Home ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ : ସମୀର ମହାନ୍ତି

ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ : ସମୀର ମହାନ୍ତି

18

ଭୁବନେଶ୍ୱର, ୦୭/୦୩ (ଓଡ଼ିଆ ପୁଅ) : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଭିତିଭୁମି ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମହାମାରୀ କରୋନା ସଂକଟ କାଳରେ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ଗରୀବ ରାଷ୍ଟ୍ରକୁ ମୋଦି ସରକାର କୋଭିଡ ଟୀକା ଓ ଔଷଧଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟଭିତିକ ସାମଗ୍ରୀ ପ୍ରଦାନ କରି ଭାରତ ବର୍ଷର ସୁନାମ ଆଣିଛନ୍ତି। କେନ୍ଦ୍ର ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ମିଶନ ମୋଡରେ ଆରମ୍ଭ କରିଥିବା “ୱାନ ନେସନ, ୱାନ ହେଲଥ୍‌” କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୧୮ରେ ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ସାଧାରଣ ଲୋକଟି ଶସ୍ତା ଓ ସୁବିଧାରେ ନିଜ ରାଜ୍ୟ ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସହଜରେ ଚିକିତ୍ସିତ ପାଇପାରିବ। ସେହିପରି ଶସ୍ତାରେ ସମସ୍ତଙ୍କୁ ଔଷଧ ଯୋଗାଇବା ପାଇଁ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନାରେ ଦେଶର ବିଭିନ୍ନ ସ୍ଥାନରେ ଔଷଧ ଦୋକାନ ଖୋଲାଯାଇଛି ଏବଂ ଏହା ଦ୍ୱାରା ଗରୀବରୁ ଗରୀବ ଲୋକମାନେ ବିଭିନ୍ନ ଦୁରାରୋଗ ପାଇଁ ମଧ୍ୟ ଶସ୍ତାରେ ଔଷଧ କିଣିପାରୁଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିହାତି ଭାବେ ଧନ୍ୟବାଦର ପାତ୍ର। ମିଶନ ଇନ୍ଦ୍ରଧନୁଷରେ ବର୍ତମାନ ସୁଦ୍ଧା ୩.୮୬ କୋଟି ଶିଶୁ ଏବଂ ୯୬.୮ ଲକ୍ଷ ଗର୍ଭବତୀ ମହିଳାଙ୍କୁ ମାଗଣା ଟୀକାକରଣ କରାଯାଇଛି। ୧୮୫ କୋଟିରୁ ଉର୍ଦ୍ଧ୍ୱ ଡୋଜ୍ କୋଭିଡ୍ ଟୀକାକରଣ ସରିଛି। ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ ଭାରତ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ଅପର ପକ୍ଷରେ ଓଡିଶା ସରକାରଙ୍କ ଆନ୍ତରିକତା ଓ ପ୍ରୋତ୍ସାହନ ଅଭାବ କାରଣରୁ ଏହି ସ୍ୱାସ୍ଥ୍ୟଭିତିକ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡିଶାବାସୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ୧୩.୪୪କୋଟି ପରିବାର ତଥା ୬୫କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି। ନ୍ୟାସନାଲ ଡିଜିଟାଲ ହେଲ୍‌ଥମିଶନ ଗତ ୨୦୨୦ ଅଗଷ୍ଟ ୧୫ତାରିଖରେ ମୋଦୀ ଶୁଭାରମ୍ଭ କରିଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜିଏୱାଇ) ଅନ୍ତର୍ଗତ ୧୬, ୦୮୫ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି। ଏବେ ୧୭, ୧୫୦ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି। ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ ୪ଟି ରାଜ୍ୟ ଆୟୁଷ୍ମାନ ଯୋଜନାକୁ ସ୍ଥାନୀୟ ସରକାର ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିନାହାନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜିଏୱାଇ) ଅନ୍ତର୍ଗତ ୧୬, ୦୮୫ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି। ଏ ସମସ୍ତ ସୁବିଧା ପାଇବାରୁ ଓଡିଶାବାସୀ ବଂଚିତ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଜିଠାରୁ ବିଜେପି ତରଫରୁ ଦେଶବ୍ୟାପୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଧରି “ସାମାଜିକ ନ୍ୟାୟ ଓ ସେବା” ପକ୍ଷ ଆରମ୍ଭ ହୋଇଛି। ଏହି ଅବସରରେ ବିଜେପି କାର୍ଯ୍ୟକର୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ଆଜି ସାମାଜିକ ନ୍ୟାୟ ଓ ସେବା ପକ୍ଷ ପାଳନର ପ୍ରଥମ ଦିନ ଏବଂ ଆଜିର ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଓଡିଶାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନବୀନ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି। ସ୍ୱାସ୍ଥ୍ୟ ଭିତିଭିମିରେ କିଛି କୋଠା ଘର ନିର୍ମାଣ ହୋଇଛି ସତ, କିନ୍ତୁ ଆବଶ୍ୟକୀୟ ଭିତିଭୁମିର ଘୋର ଅଭାବ ରହିଛି। ୧୮ ଜିଲ୍ଲା ମୁଖ୍ୟାଳୟରେ ଆଇସିୟୁ ନାହିଁ। ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ, ୪୦% ଊର୍ଦ୍ଧ୍ୱ ଜିଲ୍ଲାର ଡାକ୍ତରଖାନାରେ ଡାକ୍ତର ନାହାନ୍ତି। କ୍ୟାନସର ହସପିଟାଲ ନିର୍ମାଣ କେବଳ ପ୍ରଚାରରେ ସୀମିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଯୋଗାଇ ଦେବାରେ କାହିଁକି ଇଚ୍ଛା ପ୍ରକାଶ କରୁନାହାନ୍ତି ? ଓଡିଶାର ୬୦ ଲକ୍ଷ ପରିବାରକୁ କାହିଁକି ଆୟୁଷ୍ମାନ ଭାରତ ଯୋଜନାର ସୁଫଳରୁ ବଂଚିତ କରାଯାଉଛି ? ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀମାନେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅନେକ ଥର ଅନୁରୋଧ କରିବା ସତ୍ୱେ ରାଜ୍ୟ ସରକାର କାହିଁକି ନୀରବ ରହିଛନ୍ତି ? ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡିଆଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାନ୍ତୁ ଏବଂ ପ୍ରଧାନମନ୍ତ୍ରୀ ଜନ-ଔଷଧି କେନ୍ଦ୍ରର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି।

ଆଜି ରାଜ୍ୟ ସଭାପତି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଜନ-ଔଷଧି କେନ୍ଦ୍ର ପରିଦର୍ଶନ କରି ଉପଭୋକ୍ତା ଏବଂ ରୋଗୀଙ୍କ ସହ ଆଲୋଚନା କରିବା ସହିତ ଜନ ଔଷଧି କେନ୍ଦ୍ରରୁ ଔଷଧ କିଣିବା ପାଇଁ ସଚେତନ କରାଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶାରଦା ଶତପଥୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.