ପ୍ରକ୍ରିୟା ସହିତ ଅଭ୍ୟସ୍ତ ହୋଇ ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବାକୁ ଆହ୍ୱାନ ଜଣାଇଥିଲେ। ଏତଦ୍ବ୍ୟତୀତ ରାଜସ୍ୱ ବିଭାଗ ସଂପର୍କିତ ବିଭିନ୍ନ ମାମଲାର ଫଇସଲା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରି ରାଜ୍ୟରେ ଉତମ ସ୍ଥାନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନ ପ୍ରାରମ୍ଭରେ ଅନଲାଇନରେ ରାଜସ୍ୱ ମାମଲା ଫଇସଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ଜନସାଧାରଣଙ୍କୁ ଉତମ ସେବା ଯୋଗାଇବା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥିବାରୁ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ ଉକ୍ତ ପ୍ରକ୍ରିୟାକୁ ପ୍ରାଞ୍ଜଳ ଭାବେ ବୁଝିବା ସହିତ ବାସ୍ତବ କ୍ଷେତ୍ରରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଜଣାଇଥିଲେ। ରାଜସ୍ୱ ମାମଲା ଫଇସଲାର ଅଗ୍ରାଧିକ୍ଷେତ୍ରକୁ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେବା ସହିତ ଅନଲାଇନ ପ୍ରକ୍ରିୟାରେ ମାମଲା ଫଇସଲାରେ ଅଧିକାରୀ/କର୍ମଚାରୀମାନଙ୍କର ଦକ୍ଷତାର ମୂଲ୍ୟାୟନ କରାଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ଅନଲାଇନ୍ ମାଧ୍ୟମରେ ରାଜସ୍ୱ ମାମଲାଗୁଡିକର ଫଇସଲା ଦ୍ୱାରା ଆବେଦନକାରୀ ସେମାନଙ୍କ ମାମଲାର ସ୍ଥିତି ଜାଣି ପାରିବେ। ରାଜସ୍ୱ ଅଦାଲତ ପକ୍ଷରୁ ଆବେଦନକାରୀଙ୍କୁ ଏସ୍ଏମ୍ଏସ୍ ଜରିଆରେ ମାମଲାର ଅଗ୍ରଗତି/ସ୍ଥିତି ମଧ୍ୟ ଜଣାଇ ଦିଆଯିବ। ଯାହାଫଳରେ ଅଯଥା ସେମାନଙ୍କୁ ରାଜସ୍ୱ ଅଦଲାତକୁ ଦୌଡିବାକୁ ପଡିବ ନାହିଁ। ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ରାଜସ୍ୱ କମିଶନର ଏବଂ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଦାଲତରେ ଅନଲାଇନ ମାଧ୍ୟମରେ ରାଜସ୍ୱ ମାମଲା ଫଇସଲା କରାଯିବାର ବ୍ୟବସ୍ଥା ହୋଇଛି। ରାଜ୍ୟସ୍ତରରେ ଏହି ପ୍ରକ୍ରିୟାକୁ ମନିଟରିଂ କରାଯିବ। ଡି.ଆଇ.ଓ ଏନ୍ଆଇସି ଅଜୟ କୁମାର ମହାପାତ୍ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଅନଲାଇନରେ ରାଜସ୍ୱ ମାମଲା ଫଇସଲାର ବିଭିନ୍ନ ପ୍ରକ୍ରିୟା ସଂପର୍କରେ ତାଲିମ ପ୍ରଦାନ କରିଥିଲେ। ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟାୱରି, କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆନନ୍ଦପୁର ଉପଜିଲ୍ଲାପାଳ ନିତ୍ୟାନନ୍ଦ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ସଂପୃକ୍ତ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟରମାନେ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.