୮୦୦ କୋଟି ଟଙ୍କା ସମବାୟ ବ୍ୟାଙ୍କ ଦୁର୍ନୀତିର ସିବିଆଇ ତଦନ୍ତ ହେଉ : ବିଜେପି

ସମବାୟ କ୍ଷେତ୍ରରେ ହୋଇଥିବା ମହାଦୁର୍ନୀତି, ଅର୍ଥ ଆତ୍ମସାତ ଓ ଋଣ ଯୋଗାଣ ପରିଚାଳନାରେ ବ୍ୟାପକ ଅନିୟମିତତା ବିରୋଧରେ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା

– ନବୀନ ସରକାରଙ୍କ ଦୀର୍ଘ ୧୮ ବର୍ଷର ଶାସନ କାଳରେ କୋଟି କୋଟି ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କର ‘ଜୀବନ ଜୀବିକାର ପ୍ରାଣ କେନ୍ଦ୍ର’- ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଅଚଳ କରିଦେବାର ହୋଇଛି ଚକ୍ରାନ୍ତ
– ସମବାୟ ଋଣରେ ୮୦୦ କୋଟି ଟଙ୍କାର ଘୋଟାଲା ହୋଇଥିବା କଥା ସମବାୟ ମନ୍ତ୍ରୀଙ୍କ ଚିଠି କାହିଁକି ଚାପିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ଭୁବନେଶ୍ୱର, ତା.୧୨/୦୯ (ଓଡ଼ିଆ ପୁଅ) : ନବୀନ ସରକାରଙ୍କ ଦୀର୍ଘ ୧୯ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟର କୋଟି କୋଟି ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କର ‘ଜୀବନ ଜୀବିକାର ପ୍ରାଣ କେନ୍ଦ୍ର’ ସ୍ୱରୂପ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଅଚଳ କରିଦେବା ଲାଗି ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷ ଯେଉଁ ଶହ ଶହ କୋଟି ଟଙ୍କା ଲୁଟମାର କରିଛନ୍ତି। ତାହାର ଭିଜିଲାନ୍ସ ତଦନ୍ତ ସହିତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମବାୟ ପ୍ରକୋଷ୍ଠ ତରଫରୁ ଦାବି କରାଯାଇଛି।

ଓଡ଼ିଶାରେ ସମବାୟ କ୍ଷେତ୍ରରେ ହୋଇଥିବା ମହାଦୁର୍ନୀତି, ଋଣ ଯୋଗାଣ ତଥା ପରିଚାଳନା କ୍ଷେତ୍ରରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ପ୍ରତିବାଦ ଓ ଏହାର ତଦନ୍ତ ଦାବି କରି ଭାରତୀୟ ଜନତା ପାର୍ଟି ‘ରାଜ୍ୟ ସମବାୟ ସେଲ୍’ ପକ୍ଷରୁ ଆଜି ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରାଯିବା ସହ ଗଣଧାରଣା ଦିଆଯାଇଥିଲା।

ବାର୍ଷିକ ପ୍ରାୟ ୧୫ ହଜାର କୋଟିର ଆର୍ଥିକ କାରବାର କରୁଥିବା ରାଜ୍ୟ ସରକାରଙ୍କ ଏକମାତ୍ର ନିଜସ୍ୱ ବ୍ୟାଙ୍କ ଏବଂ ଯେଉଁ ବ୍ୟାଙ୍କ ଉପରେ ରାଜ୍ୟର କୋଟି କୋଟି ଚାଷୀ ଓ ବ୍ୟବସାୟୀମାନେ ନିର୍ଭର କରୁଛନ୍ତି ସେହି ରାଜ୍ୟ ସମବାୟ ବ୍ୟାଙ୍କକୁ ଲୁଟି ନେବା ପାଇଁ ବିଜେଡ଼ି ସରକାର ଉଦ୍ୟମ ଚଳାଇଛନ୍ତି। ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନକୁ ପରିଚାଳନା କରିବା ପାଇଁ ପରିଚାଳନା ନିର୍ଦ୍ଦେଶକ ପଦବୀରେ କୌଣସି ଜଣେ ଅଭିଜ୍ଞତା ସମ୍ପନ୍ନ ଦକ୍ଷ ପ୍ରଶାସନିକ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ ନକରି ତୁଷାରକାନ୍ତି ପଣ୍ଡା ନାମକ ଜଣେ ଅନଭିଜ୍ଞ, ଦୁର୍ନୀତିଗ୍ରସ୍ତ ଉକ୍ତ ବ୍ୟାଙ୍କର କର୍ମଚାରୀକୁ ଦୀର୍ଘଦିନ ଧରି ଏହି ପଦବୀରେ ନିଯୁକ୍ତ କରାଯିବା ସହ ତାଙ୍କର ଅବସର ପରେ ମଧ୍ୟ ଦୁଇଥର କାର୍ଯ୍ୟକାଳ ବୃଦ୍ଧି କରାଯିବା ପଛରେ କାହାର ସ୍ୱାର୍ଥ ଜଡ଼ିତ ରହିଛି ତାହା ନବୀନ ସରକାରଙ୍କର ଦୁର୍ନୀତିର ମୁଖା ଖୋଲି ଦେଇଛି। ରାଜ୍ୟର ଅନ୍ୟାନ୍ୟ ସଂସ୍ଥା ଭଳି ଏହି ବ୍ୟାଙ୍କଟିକୁ ମଧ୍ୟ ସରକାରୀ ଦଳ ଗିଳି ଦେବାକୁ ବସିଛନ୍ତି ଏହା ସ୍ପଷ୍ଟ ହୋଇଯାଇଛି ବୋଲି ଏହି ଅବସରରେ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଥିଲେ।

