Home ଓଡ଼ିଶା କାହିଁକି ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବମଙ୍ଗଳ

କାହିଁକି ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବମଙ୍ଗଳ

617

– ଶ୍ରୀ ଅଖଣ୍ଡ

ମହାପ୍ରଭୁ ଶ୍ରୀଜଗନ୍ନାଥ ନୂଆ ନୂଆ ଅବତାର ନେଇ ଅନେକ ଲୀଳା କରନ୍ତି। ବିଶେଷକରି ଭକ୍ତମାନଙ୍କ ସହ ଲୀଳା କରିବାକୁ ସେ ଅବତାର ନେଇଥାନ୍ତି। ଅଧର୍ମକୁ ସଂହାର କରି ଧର୍ମ ସଂସ୍ଥାପନ କରିବା ସମୟରେ ସେ ଭକ୍ତମାନଙ୍କ ସହ ସଂପୂର୍ଣ୍ଣ ସମୟ ବିତାଇଥାନ୍ତି। ସେମିତି ପ୍ରଭୁ ଶ୍ରୀଜଗନ୍ନାଥ ସବୁବେଳେ ଭକ୍ତଙ୍କ ଗହଳରେ ରହିବାକୁ ଚାହାନ୍ତି। କିନ୍ତୁ ଅଣସର ଘରେ ରହିବା ବେଳ ତାଙ୍କ ପାଇଁ କଷ୍ଟଦାୟୀ। ଅସୁସ୍ଥ ହୋଇଥିବାରୁ ଯେ ତାଙ୍କୁ କଷ୍ଟ ହୁଏ, ତାହା ନୁହେଁ। ବଂର ଭକ୍ତଙ୍କ ଠାରୁ ତାଙ୍କୁ ଅଲଗା ରଖାଯାଇଥିବାରୁ ସେ ନିର୍ଜନ ଦ୍ୱୀପରେ ରହିବା ଭଳି ଅନୁଭବ କରନ୍ତି। ତାଙ୍କ ଚକାଆଖି ଭକ୍ତଗଣଙ୍କୁ ଦେଖି ନପାରି ନିରାଶ ହୋଇଥାଏ। ଭକ୍ତଙ୍କୁ ବାଦ୍ ଦେଇ ଈଶ୍ୱର ଏକୁଟିଆ ଅବା ରହିବେ କିପରି ? ନବଯୌବନ ହେବା ପରେ ମହାପ୍ରଭୁ ପୁଣି ଭକ୍ତଙ୍କୁ ଦେଖା କରନ୍ତି। ଏହା ପରେ ସେ ବଡଦାଣ୍ଡକୁ ଚାଲିଆସନ୍ତି ଏବଂ ଭକ୍ତମାନଙ୍କୁ ପାଖରୁ ଦର୍ଶନ ଦିଅନ୍ତି। ସାରା ସଂସାରକୁ ପ୍ରଳୟ ଓ ବିଲୟରୁ ରକ୍ଷା କରନ୍ତି ମହାପ୍ରଭୁ। କାରଣ ସେ ତ ଏହି ସଂସାରରେ ଏକମାତ୍ର ତ୍ରାଣକର୍ତା। ଆପଣ ପ୍ରଭୁଙ୍କୁ ଡାକି ଯାହା ଆଶା କରିଥିବେ, ତାହା ପରିପୂର୍ଣ୍ଣ ହୋଇଥାଏ। ତେଣୁ ଭକ୍ତ ସବୁବେଳେ ମହାପ୍ରଭୁଙ୍କର ଜୟ ଜୟକାର କରିଥାଏ। ପ୍ରଭୁ ହେଉଛନ୍ତି ପରମ ମଙ୍ଗଳମୟ। ତାଙ୍କ ନାମ ନେଇ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ତାହା ସଫଳ ହୋଇଥାଏ। କାରଣ ସର୍ବମଙ୍ଗଳ ଜଗନ୍ନାଥ। କୌଣସି ଅମଙ୍ଗଳ ଲକ୍ଷଣ ଯୋଗୁଁ ଯଦି କାମଟିକୁ ରୋକିବାକୁ ପଡୁଥାଏ, ତାହା କେବଳ ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରି କରାଯାଇପାରିବ। କାରଣ ଜଗନ୍ନାଥ ନାମ ହିଁ ଅମଙ୍ଗଳହାରୀ। ଏହା ଅମଙ୍ଗଳକୁ ନଷ୍ଟ କରି ମଙ୍ଗଳ ଭାବ ଆଣିଥାଏ। ତେଣୁ ସେଠାରେ ଆଉ କୌଣସି ଅମଙ୍ଗଳ ଲକ୍ଷଣର ପ୍ରଭାବ ରହିବ ନାହିଁ। ଆମେ ନିତି ନିୟମରେ କାମ କରିପାରିଲେ ଭଲ। କୌଣସି ପରିସ୍ଥିତିରେ ଏହାକୁ ନେଇ ସମସ୍ୟା ଦେଖାଦେଲେ ମହାପ୍ରଭୁ ଶ୍ରୀଜଗନ୍ନ୍।ଥଙ୍କ ନାମରେ କାର୍ଯ୍ୟ ଆରମ୍ଭ କଲେ, ଶୁଭଫଳ ମିଳିବ। ଅର୍ଥାତ୍ ମନରେ ବିକାର ନରଖି ପ୍ରଭୁ ଜଗନ୍ନାଥଙ୍କ ଉପରେ ଭରସା ଓ ବିଶ୍ୱାସ ରଖିଲେ ସବୁ କାମ ଠିକ୍ ଠାକ୍ ହେବ। ପ୍ରଭୁଙ୍କ ନାମ ମନରୁ ସବୁ ବିକାର ଓ ସନ୍ଦେହକୁ ଦୂର କରେ। ଆଉ ମନ ଭିତରେ ଆନନ୍ଦ ଲହରୀ ପ୍ରବାହିତ କରିଥାଏ। ସେ ମାତାପିତା ଓ ଏହି ଜଗତର ବିଧାତା। ତେଣୁ ସେ ତାଙ୍କ ସନ୍ତାନମାନଙ୍କର ମଙ୍ଗଳ ନ କରିବେ ଅବା କେମିତି ? ସେ ହିଁ ଜଗତକୁ ପ୍ରକାଶ କରିଛନ୍ତି। ଆଉ ସେ ହିଁ ଅଧର୍ମୀମାନଙ୍କ ପାଇଁ ପ୍ରଳୟ ହୋଇ ଆସନ୍ତି। ଆଉ ଭକ୍ତକୁ ମୁକ୍ତି ପ୍ରଦାନ କରିଥାନ୍ତି। ଆମେ ଯେତେ ପ୍ରକାର ଯଜ୍ଞ, ଜପତପ କରୁଛେ, ସବୁକିଛିର ଭୋକ୍ତା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଜଳରେ ଜଗନ୍ନାଥ। ବାୟୁରେ ସେହି ମହାବାହୁ। ଅଗ୍ନିରେ ମଧ୍ୟ ମହାପ୍ରଭୁ। ସବୁଠାରେ ପ୍ରଭୁ ସମାହିତ। ଅର୍ଥାତ୍ ଏମିତି କୌଣସି ଦ୍ରବ୍ୟ କିମ୍ବା ଜୀବ ନାହିଁ, ଯେଉଁଥିରେ ଭଗବାନଙ୍କ ଅସ୍ତିତ୍ୱ ନାହିଁ। ଜଗନ୍ନାଥ ହେଉଛନ୍ତି ଆମ ପରିବାରର ମୁଖିଆ। ଏହା ଅନୁଭବ କରନ୍ତୁ। ପରିବାର ଖୁସୀରେ ରହିବ। ପ୍ରଭୁଙ୍କ ଅନୁଭବ ଓ ଦର୍ଶନ ଦ୍ୱାରା ମାନବ ଜୀବନ ସରସ ସୁନ୍ଦର ହୋଇପାରିବ। ସଂସାରରେ ଆମର ଦେବତା ହେଉଛନ୍ତି ମାତା ଓ ପିତା। ଆଉ ପରମ ପିତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପିତାମାତାଙ୍କ ସେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ପୂର୍ବକ ତାଙ୍କ ନାମ ସ୍ମରଣ ମନନ କଲେ, ମନୁଷ୍ୟର ନିଶ୍ଚିତ ଭାବେ ମଙ୍ଗଳ ଓ କଲ୍ୟାଣ ହେବ, ଏଥିରେ ସହେହ ନାହିଁ।

ଠିକଣା : ଦୀକ୍ଷା ମିଶନ, ପିପିଲି, ପୁରୀ,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.