Home ଓଡ଼ିଶା ଅପରାଜିତାଙ୍କୁ ଖସାଇବା ପାଇଁ ଆରମ୍ଭ ହେଲାଣି ଷଡ଼ଯନ୍ତ୍ର

ଅପରାଜିତାଙ୍କୁ ଖସାଇବା ପାଇଁ ଆରମ୍ଭ ହେଲାଣି ଷଡ଼ଯନ୍ତ୍ର

2307

ଭୁବନେଶ୍ୱର ୧୯-୪ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବିଧାନସଭାରେ ଶଙ୍ଖ, ଲୋକସଭା ପାଇଁ ପଦ୍ମ। ଏକ ରାଜନୈତିକ ମହାମାରୀ ଓଡ଼ିଶାକୁ ଗ୍ରାସ କରିବାକୁ ଲାଗିଲାଣି। ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏବଂ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଓଡ଼ିଶା ଭୋଟର ମନସ୍ଥିର କରିସାରିଛନ୍ତି ବୋଲି ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିସାରିଛି। ବିଭିନ୍ନ ସଂସ୍ଥା ଦ୍ୱାରା ଆକଳନ କରାଯାଉଥିବା ଗାଣିତିକ ସଙ୍କେତକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ଓଡ଼ିଶାର ଏକୋଇଶି ଲୋକସଭା ଆସନରୁ ବିଜେପି ଦଶରୁ ଉର୍ଦ୍ଧ୍ୱ ଆସନ ଜିତିବା ଏକପ୍ରକାର ନିଶ୍ଚିତ। ଏହି ଅନୁପାତରେ ଗତକାଲି ସମାପ୍ତ ହୋଇଥିବା ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ଓଡ଼ିଶା ପାଞ୍ଚଟି ଲୋକସଭା ନିର୍ବାଚନ ଅନ୍ତର୍ଭୁକ୍ତ। ତନ୍ମଧ୍ୟରୁ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ବହୁ କଷ୍ଟ ହେଲେ ମଧ୍ୟ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିର୍ବାଚନ ବୈତରଣୀ ବହୁତ କଷ୍ଟରେ ପାର ହେବାର ସୂଚନା ମିଳିଛି। ବରଗଡ଼ ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଜିତିବେ। କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଜେପି ସାଂସଦ ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କ ମଧ୍ୟରେ ହୋଇଛି କଡ଼ା ଟକ୍କର। ଯିଏ ବି ଜିତିବ ବହୁତ କମ ଭୋଟ ବ୍ୟବଧାନରେ ଜିତିବ। ବଲାଙ୍ଗୀର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓ ଜିତିବାର ସମ୍ଭାବନା ଅଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସବୁଠାରୁ ରୋଚକ ଘଟଣା ହେଉଛି ଆସ୍କା ନିର୍ବାଚନ ମଣ୍ଡଳୀ। ଏଠାରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋଇଙ୍କ ଉପରେ ନଜର ଥିଲା ସାରା ଓଡ଼ିଶାର। ଅନୁସନ୍ଧାନରୁ ଜଣାପଡ଼ିଛି ଯଦି ପ୍ରମିଳା ବିଶୋଇଙ୍କ ସ୍ଥାନରେ ଆଉ କାହାକୁ ପ୍ରାର୍ଥୀ କରାଯାଇଥାନ୍ତା ତେବେ ବିଜେଡ଼ି ଏଥିରେ ଏକତରଫା ଭାବରେ ବିଜୟଲାଭ କରିଥାନ୍ତା। ମାତ୍ର ଏହି ଆସନ ଏବେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଜନାଦେଶ ନବୀନଙ୍କ ସପକ୍ଷରେ ଥିଲେ ମଧ୍ୟ ପ୍ରମିଲା ବିଷୋଇଙ୍କୁ ଆନ୍ତରୀକତାରେ ଗ୍ରହଣ କରିପାରିନାହାଁନ୍ତି ଭୋଟର। ଅନିଶ‌୍ଚିତତା ଭିତରେ ରହିଛି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ଫଳାଫଳ।

