Home ଓଡ଼ିଶା ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାକୁ ଷଡଯନ୍ତ୍ର କରୁଛି ବିଜେଡି – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାକୁ ଷଡଯନ୍ତ୍ର କରୁଛି ବିଜେଡି – ଧର୍ମେନ୍ଦ୍ର ପ୍ରଧାନ

313

ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡିକୁ ବୋମା ଆକ୍ରମଣ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
– ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବଡ ବଡ ନେତାମାନେ ରାଜନୈତିକ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି
– ଭୁବନେଶ୍ୱରରେ ଶାସକ ଦଳର ନିଶ୍ଚିତ ହାରିବା ସମ୍ଭାବନା ଦେଖାଯାଇଛି, ଏଥିରୁ ମୁହଁ ଲୁଚାଇବା ପାଇଁ ବାରମ୍ବାର ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରାଯାଉଛି
– ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବା କହି ନାଟକ କଲେ
– ସିଇଓ ପକ୍ଷପାତିତା କରି ବିଜେଡିକୁ ସହାୟତା କରୁଛନ୍ତି
– ଭୁବନେଶ୍ୱରର ଆଇନଶୃଙ୍ଖଳାର ଅବସ୍ଥା ଯଦି ଏପରି, ତା’ ହେଲେ ରାଜ୍ୟର ଅବସ୍ଥା କଣ?

ଭୁବନେଶ୍ୱର, ଅପ୍ରେଲ ୨୧ (ଓଡ଼ିଆ ପୁଅ) – ରାଜ୍ୟରେ ବାରମ୍ବାର ହିଂସା ବଢିବାରେ ଲାଗିଥିବା ବେଳେ ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାକୁ ବିଜୁ ଜନତା ଦଳ ତରଫରୁ ଷଡଯନ୍ତ୍ର କରାଯାଉଛି। ଏଠାକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିରେ ସାମିଲ ହୋଇଥିବା ବେଳେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବଡ ବଡ ନେତାମାନେ ଏହି ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଭୁବନେଶ୍ୱରର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡିକୁ ବୋମା ଆକ୍ରମଣ କରାଯିବା ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶାସକ ଦଳର ଲୋକମାନଙ୍କର ଭୁବନେଶ୍ୱରରେ ନିଶ୍ଚିତ ହାରିବା ସମ୍ଭାବନା ଦେଖାଯାଇଛି। ଏଥିରୁ ମୁହଁ ଲୁଚାଇବା ପାଇଁ ବାରମ୍ବାର ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରାଯାଉଛି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା। ସେହିପରି ବିଜେପି ପ୍ରାର୍ଥୀନୀ ଅପରାଜିତା ମହାନ୍ତିଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିବା ବେଳେ ଆଜି ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ତୃତୀୟ ଥର ଆକ୍ରମଣ ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷପାତିତା କରୁଛନ୍ତି। ଏକତରଫା ଭାବେ ସେ କାମ କରୁଛନ୍ତି। ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଲେ। ମାତ୍ର ଏହି ଘଟଣାରେ କୌଣସି ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ମଙ୍ଗୁଳି ଜେନାର ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଥିବା ଜଣେ ଲୋକଙ୍କୁ ମଧ୍ୟ ଗିରଫ କରାଯାଇନାହିଁ ନଥିବା ସେ ଅଭିଯୋଗ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାରେ ଏପ୍ରକାର ଘଟଣା କେବେ ହୋଇନଥିଲା। ଯଦି ରାଜଧାନୀ ଭୁବନେଶ୍ୱରର ଆଇନଶୃଙ୍ଖଳାର ଅବସ୍ଥା ଏପରି ହୋଇଛି, ତା’ହେଲେ ରାଜ୍ୟର ଅବସ୍ଥା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବିଧାନିକ ଦାୟିତ୍ୱ ଥିବା କାରଣରୁ ସାଢେ ୪ କୋଟି ଓଡିଆଙ୍କ ତରଫରୁ ଏ ଘଟଣାରେ ପଦକ୍ଷେପ ନେବା ପାଇଁ ଆଜି ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.