ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବର୍ଷ ୨୦୧୫-୧୬ ରୁ ବନ୍ଦ ହୋଇ ପଡିରହିଥିବା ମଧ୍ୟାହ୍ନ ଭୋଜନ ଘୋଟାଲାର ଫାଇଲ୍ ଏବେ ଖୋଲିଛି। ଆରମ୍ଭ ହୋଇଛି ତନାଘନା। ପ୍ରଶାସନ ଓ ସରକାରଙ୍କୁ ଠକିଥିବା ପରିବହନ ଠିକାଦାରଙ୍କୁ ଧରିଛନ୍ତି ଅଡିଟର ଜେନେରାଲ। ମଧ୍ୟାହ୍ନ ଭୋଜନ ଯୋଗାଣର ଏହି ଅନିୟମିତତାକୁ ଗୁରୁତର ସହ ନେଇ ସୁଧ, ମୂଳ ଓ ଜରିମାନା ସହ ମୋଟ ୨ କୋଟି ୨୯ ଲକ୍ଷ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ୨୦୧୫-୧୬ ଶିକ୍ଷାବର୍ଷରେ ଭଦ୍ରକ ଜିଲାରେ ଏମ୍ଡିଏମ୍ ଚାଉଳ ପରିବହନ କରୁଥିବା କେନ୍ଦ୍ରାପଡାହ ଜିଲାର ଜଣେ ଲେବଲ୍-୧ ଠିକାଦାର ବର୍ଷ ଶେଷରେ ୨ ହଜାର ୧୫୬ କ୍ୱିଣ୍ଟାଲ ୩୮ କିଲୋ ଚାଉଳ ହଡପ କରିଥିଲେ। ଏନେଇ ପ୍ରଶାସନିକ ତଦନ୍ତ ପରେ ସଂପୃକ୍ତ ଠିକାଦାରଙ୍କୁ ହଡପ ଚାଉଳ ବାବଦକୁ ସରକାରୀ ଦର କ୍ୱିଣ୍ଟାଲ ପିଛା ୨ ହଜାର ୬୬୦ ଟଙ୍କା ହିସାବରେ ୫୭ ଲକ୍ଷ ୩୬ ହଜାର ୪୪୫ ଟଙ୍କା ଭରଣା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ହେଲେ ଠିକାଦାର ଅର୍ଥ ଭରଣା କରିନଥିଲେ। ପ୍ରଶାସନ ବାଧ୍ୟହୋଇ ତାଙ୍କ ଅମାନତ ରାଶି ୧୫ ଲକ୍ଷ ଟଙ୍କା ଜବତ କରିଥିଲା। ଠିକାଦାର ଚାଉଳ ପରିବହନ ବାବଦକୁ ପାଇବାକୁ ଥିବା ୧୯ ଲକ୍ଷ ୮୨ ହଜାର ୭୫୬ ଟଙ୍କା ମଧ୍ୟ ତାଙ୍କୁ ଦିଆଯାଇନଥିଲା। ପରେ ଅବଶିଷ୍ଟ ୨୨ ଲକ୍ଷ ୫୩ ହଜାର ୬୮୯ ଟଙ୍କା ଆଦାୟ ଲାଗି ପ୍ରଶାସନ ତାଙ୍କ ଟ୍ରକ୍ ଦୁଇଟି ଜବତ କରିବା ପାଇଁ କେନ୍ଦ୍ରାପଡା ଆରଟିଓଙ୍କ ସହ ଆଞ୍ଚଳିକ ପରିବହନ କମିଶନରଙ୍କ ସହଯୋଗ ଲୋଡିଥିଲେ। ପ୍ରଶାସନିକ ସ୍ତରରେ ଏ ପ୍ରକ୍ରିୟା ଜାରି ରହିଥିବାବେଳେ ଏନେଇ ଏଜି ଅଡିଟ୍ ଆରମ୍ଭ ହୋଇଥିଲା। ଏତିକି ବେଳେ ଏଜିଙ୍କ ସ୍ୱତନ୍ତ୍ର ଟିମ୍ ଭଦ୍ରକ ଜିଲାରେ ଚାଉଳ ହଡପ ହୋଇଥିବା ତିହିଡି, ଚାନ୍ଦବାଲି, ଧାମନଗର ଓ ବାସୁଦେବପୁର ବ୍ଲକ୍ରେ ତଦନ୍ତ କରି ସଂପୃକ୍ତ ଠିକାଦାର ୨ ହଜାର ୧୫୬ କ୍ୱିଣ୍ଟାଲ ୩୮ କେଜି ଚାଉଳ ଚୁକ୍ତିନାମା ଖିଲାଫ କରିଥିବା ଧରିଥିଲେ। ଚୁକ୍ତିନାମା ନିୟମ (ଧାରା-୪) ଅନୁଯାୟୀ ହଡପ ଚାଉଳ ମୂଲ୍ୟର ୪ ଗୁଣ ଅର୍ଥ ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରୁ ପ୍ରଶାସନ ଉଦ୍ୟମରେ ଏପର୍ଯ୍ୟନ୍ତ ୩୪ ଲକ୍ଷ ୮୨ ହଜାର ୭୫୬ ଟଙ୍କା ଆଦାୟ ହୋଇସାରିଛି। ଅବଶିଷ୍ଟ ୧ କୋଟି ୯୪ ଲକ୍ଷ ୬୩ ହଜାର ଟଙ୍କା ଭରଣା କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ପରେ ମୁଖ୍ୟ ପରିବହନ ଠିକାଦାରଙ୍କ ଚେତା ବୁଡିଛି। ଭଦ୍ରକ ଜିଲାର ୭ଟି ବ୍ଲକ୍ର ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ପାଇଁ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଅଂଚଳର ଜଣେ ଠିକାଦାର ଟେଣ୍ଡର ହାତେଇଥିଲେ। ପରେ ସେ କେନ୍ଦ୍ରାପଡା ସହରର ଜଣେ ବାଲି ବେପାରୀଙ୍କୁ ଚାଉଳ ଟେଣ୍ଡର ଲିଜ୍ ଦେଇଥିଲେ। ଲିଜ୍ଧାରୀ ନିଜେ ଚାଉଳ ନବାଣ୍ଟି ଭଦ୍ରକ ଜିଲାର ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ କର୍ମୀଙ୍କୁ ଚାଉଳ ବାଣ୍ଟିବା ଦାୟିତ୍ୱ ହସ୍ତାନ୍ତର କରିଥିଲେ। ହେଲେ ସେମାନେ ମଧ୍ୟାହ୍ନ ଭୋଜନ ଚାଉଳ ନବାଣ୍ଟି କଲିକତା ଚାଲାଣ କରିଦେଇଥିଲେ। ଏହି ରାକେଟ୍ ଅଢେଇ ହଜାର କ୍ୱିଣ୍ଟାଲ ଚାଉଳ ଭଦ୍ରକରୁ କଲିକତା ଚାଲାଣ କରିଦେଇଥିଲେ। ୨୦୧୫ ରୁ ଏ ନେଇ ଖୋଳତାଡ ଚାଲିଥିଲେ ବି ରାଜନୈତିକ ଚାପରେ ଚାପି ହୋଇ ରହିଥିଲା। ଏବେ ବନ୍ଦ ଫାଇଲ୍ ଖୋଲିଛି ଓ ଦୁର୍ନୀତିର ଲମ୍ବା ତାଲିକା ପଦାକୁ ଆସିଛି।
