Home ଓଡ଼ିଶା ଓଡ଼ିଶା ବିଜେପିର ଶକ୍ତି କେତେ ସାମର୍ଥ୍ୟ କେତେ?

ଓଡ଼ିଶା ବିଜେପିର ଶକ୍ତି କେତେ ସାମର୍ଥ୍ୟ କେତେ?

184

*ନେତା ମାଳମାଳ ସଙ୍ଗଠନ ଦୁର୍ବଳ!
*ମିଶନ ୧୨୦ କ’ଣ ସମ୍ଭବ?
*ଅଘୋଷିତ ମେଣ୍ଟକୁ ଆଉ ଇଙ୍ଗିତ କରୁ ନାହିଁ ତ?
ଭୁବନେଶ୍ୱର(ଦେବଦତ୍ତ ରଥ):ଓଡ଼ିଶା ବିଜେପିର ଶକ୍ତି କେତେ ସାମର୍ଥ୍ୟ କେତେ?ମିଶନ ୧୨୦ କେତେଦୂର ସମ୍ଭବ?ରାଜ୍ୟ ବିଜେପିରେ ଗୋଳମାଳିଆ ସ୍ଥିତିକୁ ଦେଖିଲେ ଏସବୁ ନେଇ ସନ୍ଦେହ ସୃଷ୍ଟି ହେଉଛି।ମିଶନ ୧୨୦ କିମ୍ବା ସରକାର ଗଢ଼ିବା ତ’ ବହୁ ଦୂର କଥା ଓଡ଼ିଶାରେ ବିଜେପି କଂଗ୍ରେସକୁ ପଛରେ ପକାଇ ଦ୍ଵିତୀୟ ସ୍ଥାନକୁ ଆସିବାରେ ଘୋର ସନ୍ଦେହ ରହୁଛି।

ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ କଥା ବାରମ୍ବାର ଉଠୁଛି,ପୁଣି ଚପି ଯାଉଛି।ତେବେ ବାରମ୍ବାର ଏପରି କଥା ଉଠିବା ଏବଂ ପୁଣି ଚପି ହେଇଯିବାର କାରଣ କ’ଣ?ପରିବର୍ତ୍ତନ ଆଲୋଚନା କ’ଣ କେବଳ ଏକ ଗୁଜବ? ଏବଂ ବିରୋଧୀ ବିଜେଡି ଏବଂ କଂଗ୍ରେସ ଏପରି ଗୁଜବ ସୃଷ୍ଟି କରିଥାଇ ପାରୁ ଥାଆନ୍ତି ବୋଲି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ମନ୍ତବ୍ୟର ସତ୍ୟାସତ୍ୟ କେତେ?ବାସ୍ତବରେ ଏହା ବିରୋଧୀ ମାନଙ୍କର ଏକ ପ୍ରଚାର ନାଁ ଦଳ ଭିତରେ କିଛି ଅଛି?


ବାସ୍ତବରେ ବିଜେଡି କିମ୍ବା କଂଗ୍ରେସ ବିଜେପି ରାଜ୍ୟ ସଭାପତି ପରିବର୍ତ୍ତନ ଗୁଜବ ଉଠାଇଥିବା କଥା କହିଥିବା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କଥାରେ ଆଦୌ ସତ୍ୟାସତ୍ୟ ନାହିଁ।ଅରୁଣ ସିଂ ଏହା ଠିକ୍ ଜାଣିଛନ୍ତି।କିନ୍ତୁ ରାଜ୍ୟ ବିଜେପି ସଙ୍ଗଠନର ତୃଣମୂଳ ସ୍ତରରୁ ଉଠୁଥିବା ଏକ ଦାବିକୁ ଦମନ କରିବା ପାଇଁ ସେ ଦୋଷ ବିରୋଧୀ ଆଡ଼କୁ ଠେଲିଛନ୍ତି।ଏବଂ ଅରୁଣ ସିଂ ପ୍ରାୟୋଜିତ ହୋଇ ଏପରି ମନ୍ତବ୍ୟ ଦେବାର ଜଣାପଡ଼ୁଛି।ତିନି ପ୍ରମୁଖ ଦଳ ବିଜେଡି,କଂଗ୍ରେସ ଏବଂ ବିଜେପି ଭିତରେ ବିଜେପିର ରାଜ୍ୟ ସଭାପତି ସବୁଠାରୁ ଯେ ଦୁର୍ବଳ ଏହା ଏବେ ସବୁଠି ଆଲୋଚନା।