ପ୍ରଥମ ଦୁଇ ପର୍ଯ୍ୟାୟର ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ ଏକ ସ୍ପଷ୍ଟ ଚିତ୍ର ମିଳୁଛିଯେ, ଆଗାମୀ ଦୁଇ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା ଆସନ ପାଇଁ ବିଜେପି ଭଲ ପ୍ରଦର୍ଶନ କରିବ। ତନ୍ମଧ୍ୟରୁ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଏବଂ ପୁରୀ ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି। ଏବେ ଦୁଇ ମୁଖ୍ୟ ଦଳର ଫୋକସରେ ରହିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନ। ଏହାକୁ ହାତେଇବା ପାଇଁ ଉଭୟ ବିଜେପି ଏବଂ ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ କସରତ। ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀନୀ ଅପରାଜିତା ଷଢ଼ଙ୍ଗୀଙ୍କ ଦବଦବା ଅଧିକା ରହିଥିଲେ ମଧ୍ୟ ତାଙ୍କୁ ହରାଇବା ପାଇଁ ଏବେ ଖୋଦ ବିଜେପିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠି ଆରମ୍ଭ କରିଦେଇଛନ୍ତି ଷଡ଼ଯନ୍ତ୍ର। ଅପରାଜିତା ଜିତିଲେ ଏବଂ କେନ୍ଦ୍ରରେ ବିଜେପି ସରକାର ହେଲେ ଅପରାଜିତା କେନ୍ଦ୍ରମନ୍ତ୍ରୀ ହେବାଟା ଥୟ। ଓଡ଼ିଶାରୁ ଯେତେ ବିଜେପି ସାଂସଦ ନିର୍ବାଚିତ ହୋଇ ଗଲେ ମଧ୍ୟ ଅପରାଜିତାଙ୍କର ପଲ୍ଲା ଭାରି ରହିବ। ଏହାକୁ ଏବେ ସୁନଜରରେ ଦେଖିପାରୁନାହାଁନ୍ତି ଓଡ଼ିଶାର ପାୱାରଫୁଲ ଗୋଷ୍ଟି। ନରେନ୍ଦ୍ର ମୋଦୀଙ୍କର ଗତ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇଥିବା ସାଂସଦଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ରାଜ୍ୟସଭା ସାଂସଦ। ସେଥିପାଇଁ ବିଜେପି ଏବଂ ଆରଏସ୍ଏସ୍ ଭିତରେ ବହୁ ସମାଲୋଚନାର ଶିକାର ହୋଇଥିଲେ ନରେନ୍ଦ୍ରମୋଦୀ। ସେଥି ସକାଶେ ଯଦି ନରେନ୍ଦ୍ର ମୋଦୀଙ୍କର ସରକାର କ୍ଷମତାକୁ ଆସେ ତେବେ ଲୋକସଭା ସାଂସଦଙ୍କର ଗୁରୁତ୍ତ୍ୱ ଉପଲବ୍ଧି ହେବ। ତଦନୁଯାୟୀ, ଓଡ଼ିଶାରୁ ଜିତିବାକୁ ଥିବା ସବୁ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଅପେକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କର ଗୁରୁତ୍ତ୍ୱ ବୃଦ୍ଧି ପାଇବ। ଏହି ଅନୁପାତକୁ ରୋକିବା ପାଇଁ ବିଜେପିର ଏହି ପାୱାରଫୁଲ ଗୋଷ୍ଠି ଅପରାଜିତାଙ୍କୁ ହରାଇବା ପାଇଁ ତିଆରି କରିଛନ୍ତି ଏକ ସୁଚିନ୍ତିତ ରୋଡ୍ ମ୍ୟାପ୍। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ନିଜ ପାଇଁ ଭୋଟମାଗ। ସାଂସଦ କଥା ଉଠାଇବ ନାହିଁ ଲୋକଙ୍କ ପାଖରେ। ଏ ଖବର ପାଇବା ପରେ ସାତୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଏବେ କରଛଡ଼ା ଦେବା ଆରମ୍ଭ କଲେଣି ଅପରାଜିତା ଷଢ଼ଙ୍ଗୀଙ୍କୁ। ନାମକୁ ମାତ୍ର ବିଜେପି ମଙ୍ଗ ଧରିଥିବା ପାୱାରଫୁଲ ଗୋଷ୍ଠିର ମୁଖ୍ୟ ସୂତ୍ରଧର ସମୀର ମହାନ୍ତି ବିଜେପି ସାଂସଦ ପ୍ରାର୍ଥୀଙ୍କ ସହିତ ପ୍ରଚାର ସମୟରେ ଛାୟା ସଦୃଶ ରହୁଛନ୍ତି। ମ୍ୟାଡାମଙ୍କ ପ୍ରଚାର ସମୟର ସବୁ ଗତିବିଧିର ଖବର ପାୱାରଫୁଲ ଗୋଷ୍ଠି ପାଖରେ ପହଁଚୁଛି। ଯଦି ଏହିପରି ସୁଚିନ୍ତିତ ରାଜନୈତିକ ଷଡ଼ଯନ୍ତ୍ର ନିଜ ଦଳ ତରଫରୁ ଅପରାଜିତାଙ୍କ ବିରୁଦ୍ଧରେ ରଚାଯାଏ ତେବେ ଆସନ୍ତା ଦୁଇଦିନ ଅପରାଜିତାଙ୍କପାଇଁ ହେବ ଗାଜନୈତିକ ଅଗ୍ନିପରୀକ୍ଷା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.