Home କଳାହାଣ୍ଡି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ । ପ୍ରତିଶୃତିର ବର୍ଷା , ବିରୋଧିଙ୍କୁ ନିଶାନା...

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ । ପ୍ରତିଶୃତିର ବର୍ଷା , ବିରୋଧିଙ୍କୁ ନିଶାନା ,ଚାଷୀଙ୍କ ଠାରୁ ଆରମ୍ଭ କରି ଗରିବଙ୍କ ହୃଦୟ ଜିତିବାକୁ ଚେଷ୍ଟା

499

କଳାହାଣ୍ଡି- ତା୦୬.୦୨.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଅଖିଳ ଭାରତୀୟ କଂଗ୍ରେସ କମିଟୀ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ଉପକଣ୍ଠ ରିଷିଗାଁ ପଡିଆଠାରେ କଂଗ୍ରେସର ସଂକଳ୍ପ ସମାବେଶ ରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଓଡିଶା ପିସିସି ସଭାପତି ଶ୍ରୀଯୁକ୍ତ ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀଙ୍କ ସହିତ ପଡୋଶୀ ଛତିଶଗଡ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ହୋଇ ସଭାରେ ଉଦବୋଧନ ଦେଇ ଛତିଶଗଡ ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପୂର୍ବରୁ ଯାହା ସବୁ ପ୍ରତିଶୃତି ଦିଆଯାଇଥରଲା ସେସବୁ ସମେତ ଚାଷୀ ମାନଙ୍କୁ ଧାନର ସହାୟକ ମୂଲ୍ୟ ୨୫୦୦ ଏବଂ କେନ୍ଦୁ ପତ୍ରର ମୂଲ୍ୟ ବୃଦ୍ଧି କରିବା ସହିତ ଆଦିବାସୀମାନଙ୍କୁ ଜମି ଯୋଗାଣ କରିବା ଆଦି ଘୋଷଣା କରାଯାଇଥିବା ବେଳେ ସରକାର ଆସିବା ପରେ ତାହା ପୂରଣ କରାଯାଇଥିବା ପ୍ରକାଶ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜଗଦଳପୂରରୁ ହେଲିକେପ୍ଟର ରେ ଆସି ସଭାସ୍ଥଳରେ ଅବତରଣ କରିବା ପରେ କଳାହାଣ୍ଡି ସମେତ ଦକ୍ଷିଣ ଓ ପଶ୍ଚିମ ଓଡିଶାରୁ ଆସିଥିବା ବିଭିନ୍ନ କଂଗ୍ରେସ କମିଟୀର ପଦାଧିକାରୀ ମାନଙ୍କ ସହ ଆଲୋଚନା କରି କଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । କଂଗ୍ରେସ ସଭାପତି ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଜୟଗାନ କରି ସମସ୍ତଙ୍କୁ ଜୁହାର ହୋଇ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ । କଂଗ୍ରେସ ସରକାର ସବୁବେଳେ ସବକା ସାଥ ସବକା ବିକାଶ ଉପରେ ବିଶ୍ୱାସ ରଖେ କିନ୍ତୁ କେନ୍ଦ୍ରର ବିଜେପି ଓ ଓଡିଶାର ବିଜେଡି ସରକାର କେବଳ ଲୋକଙ୍କ ଅଧିକାରକୁ ଉଠାଇନେଉଛି ବୋଲି ପ୍ରକାଶ କରିଥିଲେ । କେନ୍ଦ୍ର ବିଜେପି ସରକାର ପ୍ରତି ଲୋକଙ୍କୁ ଦେନିକ ମାତ୍ର ୧୭ ଟଙ୍କା ଦେଉଥିବା ବେଳେ ଦେଶର ବଡ ବଡ ୧୫ଜଣ ଶିଳ୍ପପତିଙ୍କୁ ସାଢେତିନି ଲକ୍ଷ କୋଟୀ ଟଙ୍କା ଋଣ ଛାଡ କରିଦେଇଥିବା ବେଳେ ଗରିବ ଖଟିଖିଆ ମାନେ କାମ କରି ମଜୁରୀ ପାଇବା ଲାଗି ଉଦ୍ଧିଷ୍ଟ ମନରେଗା, ଆଇଏପି,ବିଆରଗିଏଫ ଭଲି ସ୍ୱତନ୍ତ୍ର ଯୋଜନାକୁ କେନ୍ଦ୍ର ସରକାର ଚୋରାଇନେଇଥିବା ପ୍ରକାଶ କରିଥିଲେ । ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର ବୋଲି କହିବା ସହିତ କଂଗ୍ରେସ ଦଳ ପକ୍ଷରୁ ଛତିଶଗଡ ଠାରେ ପ୍ରତିଶୃତି ଦେବା ମୁତାବକ ଆଦିବାସୀ ମାନଙ୍କ ପାଇଁ ପେଶା ଆଇନ ପ୍ରଣୟନ କରାଯାଇଛି ଏବଂ କୌଣସି ଶିଳ୍ପ ଯଦିଓ ୫ବର୍ଷ ମଧ୍ୟରେ ସ୍ଥାପନ କରାନଯିବ ତେବେ ସେହି ଜମିକୁ ଭୂମିହୀନ ଆଦିବାସୀ ମାନଙ୍କୁ ବଂଟନ କରିଦିଆଯିବ ବୋଲି ଛତିଶଗଡ ରାଜ୍ୟର ଉଦାହରଣ ଦେଇ ପ୍ରକାଶ କରିଥିଲେ । କେନ୍ଦ୍ରର କିଶାନ ଓ ଓଡିଶାର କାଳିଆ ଯୋଜନାକୁ ସମାଲୋଚନା କରିବା ସହିତ ସେହିପରି ଧାନର ମୂଲ୍ୟ ଦଇୁଦିନ ମଧ୍ୟରେ ବୃଦ୍ଧି କରାଯିବ ବୋଲି କୁହାଯାଇ ସରକାର ଗଠନ ହେବାର ଦୁଇଘଂଟା ମଧ୍ୟରେ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଚାଷୀଙ୍କୁ ଦିଆଯାଇଥିବା ପ୍ରକାଶ କରିଥିଲେ । କଂଗ୍ରେସ ସରକାର ଗଠନ ହେଲେ ଗରିବ ମାନଙ୍କ ସୁରକ୍ଷା ଦାୟୀତ୍ୱ ନେବା ସହିତ ସମସ୍ତ ଓଡିଶାର ସମସ୍ତ ଚାଷୀଙ୍କ କୃଷି ଋଣ ଛାଡ ଏବଂ ଚାଷୀ ମାନଙ୍କୁ ଧାନର ମୂଲ୍ୟ ୨୬୦୦ କୁ ବୃଦ୍ଧି କରିଦିଆଯିବ, ସମସ୍ତଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ମିଳିବ ଏବଂ ଯୁବକ ମାନଙ୍କୁ ନିଶ୍ଚିତ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କେନ୍ଦ୍ରର ବିଜେପି ସରକାର ଦେଶର ଚୌକିଦାର ବୋଲି କହୁଥିବା ବେଳେ ଗରିବ ଖଟିଖିଆ ମାନଙ୍କ ପାଇଁ ଉଦ୍ଦିଷ୍ଠ ମନରେଗା, ଆଦିବାସୀ ବହୁଳ ଅଂଚଳ ପାଇଁଥିବା ଆଇଏପି ଯୋଜନା, ବିଆରଜିଏଯ ଭଲି ୧୭ ଗୋଟି ଯୋଜନାକୁ ଚୋରାଇନେଇଥିବା ଅଭିଯୋଗ କରି ଚୌକିଦାର ଚୋର ହେଁ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଥିଲେ । ସେହିପରି ଓଡିଶାରେ ନବୀନ ପଟ୍ଟନାୟକ ରିମୋଟ କଂଟ୍ରୋଲରେ କାମ କରୁଥିବା ବେଳେ ଉଭୟ ମିଶି ଓଡିଶାକୁ ଗରିବି ଆଡକୁ ଠେଲି ଦେଉଥିବା ପ୍ରକାଶ କରିଥିଲେ । ଶେଷରେ ସମବେତ ଜନତାଙ୍କୁ ରିମୋଟ କଂଟ୍ରୋଲରେ ଚାଲିଥିବା ସରକାରଙ୍କୁ ତଳେପକାଇ ରିମୋଟ କଂଟ୍ରୋଲ ନିଜ ହାତକୁ ନେବା ପାଇଁ ଏବଂ କଂଗ୍ରେସକୁ ଭୋଟ ଦେଇ ଜିତାଇ ସରକାର ଗଠନ କରିବାକୁ ସୁଯୋଗ ଦେବାକୁ ଅହ୍ୱାନ ଜଣାଇଥିଲେ । ନିୟମଗିରିର ଉଦାହରଣ ଦେବା ସହିତ ପ୍ରତିଶୃତିର ବର୍ଷା , ପୁଣି ବିରୋଧିଙ୍କୁ ନିଶାନା ,ଚାଷୀଙ୍କ ଠାରୁ ଆରମ୍ଭ କରି ଗରିବଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିବା ଭଲି ଫର୍ମୁଲାକୁ ଆପ୍ଲାଇ କରିଥିଲେ ରାହୁଲ ଗାନ୍ଧୀ । ସେଠାରୁ ରାଉରକେଲା ଅଭିମୂଖେ ଯାଇଥଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.