କେନ୍ଦ୍ରରେ କଂଗ୍ରେସର ଅତି ଦୟନୀୟ ସ୍ଥିତି ଭିତରେ ଓଡ଼ିଶାରେ ଭାଙ୍ଗି ପଡ଼ିଥିବା କଂଗ୍ରେସ ସଙ୍ଗଠନକୁ ନିରଞ୍ଜନ ପଟ୍ଟନାୟକ ଯଥେଷ୍ଟ ସମ୍ଭାଳିଛନ୍ତି।କିନ୍ତୁ ଠିକ୍ ତାର ଓଲଟା ସ୍ଥିତି ବିଜେପିର।କେନ୍ଦ୍ରରେ ବିଜେପିର ଜବରଦସ୍ତ ସ୍ଥିତି ଏବଂ ମୋଦୀ ଲହର ଭିତରେ ଓଡ଼ିଶାରେ କିନ୍ତୁ ବିଜେପି ଅତ୍ୟନ୍ତ ଦୟନୀୟ ସ୍ଥିତିରେ।ସଭାପତି ଦୁର୍ବଳ ସାଙ୍ଗକୁ ରାଜ୍ୟ ବିଜେପି ତଥା ବିଭିର୍ଣ୍ଣ ମୋର୍ଚ୍ଚାର ପଦ ପଦବୀରେ ଥିବା ନେତା ମଧ୍ୟ ଦୁର୍ବଳ।ନିଜ ନିଜ ଅଞ୍ଚଳରେ ସେମାନଙ୍କର ଗୁରୁତ୍ୱ କିଛି ନାହିଁ।ରାଜ୍ୟ ସଭାପତି ବସନ୍ତ ପଣ୍ଡା କାଠ କଣ୍ଢେଇ ପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଶାରାରେ ପରିଚାଳିତ ହୁଅନ୍ତି।ରାଜ୍ୟ କିମିଟିରେ ଥିବା ବିଭିର୍ଣ୍ଣ ନେତା ନିଜର ଦକ୍ଷତା କାରଣରୁ ନୁହଁ କେବଳ ଚାଟୁକାରୀ କରି କ୍ଷମତାକୁ ମାଡ଼ି ବସିଛନ୍ତି।ବିଜେପି ସଙ୍ଗଠନ ଏବଂ ରାଜ୍ୟ କାର୍ଯ୍ୟାଳୟକୁ ସେମାନେ ସତେ ଯେପରି ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବି ନେଇଛନ୍ତି।ଅହଂକାର ଏବଂ ଗର୍ବରେ ସେମାନେ କାର୍ଯ୍ୟକର୍ତ୍ତାଙ୍କ ସହ ରୁକ୍ଷ ବ୍ୟବହାର କରିଥାଆନ୍ତି ବୋଲି କଥା ଉଠେ।ପ୍ରଭାରୀ ହିସାବରେ ବିଭିର୍ଣ୍ଣ ଜିଲ୍ଲା ଗସ୍ତ କରି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ତଥା ପ୍ରଶିକ୍ଷିତ କରାନ୍ତି।କିନ୍ତୁ ଦେଖିବାକୁ ଗଲେ ଏମାନେ ଯେଉଁମାନଙ୍କୁ ପ୍ରଶିକ୍ଷିତ କରାନ୍ତି ସେମାନେ ବରଂ ଏମାନଙ୍କ ଠାରୁ ଅଧିକ ପ୍ରଶିକ୍ଷିତ,ଅଧିକ ଦକ୍ଷ।ନିଜ ପରିବାର ଭିତରେ ଦାଦା/ପୁତୁରା ଭିତରେ ଟିକେଟକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ,ସଂପୃକ୍ତ ପରିବାରର ରାଜ୍ୟ ଦାୟିତ୍ୱରେ ଥିବା ନେତା କିପରି ବା ଅନ୍ୟକୁ ମାର୍ଗଦର୍ଶନ କରିବେ?ଅନ୍ୟାନ୍ୟ ସ୍ଥାନର ଗୋଷ୍ଠି କନ୍ଦଳକୁ କିପରି ବା ସମାଧାନ କରିବେ?

ଏହି କାରଣରୁ ଆଜି ପ୍ରାୟ ପ୍ରତ୍ୟେକ ସ୍ଥାନରେ ବିଜେପି ଭିତରେ ରହିଛି ଗୋଷ୍ଠି କନ୍ଦଳ।ସେହି କାରଣରୁ ଭଦ୍ରକରେ ସଭା ସ୍ଥଳରେ ଗଣ୍ଡଗୋଳ ଘଟୁଛି,ନୟାଗଡ଼ରେ ମୁଣ୍ଡ ଫଟାଫଟି ହେଉଛି।ମୟୁରଭଞ୍ଜରେ ମହିଳା ସୁରକ୍ଷା ଯାତ୍ରାରେ ନାରୀ ନେତ୍ରୀ ରାତି ଅଧରେ ଟିମ ଛାଡି ଯାଉଛନ୍ତି।

ଏସବୁର କାରଣ ଦୁର୍ବଳ ସଭାପତି।ବ୍ୟକ୍ତିବାଦ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ପ୍ରଭାବ।ଜିତିଥିବା ଏକ ମାତ୍ର ସାଂସଦ ତଥା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ରାଜ୍ୟ ରାଜନୀତିରେ କିଛି ପ୍ରଭାବ ନାହିଁ।ସେ କେବଳ ସତେ ଯେପରି ସୁନ୍ଦରଗଡ଼ର ଆଦିବାସୀ ନେତାଟିଏ ହୋଇ ରହି ଯାଇଛନ୍ତି।ତାଙ୍କ ଫଟୋକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ,ତାଙ୍କୁ ସ୍ବାଗତ କରିବାକୁ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ,କିନ୍ତୁ ଧର୍ମେନ୍ଦ୍ର ଆସିଲେ ବାହାରେ ବାଇକ ରାଲି।ତାଙ୍କୁ ହିଁ କୁହାଯାଏ ବଦଳୁଥିବା ଓଡ଼ିଶାର ନାୟକ।ଆଗାମୀ ଭାବି ମୁଖ୍ୟମନ୍ତ୍ରୀ?ସଭାପତି ପରିବର୍ତ୍ତନ କଥା ପ୍ରଚାର ହେଲେ ତାହାକୁ ତୁରନ୍ତ ଆସି ଖଣ୍ଡନ କରି ଅପପ୍ରଚାର ବୋଲି କହୁଥିବା ରାଜ୍ୟ ପ୍ରଭାରୀ ଅରୁଣ ସିଂ କିନ୍ତୁ ଏପରି ପ୍ରଚାରକୁ ଖଣ୍ଡନ କରନ୍ତି ନାହିଁ।ଅପପ୍ରଚାର ବୋଲି କୁହନ୍ତି ନାହିଁ।ସେହିପରି ସଭାପତି ପରିବର୍ତ୍ତନ ହୋଇ ସାଙ୍ଗଠନିକ ବ୍ୟବସ୍ଥାକୁ ଆସିବା କଥା ଶୁଣିଲାମାନେ ନିଜ ଅସ୍ଥିତ୍ୱକୁ ନେଇ ସମ୍ଭବତଃ ସନ୍ଦିହାନ ହୋଇ ପଡ଼ୁଥିବା ରାଜ୍ୟ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପରି ନେତା ତୁରନ୍ତ ଆସି ଏହାକୁ ଖଣ୍ଡନ କରନ୍ତି।କିନ୍ତୁ ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର କଥାରେ ନିରବ ରୁହନ୍ତି ବା ପରୋକ୍ଷ ସମର୍ଥନ କରନ୍ତି।ବାସ୍ତବରେ ଧର୍ମେନ୍ଦ୍ର ସିନା ନିର୍ବାଚନ ଜିତି ନାହାଁନ୍ତି,କିନ୍ତୁ ଆତ୍ମପ୍ରଚାର କରାଇବା,ସୁଚିନ୍ତିତ ଢଙ୍ଗରେ ନିଜର ଏକ ଗୋଷ୍ଠି ତିଆରି କରିବା,ଭଙ୍ଗାଭଙ୍ଗୀ ତଥା ଘୋଡ଼ା ବେପାର କରିବା ଆଦିରେ ସେ ସିଦ୍ଧହସ୍ତ ଜଣାପଡ଼ନ୍ତି।

ଧର୍ମେନ୍ଦ୍ର ଖୁବ୍ ପରିଶ୍ରମ କରୁଛନ୍ତି।ବିଜେଡିକୁ କାଉଣ୍ଟର କରୁଛନ୍ତି।ରାଜ୍ୟ ସଙ୍ଗଠନକୁ ସମ୍ଭାଳୁଛନ୍ତି ବୋଲି ତାଙ୍କ ସମର୍ଥକମାନେ କୁହନ୍ତି।କିନ୍ତୁ ବାସ୍ତବରେ ଧର୍ମେନ୍ଦ୍ର ଓଡ଼ିଶାରେ ବିଜେପିର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ କିଛି କରୁନାହାଁନ୍ତି।ସେ ଯାହା କରୁଛନ୍ତି ସବୁ ନିଜ ପାଇଁ।ନିଜ ପ୍ରଚାର ନିଜର ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତୁତ ପାଇଁ।

ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ପରେ ରାଜ୍ୟ ବିଜେପିରେ ଅନେକ କିଛି ପରିବର୍ତ୍ତନ ଆଶା କରାଯାଉଥିଲା।କିଛି ଅବଶ୍ୟ ଦେଖିବାକୁ ମିଳିଲା ବିନା ସୁପାରିଶରେ ପ୍ରଥମ ଥର ପାଇଁ ବିଧାନସଭା ପ୍ରଭାରୀ ନିଯୁକ୍ତି ଦେଖିବାକୁ ମିଳିଲା।କାରଣ ବିଧାନସଭା କ୍ଷେତ୍ର ପାଇଁ ବିଜେପି ନିଯୁକ୍ତ କରିଥିବା ପ୍ରଭାରୀମାନେ ଦକ୍ଷ ଏବଂ ମୂଳ ସଙ୍ଗଠନର।ତେବେ ଏହାର ମୂଲ୍ୟ ଯେ କଣ ରହିବ ତାହା ସନ୍ଦେହରେ।କାରଣ ସେହି ପ୍ରଭାରୀ ମାନେ ଏବେ ଅନୁଭବ କରୁଥିବେ ଯେ,ରାଜ୍ୟରେ ବୁଥ ସ୍ତରରେ ଥିବା କମିଟି ବୋଲି ବାସ୍ତବରେ କିଛି ନାହିଁ।ଅନେକ ସ୍ଥାନରେ ମିଛ ନାମ ଦିଆ ଯାଇଛି।ଦାୟିତ୍ୱରେ ଥିବା ଲୋକକୁ ଖୋଜିଲେ ମିଳୁନାହାଁନ୍ତି।ସେହିପରି ପୂର୍ବରୁ ଗୋଷ୍ଠିବାଦରେ ବିଜେପି ଏତେ ବୁଡ଼ି ଯାଇଛି ଯେ ପ୍ରାୟ ପ୍ରତ୍ୟେକ ଜାଗାରେ ଦୁଇ ଦୁଇ ଜଣ ଟିକେଟ ପାଇଁ ଦାବିଦାର।ଆତ୍ମଘୋଷିତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରାଜ୍ୟ ସଭାପତି ଗୁରୁତ୍ୱହିନ ପରି ସ୍ଥିତି ଜିଲ୍ଲା ତଥା ବିଧାନସଭା କ୍ଷେତ୍ରରେ।ଜିଲ୍ଲା ସଭାପତି ଗୁରୁତ୍ୱହିନ ଏବଂ ଆତ୍ମଘୋଷିତ ବିଧାନସଭା ନେତାଙ୍କର ଭାରି ଗୁରୁତ୍ୱ।ପରିଣାମ ଭଦ୍ରକ,ନୟାଗଡ଼ ଗଣ୍ଡଗୋଳ।ଏହାର ପ୍ରଯୋଜକ ନିଜେ ନେତୃତ୍ୱ।ମୟୁରଭଞ୍ଜ ମହିଳା ସୁରକ୍ଷା ଯାତ୍ରା ସମୟରେ ହୋଇଥିବା ବିବାଦ ସମୟରେ ଆଦିବାସୀ ନେତ୍ରୀ ସିଧା ସଳଖ ବିଜେପିର ସ୍ଥାନୀୟ ନେତୃତ୍ୱଙ୍କୁ ଟାର୍ଗେଟ କରି କହିଥିଲେ।ଏବଂ ବିଜେପି ସଙ୍ଗଠନକୁ ଗୁରୁତ୍ୱହିନ ମନେ କରି ଧର୍ମେନ୍ଦ୍ର ତାଙ୍କୁ ଆଣିଛନ୍ତି,ଧର୍ମେନ୍ଦ୍ରଙ୍କ ଉପରେ ତାଙ୍କ ଭରଷା।ଧର୍ମେନ୍ଦ୍ର ନବୁଝିଲେ ସେ ପୋଲ ଖୋଲିଦେବେ ବୋଲି ଏକ ପ୍ରକାର ଧମକ ବିଜେପିକୁ ଦେଇଥିଲେ।ଆଉ ଏକ ଉଦାହରଣ ସ୍ୱରୂପ କିଛି ଦିନ ତଳେ ଏକ ବୈଠକ ଚାଲିଥିଲା।ବୈଠକରେ ଧର୍ମେନ୍ଦ୍ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ପଚାରିଲେ ତୁମ ନେତା କିଏ?ସଂପୃକ୍ତ କାର୍ଯ୍ୟକର୍ତ୍ତା ତାଙ୍କ ସମର୍ଥନ ଥିବା ବିଧାନସଭା ନେତାଙ୍କ ନାମ କହିଲେ।ଧର୍ମେନ୍ଦ୍ର କହିଲେ ନାଁ!ନେତା କେବଳ ଜଣେ।ସେ ହେଲେ ନରେନ୍ଦ୍ର ମୋଦୀ।ଭଲ କଥା।କିନ୍ତୁ ସଂପୃକ୍ତ କାର୍ଯ୍ୟକର୍ତ୍ତାଙ୍କୁ ସିନା ଧର୍ମେନ୍ଦ୍ର ଏପରି କହିଲେ,କିନ୍ତୁ ତାର ଦୁଇ ଦିନ ପରେ ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ନୂଆ ନୂଆ ଦଳକୁ ଆସିଥିବା ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଏକ ପ୍ରେସ ବିଜ୍ଞପ୍ତିରେ କହିଲେ ଧର୍ମେନ୍ଦ୍ରଙ୍କୁ ଦେଖିଲେ ବିଜେଡି ବାଲାଙ୍କର କୁଆଡ଼େ ନାହି ଡେଉଁଛି!ପିତାମ୍ବର ଏଠି ବିଜେପିର ନୁହଁ ଧର୍ମେନ୍ଦ୍ରଙ୍କ ପ୍ରଭାବ ଦେଖାଇବାକୁ ଚାହିଁଲେ।ଏହା ପ୍ରଥମ ଥର ନୁହଁ।ଥରେ ଏକ ରାଷ୍ଟ୍ରୀୟ ନିଉଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଥିଲା।ଏଥିରେ ମୋଦୀ ସରକାରଙ୍କର ଦକ୍ଷ ଏବଂ ଅପାରଗ ମନ୍ତ୍ରୀ ମାନଙ୍କର ଏକ ତାଲିକା ପ୍ରକାଶ କରିଥିଲା।୫ ଜଣ ଦକ୍ଷ ମନ୍ତ୍ରୀ ଭିତରେ ଧର୍ମେନ୍ଦ୍ର ଥିଲେ।ତେବେ ଏହି ରିପୋର୍ଟକୁ ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ।ଏଥିରେ ବିଜେପିର କିଛି ସଫଳତା ନଥିଲା।ବିଜେପି ଭିତରର ମନ୍ତ୍ରୀ ମାନଙ୍କ ମଧ୍ୟରେ ଏକ ତୁଳନା ଥିଲା।ସେଥିରେ ଅପାରଗ ମନ୍ତ୍ରୀମାନଙ୍କର ମଧ୍ୟ ନାମ ଥିଲା।କିନ୍ତୁ ଧର୍ମେନ୍ଦ୍ରଙ୍କ ନାମ ପାରଙ୍ଗମ ଲିଷ୍ଟରେ ଥିବାରୁ ବିଜେପି କଥା ଭୁଲି ଯାଇ ପିତାମ୍ବର ଆଚାର୍ଯ୍ୟ ଏହାକୁ ସେୟାର କରିଥିଲେ।ଓଡ଼ିଶା ବିଜେପିରେ କେବଳ ଚାଟୁକାରି,ଖୋସାମତି ଚାଲିଛି।ଯିଏ ଧର୍ମେନ୍ଦ୍ରଙ୍କ ପାଖଲୋକ ତାର ଗୁରୁତ୍ୱ ଅଧିକ।ବିଜେପୁର ଉପ ନିର୍ବାଚନରେ ପାର୍ଥି ଚୟନ ଏକ ଉଦାହରଣ।ଅମିତ ଶାହାଙ୍କ ଗସ୍ତ ବେଳେ ରାଜ୍ୟର ସାଙ୍ଗଠନିକ ଦାୟିତ୍ୱରେ ଥିବା ଅନେକ ନେତ୍ରୀମାନଙ୍କୁ ଦେଖିବାକୁ ମିଳିଥିଲା ନାମ ପଞ୍ଜିକରଣ କାର୍ଯ୍ୟରେ।ଯେତେବେଳେ କି ନବାଗତା ଉପାସନା ମହାପାତ୍ରଙ୍କୁ ଦେଖିବାକୁ ମିଳିଥିଲା ଧର୍ମେନ୍ଦ୍ରଙ୍କ ସାଙ୍ଗରେ ଶାହାଙ୍କୁ ସ୍ୱାଗତ ସମୟରେ ଏୟାରପୋର୍ଟରେ।

ସଭାପତି ପରିବର୍ତ୍ତନ ନହେବା ଏବଂ ଏହିପରି ବ୍ୟକ୍ତିବାଦ ଭିତରେ ସଙ୍ଗଠନ ଚାଲିବା ଆଉ ଏକ ଦିଗକୁ ଇଙ୍ଗିତ କରୁଛି।ବୋଧହୁଏ ଯେଉଁ କାରଣରୁ ବିଜୟ ମହାପାତ୍ର,ଦିଲ୍ଲୀପ ରାୟଙ୍କ ପରି ନେତା ନିଜକୁ ଅସୁରକ୍ଷିତ ମଣି ଦୂରେଇ ରଖୁଛନ୍ତି।ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା କଥାରେ ବିଳମ୍ବ କରୁଛନ୍ତି।ଯେଉଁ କାରଣରୁ ମୋଦୀ ଓଡ଼ିଶା ଗସ୍ତ ସମୟରେ ନବୀନଙ୍କୁ ସେପରି ଟାର୍ଗେଟ କରୁ ନାହାଁନ୍ତି।ଅମିତ ଶାହା ଏମିତି କଥାକୁ ଖାଲି ମିଶନ ୧୨୦ କଥା କହୁଛନ୍ତି।ନବୀନଙ୍କୁ ହାଲକେଇ ଗାଳି କରୁଛନ୍ତି।ବିଭିର୍ଣ୍ଣ ସମୟରେ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଆସି ନବୀନଙ୍କୁ ପ୍ରଶଂସା କରୁଛନ୍ତି।ଯେଉଁ କାରଣରୁ ବୋଧେ ବିଜେଡି ରାଷ୍ଟ୍ରପତି ନିର୍ବାଚନ,ଉପାଧ୍ୟକ୍ଷ ନିର୍ବାଚନ ଆଦି ଘଟଣାରେ ସମର୍ଥନ ଏବଂ ଅନାସ୍ଥା ପ୍ରସ୍ତାବ ସମୟରେ ପରୋକ୍ଷ ସମର୍ଥନ ଜଣାଉଛି।ଯେଉଁ କାରଣରୁ ନବୀନ କର୍ଣ୍ଣାଟକ ଶପଥ ଗ୍ରହଣ ଉତ୍ସବରୁ ଦୂରେଇ ରହୁଛନ୍ତି।