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ମାଧ୍ୟମରେ ରାଜ୍ୟର ପ୍ରାୟ ୩୦୦୦ କୃଷିସେବା ସମବାୟ ସମିତି ସ୍ତରରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖରିଫ ଓ ରବି ଚାଷ ପାଇଁ ଚାଷୀମାନଙ୍କୁ ଋଣ ଯୋଗାଇ ଦିଆଯାଉଛି। ଏହି ଋଣଯୋଗାଣ କ୍ଷେତ୍ରରେ ପ୍ରାଥମିକ ସମବାୟ ସମିତି ସ୍ତରରେ ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡ଼ିବା ପରେ ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଜଣାଇବା ସହ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତତରରେ ଏହି ଚିଠିକୁ ଚାପି ଦିଆଗଲା ଏବଂ ଏହି ଦୁର୍ନୀତିରେ ରାଜ୍ୟର ବଡ଼ ବଡ଼ ନେତା ଓ ଅଫିସରମାନେ ସଂପୃକ୍ତ ଥିବାରୁ ଏହି ଦୁର୍ନୀତିକୁ ଘୋଡ଼ାଇ ଦିଆଗଲା। ସମବାୟ ଆଇନ ୧୯୬୨ ଧାରା ୬୫ ଅନୁସାରେ ସମସ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଶ୍ରୀ ରାଉତ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ। ବର୍ତମାନର ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଏ ବିଷୟରେ ଜନତାଙ୍କୁ ଉତର ଦିଅନ୍ତୁ ଏବଂ ଉକ୍ତ ଚିଠିକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି।

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରାଥମିକ କୃଷିସେବା ସମବାୟ ସମିତିମାନଙ୍କୁ କମ୍ପୁ୍ୟଟର ସେଟ ଯୋଗାଇ ଦେବା ଲାଗି ଏକ କମ୍ପାନୀଠାରୁ ବେଆଇନ ଭାବେ କମ୍ପୁ୍ୟଟର କିଣାଯାଇ ଯେଉଁ ୩୭ କୋଟି ଟଙ୍କାର ଘୋଟାଲା ହୋଇଛି। ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀ ଦାମୋଦର ରାଉତଙ୍କ ଅଭିଯୋଗକୁ ଭିତିକରି ତାହାର ତଦନ୍ତ କରାଯାଉ ଏବଂ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଦଣ୍ଡିତ କରାଯିବାକୁ ବିଜେପି ତରଫରୁ ଦାବି କରାଯାଇଛି।

ରାଜ୍ୟ ସମବାୟ ବ୍ୟାଙ୍କ, ଏହାର ଶାଖା ବ୍ୟାଙ୍କ ତଥା ରାଜ୍ୟର ସବୁ କେନ୍ଦ୍ର ସମବାୟ ବ୍ୟାଙ୍କରେ ଏଟିଏମ୍ ବସାଇବା ଲାଗି କେତେ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ କୌଣସି ସ୍ଥାନରେ ଏଟିଏମ୍ ନଥିବାରୁ ଏ କ୍ଷେତ୍ରରେ କେତେ କୋଟି ଟଙ୍କା ଆତ୍ମସାତ୍ କରାଯାଇଛି ତାହାର ତଦନ୍ତ କରି ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡିତ କରାଯିବାକୁ ବିଜେପି ତରଫରୁ ଦାବି କରାଯାଇଛି।

ରାଜ୍ୟର ସବୁ ଗ୍ରାମାଂଚଳରେ ଋଣ ଯୋଗାଣ ଓ ବ୍ୟାଙ୍କ ସେବା ଲୋକମାନଙ୍କ ଦୁଆର ମୁହଁରେ ପହଂଚାଇ ଦେବା ଲାଗି ପ୍ରାୟ ୨୦ କୋଟି ଟଙ୍କାର ଯେଉଁ ୧୫ଟି ବସ କିଣାଯାଇଥିଲା। ବର୍ତମାନ ସେ ଗାଡ଼ି ଗୁଡ଼ିକ ଅକାମୀ ହୋଇ ଖତ ଖାଉଛି। ଏଥିରେ କେତେ କୋଟି ଟଙ୍କା ଦୁର୍ନୀତି ହୋଇଛି ତାହାର ତଦନ୍ତ କରାଯିବା ସହ ଦୋଷୀକୁ ଦଣ୍ଡ ତୁରନ୍ତ ଦଣ୍ଡ ପ୍ରଦାନ କରିବାକୁ ଦାବି କରାଯାଇଛି।

ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ରାଉତ ସମବାୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଲାଗି ତତ୍କାଳୀନ ସମବାୟ ନିବନ୍ଧକଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ। କାହା ସ୍ୱାର୍ଥରେ ଏହି ମହା ଦୁର୍ନୀତିକୁ ଘୋଡ଼ାଇ ଦିଆଗଲା ବୋଲି ବିଜେପି ତରଫରୁ ପ୍ରଶ୍ନ କରାଯିବା ସହ ବର୍ତମାନର ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହାର ଉତର ଦେବାକୁ ମଧ୍ୟ ଦାବି କରାଯାଇଛି।

ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦବୀରେ ତୁଷାରକାନ୍ତି ପଣ୍ଡା ଯେତେ ବର୍ଷ ଧରି କାର୍ଯ୍ୟ କରିଥିଲେ, ସେହି ସମୟରେ ଏହି ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବାରୁ ଏବଂ ସେହି ସମୟରେ କେଉଁ ଅଧିକାରୀମାନେ ଏ ଦୁର୍ନୀତିରେ ସଂପୃକ୍ତ ଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି କେନ୍ଦ୍ର ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦାୟିତ୍ୱ ଦିଆଯାଉ ଏବଂ ତୁଷାରକାନ୍ତି ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କର ସମସ୍ତ ସମ୍ପତି ବ୍ୟାଜାପ୍ତ କରାଯିବାକୁ ଦାବି କରାଯାଇଛି।

ରାଜ୍ୟ ସମବାୟ ବ୍ୟାଙ୍କର ସ୍ଥିତିକୁ ବଂଚାଇ ରଖିବା ଲାଗି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବାକୁ ନିଷ୍ପତି ନିଆଯାଇଛି। ଆଜିର ଏହି ପ୍ରତିବାଦ ସଭା ଏବଂ ଧାରଣାରେ ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଟ ସଂଯୋଜକ ଓ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର, ସହ ସଂଯୋଜକ ପବିତ୍ର ମୋହନ ଦାଶ, ପୂର୍ବତନ ରାଜ୍ୟ ସମବାୟ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ବିଜୟ ରାଉତରାୟ, ଆଶିଷ ଦାସ୍, କଲ୍ୟାଣ ଚାଟାର୍ଜୀ, କାଳିପ୍ରସାଦ ରାୟଗୁରୁ, କ୍ଷିରୋଦ ଦଳାଇ, ପୂର୍ଣ୍ଣଚନ୍ଦ୍ର ନନ୍ଦ, ଅନୁପ ପରିଡା, ପର୍ଶୁରାମ ପରିଡା, ନନ୍ଦକିଶୋର ଜେନା, ଶ୍ରୀରଂଜନ ମଙ୍ଗରାଜ, ସରୋଜ ସାହୁ, ରଂଜିତ ମହାପାତ୍ର, ପ୍ରଦୀପ ମହାନ୍ତ, ବିଶିକେସନ ଦାସ୍, ଗୈାରି ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *