ଓଡ଼ିଶା

ୱାଲମାର୍ଟ-ଫ୍ଲିପ୍ କାର୍ଟ ଚୁକ୍ତି ବାତିଲ୍ ଦାବିରେ ଗଣବିକ୍ଷୋଭ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୨ା୭ (ଓଡ଼ିଆ ପୁଅ) : ପୃଥିବୀର ସବୁଠାରୁ ବଡ଼ ଆମେରିକୀୟ ଖୁଚୁରା ଦୋକାନୀ ୱାଲମାର୍ଟ ଓ ଭାରତର ବାଙ୍ଗାଲୋରସ୍ଥିତ ବଂଶଲ ଭାତୃଦ୍ୱୟଙ୍କ ଅଧିନରେ ଥିବା ଫ୍ଲିପ୍ କାର୍ଟ କମ୍ପାନୀ ମଧ୍ୟରେ ଗତ ମଇ ୯ ତାରିଖ ଦିନ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ବାତିଲ୍ ଦାବି କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଏକ ଗଣବିକ୍ଷୋଭ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟକର୍ମୀମାନେ ସ୍ଥାନୀୟ ରେଳ ଷ୍ଟେସନରୁ ବାହାରି “ୱାଲମାର୍ଟ-ଫ୍ଲିପ୍ କାର୍ଟ ଚୁକ୍ତି ବାତିଲ୍ କର”, “ଭାରତ ବର୍ଷର ଖୁଚୁରା ବେପାରକୁ ଧ୍ୱଂସ କରିବା ଚଳିବ ନାହିଁ”, “୪ କୋଟି ଖୁଚୁରା ବେପାରୀଙ୍କ ପେଟରେ ନାତ ମାରିବା ଚଳିବ ନାହିଁ”, “ନରେନ୍ଦ୍ର ମୋଦି ସରକାର – ଏହି ଚୁକ୍ତି ବାତିଲ୍ କରିବା ଆମର ଦାବି” ଆଦି ସ୍ଲୋଗାନ ଦେଇ ସ୍ଥାନୀୟ ପି.ଏମ୍ .ଜି. ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଥାଉକି, ଗତ ମଇ ୯ତାରିଖ ଦିନ ୱାଲମାର୍ଟ ୧୬ ବିଲିଅନ୍ ଡଲାର ଅର୍ଥାତ୍ ୧ଲକ୍ଷ ୫ ହଜାର କୋଟି ଟଙ୍କା ଚୁକ୍ତିରେ ଭାରତର ବାଙ୍ଗାଲୋରସ୍ଥିତ ଇ-କମର୍ସ କମ୍ପାନୀ ଫ୍ଲିପ୍ କାର୍ଟର ୭୭ଭାଗ ଅଂଶଧନ କିଣିନେଇଛି। ୱାଲମାର୍ଟର ଇତିହାସ କହୁଛି, ଯେଉଁ ଦେଶରେ ସେ ବେପାର କରିଛି ସେ ଦେଶର ଛୋଟଛୋଟ ଦୋକାନୀ ଓ ଖୁଚୁରା ବେପାରୀଙ୍କ ଜୀବନଜୀବିକା ଧ୍ୱଂସ ହୋଇଯାଇଛି। ବହୁଦିନ ଧରି ଏହି କମ୍ପାନୀ ଭାରତ ମାଟିରେ ପାଦ ପକାଇବା ପାଇଁ ଉଦ୍ୟମ କରୁଥିଲା। ଏଭଳିକି ରାଜନେତାମାନଙ୍କୁ ଲାଞ୍ଚ ଦେଇ ଭାରତରେ ବେପାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। କିନ୍ତୁ ସୁଯୋଗ ପାଉନଥିଲା। ଆଜି ଫ୍ଲିପ୍ କାର୍ଟ ସହିତ ଚୁକ୍ତି କରି ପଛ ଦୁଆର ବାଟେ ଭାରତ ବର୍ଷର ବଜାରକୁ ଦଖଲ କରିବା ପାଇଁ ଆଗେଇ ଆସିଛି। ଏହାଫଳରେ ଦେଶର ୪କୋଟି ଖୁଚୁରା ବେପାରୀଙ୍କ ଜୀବନଜୀବିକା ଧ୍ୱଂସ ପାଇଯିବ ଏବଂ ୨୦ କୋଟି ଲୋକ ଖାଇବାକୁ ନପାଇ ଦାଦନ ଖଟିବେ। ଭାରତର ଖୁଚୁରା ବେପାରକୁ ନେଇ ବହୁ ଦେଶୀୟ ବାଣିଜ୍ୟିକ କମ୍ପାନୀମାନଙ୍କ ଭିତରେ ଏକ ଅହେତୁକ ଯୁଦ୍ଧ ଆରମ୍ଭ ହୋଇଯିବ। ତେଣୁ ଦେଶର କ୍ଷୁଦ୍ର ବ୍ୟବସାୟୀ ଓ ସହର ବଜାର ଓ ଗଳିକନ୍ଦିରେ ଛୋଟଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ୪କୋଟି ଲୋକଙ୍କର ସ୍ୱାର୍ଥରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏହି ଚୁକ୍ତି ବାତିଲ୍ ରେ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି। ଯଦି ସରକାର ଏହି ଚୁକ୍ତି ବାତିଲ୍ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତା’ହେଲେ ସମାଜବାଦୀ ପାର୍ଟି ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ଗଣବିକ୍ଷୋଭରେ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସଂବିତ୍ ଦାସ, ପ୍ରଦୀପ ମିଶ୍ର, ସଂଜୟ ନାୟକ, ଚାଷୀନେତା ବିଜୟ ବେହେରା, ସନ୍ତୋଷ ବଳବନ୍ତରାୟ, ବସନ୍ତ ପାତ୍ର, କଳ୍ପତରୁ ବେହେରା ଓ ରାଜ୍ୟପ୍ରିୟ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ। ୱାଲମାର୍ଟ-ଫ୍ଲିପ୍ କାର୍ଟ ଚୁକ୍ତି ବାତିଲ୍ ଦାବିରେ ଆନ୍ଦୋଳନକୁ ଜୋର୍ ଦାର କରି ଭାରତବର୍ଷର ଖୁଚୁରା ଦୋକାନୀ ଓ ଗରିବ ଲୋକଙ୍କର ସ୍ୱାର୍ଥରକ୍ଷା କରିବା ପାଇଁ ସମସ୍ତ ବାମଗଣତାନ୍ତ୍ରିକ ଦଳମାନେ ଏକାଠି ହୋଇ ଆଗେଇ ଆସିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top