କିଛି କହୁଛନ୍ତି ଏସବୁ ସିବିଆଇ ଭୟ କାରଣରୁ।କିନ୍ତୁ ଦେଖିବାକୁ ଗଲେ ବିଜେଡିର ଅନେକ ପଦକ୍ଷେପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଖୁସି ହେଉଥିବେ ନିଶ୍ଚୟ।ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପରି କେତେକ ପ୍ରସଙ୍ଗରେ ବିଜେଡିର ସହଯୋଗ ମଧ୍ୟ ମିଳିସାରିଛି।ଏ ଭିତରେ ପରସ୍ପର ବିରୋଧୀ ଥିବା ବିରୋଧୀ ଦଳ ଗୁଡ଼ିକ ନିଜ ଭିତରେ ମେଣ୍ଟ କରୁଛନ୍ତି।ଯାହାର ଫଳ କର୍ଣ୍ଣାଟକରେ ବିଜେପି ଭୋଗିଲା।ଉତ୍ତରପ୍ରଦେଶ ପରି ରାଜ୍ୟରେ ସପା ଏବଂ ବସପା ମେଣ୍ଟ ୧୯ ପାଇଁ ବିଜେପିର ଏକ ଚିନ୍ତାର କାରଣ।ଏନଡିଏରୁ ତେଲୁଗ ଦେଶମ ପାର୍ଟି ଅଲଗା ହୋଇସାରିଛି।ଜାମ୍ମୁ କାଶ୍ମୀରରେ ପିିଡିପି ସହ ମେଣ୍ଟ ଭାଙ୍ଗି ସାରିଛି।ମହାରାଷ୍ଟ୍ରରେ ଏନଡିଏରେ ଥାଇ ଶିବସେନା ବାରମ୍ବାର ଡରାଉଛି।ଅଲଗା ନିର୍ବାଚନ ଲଢ଼ିବା କଥା କହୁଛି।ବିଜେପିର ହଁ’ ରେ ସବୁବେଳେ ହଁ’ ମାରି ଆସୁଥିବା ଶିରୋମଣି ଅକାଳି ଦଳ ମଧ୍ୟ ଏବେ ଟିକେ ଟିକେ ବିରୋଧାଭାଷ ଦେଖାଇଲାଣି।ତେଣେ ମେଣ୍ଟ ଭାଙ୍ଗି ପୁଣି ମେଣ୍ଟ କରିଥିବା ଜେଡିୟୁ ବଡ଼ ଭାଇ ପଣିଆ ଜାହିର କରୁଛି।ବିଜେପି ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହେଇ ଯାଇଥିବାରୁ ଅମିତ ଶାହା ବିହାର ଯାଇ ବାଟ ଖୋଜୁଥିଲେ।ଏବଂ ଏବେ ଜେଡିୟୁରୁ ଜଣଙ୍କୁ ଉପାଧ୍ୟକ୍ଷ କରାଯାଇଛି।ଏସବୁ ଭିତରେ ବିଜେଡି ମଧ୍ୟ ସମର୍ଥନ ଦେଇଛି।

