Home ଜିଲ୍ଲା ପରିକ୍ରମା କବିଶେଖର ଚିନ୍ତାମଣି ମହାନ୍ତିଙ୍କ ୧୫୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ‘କବିଶେଖର ଚିନ୍ତାମଣି ଥିଲେ ଭଦ୍ରକ ସାରସ୍ୱତ...

କବିଶେଖର ଚିନ୍ତାମଣି ମହାନ୍ତିଙ୍କ ୧୫୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ‘କବିଶେଖର ଚିନ୍ତାମଣି ଥିଲେ ଭଦ୍ରକ ସାରସ୍ୱତ ପରଂପରାର ଆଦ୍ୟସୂରୀ’

229

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଭ୍ୟୁଦୟ କାଳରେ କବିଶେଖର ଚିନ୍ତାମଣି ମହାନ୍ତି ଥିଲେ ନବ ଉନ୍ମେଷଶାଳୀ ପ୍ରତିଭା । ଭଦ୍ରକ ମାଟିକୁ ତଥା ସମଗ୍ର ରାଜ୍ୟକୁ ନିଜ ସାରସ୍ୱତ କୃତି ମାଧ୍ୟମରେ ରୁଦ୍ଧିମନ୍ତ କରିଥିବା ସାରସ୍ୱତ ସ୍ରଷ୍ଟାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ ଏବଂ ଭଦ୍ରକ ସୃଜନଶୀଳତାର ପଥପ୍ରଦର୍ଶକ । କବି ଭାବେ କବିଶେଖର ସ୍ୱୀକୃତ ହୋଇଥିଲେ ମଧ୍ୟ ଏକାଧାରରେ ଥିଲେ ଗାଳ୍ପିକ, ଉପନ୍ୟାସିକ, ପ୍ରାବଂଧିକ, ଭ୍ରମଣକାହାଣୀ ସ୍ରଷ୍ଟା ତଥା ଶିଶୁ ସାହିତ୍ୟିକ । ମାତ୍ର ଓଡ଼ିଆ ସାହିତ୍ୟର ଇତିହାସକାରମାନେ କବିଶେଖରଙ୍କ ସ୍ୱତନ୍ତ୍ରତା ଓ ସୃଷ୍ଟିନିହିତ ଉତ୍କର୍ଷ ଯଥାର୍ଥ ରୀତିରେ ପ୍ରତିପାଦନ ନକରିବା କ୍ଷୋଭର ବିଷୟ ବୋଲି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଭଦ୍ରକ ପୂଜ୍ୟପୂଜା ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୧୫୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥି ଓ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ସାଳନ୍ଦୀନଗରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ, ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ବକ୍ତା ଡ. ପ୍ରଭାତ ନଳିନୀ ମହାପାତ୍ର ‘ଚିନ୍ତାମଣିଙ୍କ ଉପନ୍ୟାସର ଦିଗଦିଗନ୍ତ’ ଓ ଅଧ୍ୟାପକ ବିଶ୍ୱରଂଜନ ଦାସ ‘କବିଶେଖରଙ୍କ କାବ୍ୟସ୍ୱର’ ପ୍ରସଙ୍ଗରେ ସାରଗର୍ଭକ ଆଲୋଚନା କରିଥିଲା ବେଳେ ସମ୍ମାନିତ ଅତିଥି ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆ ଚିନ୍ତାମଣିଙ୍କ ପ୍ରବନ୍ଧର ବିଭବ ଉପରେ ଆଲୋକପାତ କରିଥିଲେ । ଅତିସ କୁମାର ବେହେରା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ଓ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ସଭାର ଶେଷ ଶବ୍ଦ ଉଚ୍ଚାରଣ କରିଥିଲେ । ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ଓ ସାଥିଙ୍କ ଦ୍ୱାରା କବିଶେଖରଙ୍କ ‘କିଏ ତମେ ଚିହ୍ନିଚ କି ଆପଣାକୁ ଆପେ’ କବିତାର ସଂଗୀତ ରୂପାନ୍ତର ପରିବେଶିତ ହୋଇଥିଲା । ଅକ୍ଷୟ ମହାନ୍ତି, ଚୈତାଳୀ ଖିଲାର, ଦୀପ୍ତିମୟୀ ସାହୁ, ଜାନକୀ ପାଢ଼ୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.