ୱାର୍ଡ଼ ସଭ୍ୟାଙ୍କୁ ସରପଞ୍ଚଙ୍କ ଅଭଦ୍ରୋଚିତ ବ୍ୟବହାର

– ଜିଲ୍ଲାପାଳଙ୍କଠାରେ ମୂଳିସିଂ ପଞ୍ଚାୟତବାସୀଙ୍କ ଫେରାଦ

ବାଲେଶ୍ୱର,୬/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ସରପଞ୍ଚଙ୍କର ମହିଳା ୱାର୍ଡ଼ ସଭ୍ୟଙ୍କୁ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ ସହ ସରକାରୀ ନିୟମ ଉଲ୍ଲଂଘନ କରିବା ପ୍ରତିବାଦରେ ମୂଳିସିଂ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କଠାରେ ଆପତ୍ତି ଉଠାଇଛନ୍ତି। ସୋର ବ୍ଲକ ଅନ୍ତର୍ଗତ ୧୫ ୱାର୍ଡ଼ ବିଶିଷ୍ଟ ମୁଳିସିଂ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ସତ୍ୟନାରାୟଣ ମହାପାତ୍ର ନିର୍ବାଚିତ ହୋଇଥିଲେ। ତେବେ ତାଙ୍କର ନିର୍ବାଚନ ବେଳର ଆଚାରଣ-ଉଚ୍ଚାରଣରେ ସମ୍ପ୍ରତି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ସାଧାରଣ ଲୋକଙ୍କୁ ସର୍ବଦା ହେୟ ମଣୁଥିବା ଶ୍ରୀ ମହାପାତ୍ର ୫/୭ ଜଣ ୱାର୍ଡ଼ ମେମ୍ବରଙ୍କୁ ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଏମିତିକି ଦଳୀୟ ରାଜନୀତିରେ ସମ୍ପୃକ୍ତ ଏହି ସରପଞ୍ଚ ୪ ଜଣ ମହିଳା ୱାର୍ଡ଼ ସଭ୍ୟଙ୍କୁ ପଞ୍ଚାୟତ ବୈଠକରେ ଅପମାନବୋଧ ହେଲାଭଳି ନାନାଦି କଥା କହୁଥିବା ସେମାନେ ଆରୋପ କରିଛନ୍ତି। ଏମିତିକି ବିନା ବୈଠକରେ ମିଥ୍ୟା ଦସ୍ତଖତ ଜରିଆରେ ବିଭିନ୍ନ ପ୍ରସ୍ତାବ ଗୃହୀତ କରିବା, ନିର୍ଦ୍ଦିଷ୍ଟ ଜଣେ ଡିଲରଙ୍କୁ ହଇରାଣ ହରକତ ସହ ତାଙ୍କର ନିଲମ୍ବନ ପାଇଁ ଯୋଗାଣ ବିଭାଗକୁ ସୁପାରିଶ କରିବା, ବିଭିନ୍ନ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦେଇ ସରକାରୀ ନିୟମ ଉଲ୍ଲଂଘନ ପୂର୍ବକ  ସମ୍ପର୍କୀୟଙ୍କୁ ଏଥିରେ ସାମିଲ କରିବା, ରାସ୍ତାଘାଟ ନିର୍ମାଣ ଓ ପୋଖରୀ ନିଲାମ ପ୍ରଭୃତି ସରପଞ୍ଚ ନିଜ ଇଚ୍ଛାରେ କରୁଥିବା ନେଇ ୱାର୍ଡ଼ମେମ୍ବରଙ୍କ ସମେତ ଗ୍ରାମବାସୀମାନେ କହିଛନ୍ତି। ଏନେଇ ପୂର୍ବରୁ ସୋର ବିଡିଓଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇଥିଲେ ବି କୌଣିସ ଫଳ ମିଳିନଥିଲା। ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ନତୁବା ଆଗାମୀ ଦିନରେ ଏହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମୂଳିସିଂ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *