୯ ଜୁଲାଇ ଅଙ୍ଗନୱାଡ଼ିର ବିଭିନ୍ନ ଦାବି ନେଇ ରାଜ୍ୟସ୍ତରୀୟ ସଂଯୁକ୍ତ ସମାବେଶର ସଫଳତା ପାଇଁ ଚୁଡ଼ାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, ୭ା୭ (ଓଡ଼ିଆ ପୁଅ) : ସମଗ୍ର ରାଜ୍ୟରେ ଆଇ.ସି.ଡି.ଏସ୍.ରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକାମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ଯଥା- ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ଗତ ୧୭ ଅକ୍ଟୋବରରେ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତ୍ରୀମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ, ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶକୁ କାର୍ଯ୍ୟକାରି କରିବା, ସୁପରଭାଇଜର ପଦବୀର ଶତକଡ଼ା ୫୦ଭାଗ ଅଙ୍ଗନୱାଡ଼ି ମଧ୍ୟରୁ ପୂରଣ କରିବା, ଅଙ୍ଗନୱାଡ଼ିରୁ ଏ.ଏନ୍.ଏମ୍. ଏବଂ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ କୋଟା ଧାର୍ଯ୍ୟ କରିବା, ଅବସର ପରେ ମାସିକ ୩ ହଜାର ଟଙ୍କା ପେନ୍ସନ୍ ପ୍ରଦାନ, ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, ସମସ୍ତ ପ୍ରକାରର ରୋଗ ଚିକିତ୍ସା ପାଇଁ ବୀମା ସହାୟତା, ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କାଗୃହ ନିର୍ମାଣ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତ୍ରୀଙ୍କ ସନ୍ତାନସନ୍ତତି ଶିକ୍ଷା ସ୍କଲାରସିପ୍ ଶିଶୁ ଶ୍ରେଣୀରୁ ଲାଗୁ କରିବା ସମେତ ବିଭିନ୍ନ ଦାବିରେ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ଆହ୍ୱାନରେ ଆସନ୍ତା ଜୁଲାଇ ୯ ତାରିଖ ସୋମବାର ସମଗ୍ର ରାଜ୍ୟର ସମସ୍ତ ପ୍ରକଳ୍ପର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖି ଭୁବନେଶ୍ୱର ଅଭିଯାନରେ ଯୋଗ ଦେବାପାଇଁ ଆଜି ଏ.ଆଇ.ଟି.ୟୁ.ସି. କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପ୍ରଶାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ମୋର୍ଚ୍ଚାର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ। ଏହି ବୈଠକରେ ଏ.ଆଇ.ଟି.ୟୁ.ସି. ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ, ସି.ଆଇ.ଟି.ୟୁ ସଂଯୁକ୍ତ ଅଲ୍ଓଡ଼ିଶା ଅଙ୍ଗନୱାଡ଼ି ୱାର୍କସ ଏବଂ ହେଲପରସ୍ ଆସୋସିଏସନ୍ ଏବଂ ପଶ୍ଚିମଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ରାଜ୍ୟ ନେତୃତ୍ୱ ଉପସ୍ଥିତ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଜୀବୀ ମହିଳା ବିରୋଧି ପଦକ୍ଷେପର କଟୁ ସମାଲୋଚନା ସହ ଦାବି ହାସଲ ପାଇଁ ଶକ୍ତିଶାଳୀ ଏ୍ୟ÷କ୍ୟବଦ୍ଧ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇଥିଲେ। ଏହି ବୈଠକରେ ସି.ଆଇ.ଟି.ୟୁର ବରିଷ୍ଠ ନେତା ରାଧାରମଣ ଷଡ଼ଙ୍ଗୀ, ଏ.ଆଇ.ଟି.ୟୁ.ସି.ର ଜୟନ୍ତ ଦାସ, ସଂଯୁକ୍ତ ମୋର୍ଚ୍ଚାର ଆବାହକ ତଥା ଏ.ଆଇ.ଟି.ୟୁ.ସି. ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ହରପ୍ରିୟା ସ୍ୱାଇଁ, ମମତାଜ୍ ଖୁଣ୍ଟିଆ, ପ୍ରତିଭା ପାଲ୍, ପ୍ରତିଭା ପରିଡ଼ା, ବିଷ୍ଣୁପ୍ରିୟା ଜେନା, ସୌଦାମିନି ଦାସ, ସୁଶ୍ରୀ ମହାପାତ୍ର ଓ ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ମିଳିତ ସମାବେଶର ସମ୍ପୂର୍ଣ୍ଣ ସଫଳତାର ଚୂଡ଼ାନ୍ତ ପ୍ରସ୍ତୁତି କରିଥିଲେ।

Leave a Reply

Your email address will not be published. Required fields are marked *