ଓଡ଼ିଶାରେ ବିଜେପିର ସ୍ଥିତି ଯେ ଅତ୍ୟନ୍ତ ଦୁର୍ବଳ ଏବଂ ରାଜ୍ୟ ବିଜେପି ନେତାମାନେ ଯେ ଖାଲି ମିଛ ଫୁଟାଣି ମାରୁଛନ୍ତି ଏହା ସମସ୍ତଙ୍କୁ ଜଣା।ଗୋଟାଏ ମାତ୍ର ନିର୍ବାଚିତ ଏମପି।ବାକି ଯାହା ଦୟାରେ ପ୍ରାପ୍ତ।ଓଡ଼ିଶାରେ ଯଦି କିଛି ଏପଟ ସେପଟ ହେଇଯାଏ ଏବଂ ବିଜେଡି ସଂଖ୍ୟା ବଳରେ କମିଯାଏ,ତେବେ କଂଗ୍ରେସର ସହାୟତା ବି ନେଇପାରେ।କଂଗ୍ରେସ ତ’ ଅନେଇ ବସିଛି।ଯାହା କେନ୍ଦ୍ର ବିଜେପି ନେତୃତ୍ୱ ଆଦୌ ଚାହିଁବେନି।ଏମିତିରେ ରାଷ୍ଟ୍ରପତି ନିର୍ବାଚନ,ଅନାସ୍ଥା ପ୍ରସ୍ତାବ,ଏବଂ ଏବେ ଉପାଧ୍ୟକ୍ଷ ନିର୍ବାଚନ ଭଳି କେତେ ପ୍ରସଙ୍ଗରେ ବିଜେଡି ଠାରୁ ଭଲ ସହଯୋଗ ମିଳିଛି।କହିବାକୁ ଗଲେ ଠିକ୍ ଠିକ୍ ସମୟରେ ଠିକ୍ ସହଯୋଗ ମିଳିଛି।ମୋଦୀଙ୍କ କଂଗ୍ରେସ ମୁକ୍ତ ଆହ୍ୱାନକୁ ଅପାରଗ ଓଡ଼ିଶା ବିଜେପି ତ’ ପୂରଣ କରି ପାରିନି,ବରଂ ନବୀନ କରି ପାରିଛନ୍ତି।ମିଶନ ୧୨୦ ବା ଓଡ଼ିଶାରେ ସରକାର ଗଢ଼ିବା କେନ୍ଦ୍ର ବିଜେପିର ପ୍ରାଥମିକତା ନୁହେଁ।ପ୍ରାଥମିକତା ହେଲା ୨୧ଟି ଏମପି ଆସନ।୨୦ ଏବେ ବିଜେଡି ହାତରେ।ଯାହାର ଫାଇଦା ବିଜେପି ଏବେ ପରୋକ୍ଷରେ ପାଇଲା।୧୯ ବେଳକୁ ବିଧାୟକ ସଂଖ୍ୟାରେ କିଛି ଓଲଟପାଲଟ ହେଇଗଲେ ଏବଂ ବିଜେଡି ସଂଖ୍ୟା କମିଗଲେ ଯଦି ବିଜେଡି କଂଗ୍ରେସ ସହଯୋଗ ନିଏ ତେବେ କ’ଣ ହେବ?ଏବେ ଯେଉଁ ପରୋକ୍ଷ ସମର୍ଥନ ମିଳିଲା ସେତକ ଯାଇ ବରଂ ପ୍ରତ୍ୟକ୍ଷ ବିରୋଧ ଆସିଯିବ।ଯାହା କେନ୍ଦ୍ର ବିଜେପି କେବେ ବି ଚାହିଁବନି।ଉଭୟଙ୍କୁ ଉଭୟଙ୍କର ଆବଶ୍ୟକତା ରହିଛି।ବିଜେପି ହାତରେ ସିବିଆଇ ବଳ ଥିବା କହିଲେ ନବୀନଙ୍କ ପାଖରେ ସମର୍ଥନ ଦେବାର ବଳ ମଧ୍ୟ ରହିଛି।ପରିସ୍ଥିତି ଯାହା,ଯଦି ନବୀନ ସାମାନ୍ୟ ଆଗ୍ରହ ପ୍ରକାଶ କରିବେ ତେବେ ମୋଦି ବା କେନ୍ଦ୍ର ବିଜେପି ସାଙ୍ଗେସାଙ୍ଗେ କୋଳେଇ ନେବେ।ତେଣୁ ସଭାପତି ପରିବର୍ତ୍ତନ ନହେବା ଏବଂ ଏବଂ ଯାହା ସବୁ ଘଟୁଛି ସେଥିରୁ ହୁଏତ ନିର୍ବଚନୀ ପର ଏକ ଅଘୋଷିତ ମେଣ୍ଟକୁ ଆଉ ଇଙ୍ଗିତ କରୁ ନାହିଁ ତ??

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.